ନୀଳଗିରି,୨୮/୦୬: ଅନ୍ତିମ ସଂସ୍କାର ପାଇଁ କୋକେଇ ବନ୍ଧା ସରିଥିଲା । ହେଲେ ଶ୍ମଶାନ ପରିବର୍ତ୍ତେ ଡାକ୍ତରଖାନାକୁ ଗଲା ନାବାଳକର ମୃତଦେହ । ଏଭଳି ଘଟଣା ନୀଳଗିରି ଥାନା ଅଧୀନ ମହିସାପଟ୍ଟା ପଞ୍ଚାୟତ ପାଟଣା ଗ୍ରାମରେ ଦେଖିବାକୁ ମିଳିଛି ।

ଏହି ଗ୍ରାମର କିଶୋର ରଣାଙ୍କ ୧୪ ବର୍ଷୀୟ ପୁଅ ଆଦିତ୍ୟ ଗତ ଶୁକ୍ରବାର ସକାଳେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ଅପରାହ୍ନ ୪ଟା ୩୦ରେ ମୃତ୍ୟୁ ହୋଇଥିଲା । ପୁଅର ଶବ ଧରି ବାପା ଘରକୁ ଫେରିଥିଲେ । ଅନ୍ତିମ ସଂସ୍କାର କରିବା ପାଇଁ କୋକେଇ ବନ୍ଧା ସରିଥିଲା । ପଡ଼ୋଶୀମାନେ ମୃତ୍ୟୁର କାରଣ ପଚାରିଥିଲେ ହେଲେ କିଶୋର କିଛି କହି ପାରିନଥିଲେ । ଡାକ୍ତରଖାନାରୁ ମିଳିଥିବା କାଗଜପତ୍ରରେ ପୁଅ ମୃତ୍ୟୁର କାରଣ ମଧ୍ୟ ବୁଝି ପାରିନଥିଲେ । ପାଟିରୁ ଫେଣ ବାହାରୁଥିବା ଦେଖି ସନ୍ଦେହ ହେବାରୁ ଗ୍ରାମବାସୀଙ୍କ ପରାମର୍ଶ କ୍ରମେ ରାତ୍ରି ୯ଟାରେ ପୁଣି ନୀଳଗିରି ଡାକ୍ତରଖାନାକୁ ଆଣିଥିଲେ ।

ଏନେଇ ନୀଳଗିରି ଥାନାରେ ଲିଖିତ ଅଭିଯୋଗ ହେବାରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶନିବାର ବ୍ୟବଚ୍ଛେଦ ପାଇଁ ପୁଲିସ ପ୍ରସ୍ତୁତି କରିଥିଲା । ଶନିବାର ମଧ୍ୟାହ୍ନ ୧ଟା ୩୦ ପର୍ଯ୍ୟନ୍ତ ନୀଳଗିରି ହସପିଟାଲ ପରିସରରେ ଶବ ରହିଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ବ୍ୟବଚ୍ଛେଦ କରିନଥିଲେ । ପରେ ମେଡିକାଲ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ନୀଳଗିରି ମେଡିକାଲ କର୍ତ୍ତୃପକ୍ଷ ଶବକୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ଶବ ବ୍ୟବଚ୍ଛେଦ କରାଯାଇ ଗାଁକୁ ଆସିବା ପରେ ସ୍ଥାନୀୟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି ।

​​​​​​​