ନୂଆଦିଲ୍ଲୀ ୦୫/୦୩: ତେଲଗୁ ଅଭିନେତା ସୁଧୀର ବାବୁ ତାଙ୍କର ଆଗାମୀ ଫିଲ୍ମ ‘ଜଟାଧାରା’ ଲାଗି ପ୍ରସ୍ତୁତି କରୁଛନ୍ତି । ଇତିମଧ୍ୟରେ ଫିଲ୍ମ ସଂପର୍କରେ ଏକ ଅପଡେଟ୍ ସାମ୍ନାକୁ ଆସିଛି । ସେ ଅନୁସାରେ, ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସେଥିରେ ଲିଡ୍ ରୋଲ୍ରେ ନଜର ଆସିପାରନ୍ତି । ଯଦିଓ ଏ ନେଇ ସୋନାକ୍ଷୀଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ, ତେବେ ନିର୍ମାତାଙ୍କ ସହ ତାଙ୍କର ଆଲୋଚନା ଚୂଡ଼ାନ୍ତ ହୋଇସାରିଛି । ଏପରିକି ମାର୍ଚ୍ଚ ୮ରୁ ସେ ସୁଟିଂ ସେଟ୍ରେ ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଛି । ଯଦି ସବୁକିଛି ଠିକଠାକ୍ ରହେ ତେବେ ଏହା ସୋନାକ୍ଷୀଙ୍କର ତେଲଗୁ ଡେବ୍ୟୁ ହେବ ।
‘ଜଟାଧାରା’ ଏକ ସୁପରନାଚ୍ୟୁରାଲ ଫାଣ୍ଟାସି ଥ୍ରିଲର । ସେଥିରେ ସୋନାକ୍ଷୀଙ୍କୁ ଏକ ନୂଆପ୍ରକାର ଭୂମିକାରେ ଦେଖିବାକୁ ମିଳିପାରେ । ଭେଙ୍କଟ କଲ୍ୟାଣ ଏହାର ନିର୍ଦ୍ଦେଶନାରେ ଅଛନ୍ତି । ନିକଟରେ ହାଇଦ୍ରାବାଦରେ ଫିଲ୍ମର ମହୁରତ୍ ଅନୁଷ୍ଠିତ ହୋଇଥିଲା । ସୂଚନାଥାଉକି, ‘ଦବଙ୍ଗ’, ‘ଲୁଟେରା’ ଭଳି ଫିଲ୍ମରେ ନିଜ ଅଭିନୟ ପରାକାଷ୍ଠା ପ୍ରଦର୍ଶନ କରିଥିବା ସୋନାକ୍ଷୀଙ୍କୁ ଶେଷ ଥର ଲାଗି ସଞ୍ଜୟ ଲୀଲା ଭନ୍ସାଲିଙ୍କର ପିରିୟଡ୍ ଡ୍ରାମା ଫିଲ୍ମ ‘ହୀରାମଣ୍ଡି: ଦ ଡାଇମଣ୍ଡ ବାଜାର’ରେ ଦେଖିବାକୁ ମିଳିଥିଲା । ସେ ମଧ୍ୟ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିବା ହରର୍ ଫିଲ୍ମ ‘କାକୁଡା’ରେ ନଜର ଆସିଥିଲେ ।