ନୂଆଦିଲ୍ଲୀ ୨୮/୦୩: ବଲିଉଡରୁ ନେଇ ସାଉଥ ପର୍ଯ୍ୟନ୍ତ ନିଜର ଦମଦରା ଅଭିନୟ ଦ୍ୱାରା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୋନୁ ସୁଦ । ଯାହାକୁ କେବଳ ପରଦାରେ ନୁହେଁ ରିୟଲ୍ ହିରୋ ବି କୁହାଯାଏ । ପରଦାରେ ହିନ୍ଦୀ ସିନେମାର କିଛି ସ୍ମରଣୀୟ ଖଳନାୟକ ରୋଲ୍ ବି କରିଛନ୍ତି ସୋନୁ । ଏପରି ଏକ ଭୂମିକା ଥିଲା ବ୍ଲକବଷ୍ଟର ହିଟ୍ ‘ଦବଙ୍ଗ’ ରେ ଛେଦି ସିଂହ, ଯାହା ତାଙ୍କୁ ଅପାର ଲୋକପ୍ରିୟତା ଆଣି ଦେଇଥିଲା। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଭିନେତା ପ୍ରଥମେ ଏହି ଭୂମିକାକୁ ମନା କରିଦେଇଥିଲେ। ଯଦିଓ ସେ ପରେ ଏହି ଭୂମିକାକୁ ଗ୍ରହଣ କରିଥିଲେ, କିନ୍ତୁ ସେ 'ଦବଙ୍ଗ ୨' କୁ ରିଜେକ୍ଟ କରିଥିଲେ। ଅଭିନେତା ଏବେ ଏହାର କାରଣ ପ୍ରକାଶ କରିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ, ସୋନୁ ପ୍ରକାଶ କରିଛନ୍ତି ଯେ ସେ ପ୍ରଥମେ ଏହି ଫିଲ୍ମକୁ ମନା କରିଥିଲେ କାରଣ ସେ ଚରିତ୍ର ସହିତ ସମ୍ପୂର୍ଣ୍ଣ ଭାବରେ ଯୋଡି ହୋଇ ପାରୁନଥିଲେ। ନିର୍ଦ୍ଦେଶକ ଅଭିନବ କଶ୍ୟପଙ୍କ ସହ ଅନେକ ଆଲୋଚନା ପରେ ହିଁ ଏଥିରେ ପରିବର୍ତ୍ତନ ଆସିଥିଲା। ସୋନୁ କହିଛନ୍ତି, "ମୁଁ ପ୍ରଥମେ 'ଦବଙ୍ଗ'କୁ ମନା କରିଥିଲି କାରଣ ମୁଁ ଚରିତ୍ରଟିକୁ ଭଲ ଭାବରେ ବୁଝିପାରି ନଥିଲି। ତା’ପରେ ମୁଁ ନିର୍ଦ୍ଦେଶକଙ୍କ ସହ ବସିଲି ଏବଂ କିଛି ପରିବର୍ତ୍ତନ ପରାମର୍ଶ ଦେଲି। ଆମେ ବସି ଚରିତ୍ରରେ ଅନେକ ପରିବର୍ତ୍ତନ କଲୁ, ଆମେ ଟିକେ ହାସ୍ୟରସ ଯୋଡିଲୁ, ଏବଂ ଏହିପରି ଚରିତ୍ରଟି ମଜାଦାର ହୋଇଗଲା।" ସେ ଆହୁରି କହିଛନ୍ତି, "ମୁଁ କେବେବି କେବଳ ଟଙ୍କା ପାଇଁ ଫିଲ୍ମ କରିନାହିଁ। କାରଣ ଯଦି ଆପଣ କେବଳ ଟଙ୍କା ପାଇଁ ଫିଲ୍ମକୁ ହଁ କୁହନ୍ତି, ତେବେ ସେଟରେ ଆପଣଙ୍କୁ ସବୁବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ।"
ତେବେ ସୋନୁ ଶେଷରେ 'ଦବଙ୍ଗ'ରେ କାମ କରିଥିଲେ ମଧ୍ୟ, ସେ ଏହାର ସିକ୍ୱେଲ୍ 'ଦବଙ୍ଗ ୨'ରୁ ଦୂରେଇ ରହିବାକୁ ବାଛିଥିଲେ। ଅଭିନେତା ପ୍ରକାଶ କରିଛନ୍ତି ଯେ ସଲମାନ ଖାନ ଏବଂ ଅରବାଜ ଖାନ କହିବା ସତ୍ତ୍ୱେ ବି ସେ ଫିଲ୍ମର ସ୍କ୍ରିପ୍ଟକୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରିଲେ ନାହିଁ କିମ୍ବା ତାହା ସହିତ ଯୋଡ଼ି ହୋଇ ପାରିଲେ ନାହିଁ। ସୋନୁ କହିଛନ୍ତି, "ମୁଁ ସେମାନଙ୍କୁ କହିଥିଲି ଯେ ମୁଁ ଭୂମିକାଟି ବୁଝିପାରୁନାହିଁ... ମୁଁ ଜାଣିଥିଲି ଯେ ମୁଁ ଅଧିକ ଉନ୍ନତି କରିପାରିବି ନାହିଁ, ତେଣୁ ମୁଁ ମନା କରିଦେଲି ଏବଂ ସେମାନଙ୍କୁ ଶୁଭକାମନା ଜଣାଇଲି।"
ଆହୁରି ପଢ଼ନ୍ତୁ...ଆସନ୍ତାବର୍ଷ ରାମ ନବମୀରେ ରିଲିଜ ହେବ 'ବାରାଣସୀ',ଫିଲ୍ମର ଝଲକ ଦେଖାଇଲେ ଏସ୍ ଏସ୍ ରାଜମୌଲି