ସୋନପୁର୨୪/୦୬ : ସୁବର୍ଣ୍ଣପୁର ଜିଲ୍ଲାକୁ ବିଧାନସଭା ଗୃହ କମିଟି ଗସ୍ତ ଅବସରରେ ସୋନପୁର ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ ପକ୍ଷରୁ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବିରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆସୋସିଏସନର ଉପ ସଭାପତି ଗତିକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ସଂପାଦକ ଭାରତ ଭୁଷଣ ଦାଶ, ରାମ ଶଙ୍କର ଭୋଇ, ସୁଧୀର କୁମାର ପଣ୍ଡା, ମିଡିଆ ସେଲର ରାଜ କିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ, ସ୍ୱରୂପ ପାତ୍ର ପ୍ରମୁଖ ଏକ ପ୍ରତିନିଧି ଦଳ ଏ ନେଇ ସର୍କିଟ ହାଉସ ଠାରେ କମିଟିକୁ ଦାବିପତ୍ର ପ୍ରଦାନ କରିଥିଲେ । ଗୃହ କମିଟି ସହ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମଧ୍ଯ ଉପସ୍ଥିତ ଥିଲେ ଏବଂ ସେ କଲେଜର ସମସ୍ୟା ବିଷୟ ନିଶ୍ଚୟ ଗୃହ କମିଟିକୁ ଜଣାଇବେ ବୋଲି କହିଥିଲେ।
ପ୍ରକାଶ ଯୋଗ୍ୟ ଯେ ସୋନପୁର ମହାବିଦ୍ୟାଳୟ ୧୯୬୪ ମସିହାରୁ ସ୍ଥାପିତ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ସରକାରୀ ମାନ୍ୟତା ପାଇ ପାରିନାହିଁ। ଜିଲ୍ଲାର ସର୍ବପୁରାତନ ସୋନପୁର ମହାବିଦ୍ୟାଳୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ବର୍ତ୍ତମାନ ମହା ବିଦ୍ୟାଳୟରେ ଯୁକ୍ତ ୨ ଓ ଯୁକ୍ତ ୩ ପର୍ଯ୍ୟନ୍ତ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ ୨୩୦୦ ଜଣ ଛାତ୍ରୀ/ ଛାତ୍ର ଅଧ୍ୟୟନରତ ଅଛନ୍ତି । ମହାନଦୀ କୂଳସ୍ଥିତ ଏକ ସବୁଜିମା ମନୋରମ ପରିବେଶରେ ୧୯୬୪ ମସିହାରେ ସ୍ଥାପିତ ହୋଇ ମହାବିଦ୍ୟାଳୟଟି ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ନିରନ୍ତର ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଅଛି । ଅନେକ ସୁନାମ ଅର୍ଜନ କରିଥିବା ଏହି ମହାବିଦ୍ୟାଳୟଟି ବିଭିନ୍ନ କ୍ଷେତ୍ରରେ ଆଜି ସୁଦ୍ଧା ବହୁ ପ୍ରତିଷ୍ଠିତ ଏଠାରୁ ପ୍ରଶାସନିକ ଅଧିକାରୀ, ବୈଜ୍ଞାନିକ, ଡାକ୍ତର, ଯନ୍ତ୍ରୀ, ଲୋକ ପ୍ରତିନିଧି ସୁନାମଧନ୍ୟ ମେଧାବୀ ସୃଷ୍ଟି କରିପାରିଛି। ୨୦୧୬ ମସିହା “ ରାଷ୍ଟ୍ରିୟ ମୂଲ୍ୟାଙ୍କନ ଏବଂ ପ୍ରତ୍ୟାୟନ ପରିଷଦ” ଅନୁସାରେ ମହାବିଦ୍ୟାଳୟଟି ବି ଗ୍ରେଡ଼୍ ମାନ୍ୟତା ଲାଭ କରିଥିଲା ।