ଭୁବନେଶ୍ବର,୮/୫ : ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲିଅନ୍ତା ରାମଚନ୍ଦ୍ରପୁରଠାରେ ସୌମ୍ୟ ରଂଜନ ସ୍ପାଇଁଙ୍କୁ ପିଟିପିଟି ହତ୍ୟା ଘଟଣାରେ ରାସ୍ତା ଉପରେ ମୌଜପୁର ଗ୍ରାମବାସୀ। ନ୍ୟାୟ ଦାବି ନେଇ ରାସ୍ତା ରୋକ୍ । ଗାଁରେ ସୌମ୍ୟଙ୍କ ମୃତଦେହ ପହଞ୍ଚିବା ପରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ କଟକ ଗ୍ରାମାଞ୍ଚଳ ପୋଲିସର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ପୋଲିସ ବୁଝାସୁଝା କରିବାକୁ ଚେଷ୍ଟା ଚଳାଇଛି । ଅନ୍ୟପଟେ ୫ଜଣ ଅଭିଯୁକ୍ତ ଜେଲ୍ ଯାଇଛନ୍ତି । ୫ଅଭିଯୁକ୍ତ ହେଲେ ସଂଗ୍ରାମ ଭୋଇ, ବିସ୍ମୟ ମହାନ୍ତି, ସୂରଜ ଓଝା, ସ୍କାଏଲାବ ପତି, ସନ୍ତୋଷ ପତି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସର ରେଡ୍ ଜାରି ରହିଛି ।

ସେପଟେ ଏହି ଘଟଣାରେ, ଜିଆରପି ଏସପି ଭବାନୀ ଶଙ୍କର ଉଦଗାତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି , ୨୦୧୪ରୁ ଜିଆରପି କନେଷ୍ଟବଳ ଭାବେ ଯୋଗଦେଇଥିଲେ ସୌମ୍ୟ। ସେ ବିଭିନ୍ନ ସମୟରେ କାର୍ଯ୍ୟରେ ଅନୁପସ୍ଥିତ ରହୁଥିଲେ । ଏପ୍ରିଲ ୨୫ରୁ କାର୍ଯ୍ୟରେ ଯୋଗ ଦେଇଥିଲେ । ଅନୁପସ୍ଥିତ ସମୟରେ ସେ ଜିମ୍ କଥା ବୁଝୁଥିଲେ । ତାଙ୍କ ଦରମା ମଧ୍ୟ ବନ୍ଦ କରାଯାଇଥିଲା । ତାଙ୍କ ନାଁରେ ମହିଳା ଥାନାରେ ଏକ ମାମଲା ଥିଲା। ଜିଆରପି ଏସପି କହିଛନ୍ତି ଯେ, ହତ୍ୟା ସମ୍ପର୍କରେ ଭୁବନେଶ୍ଵର ଡିସିପିଙ୍କ ସହ କଥା ହୋଇଛୁ ।

ମାତ୍ର ସୌମ୍ୟଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ସାଙ୍ଗ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ସୌମ୍ୟ ଆଦୌ ନିଶା ସେବନ କରନ୍ତି ନାହିଁ, ଆମକୁ ବି ବାରଣ କରନ୍ତି । ସମସ୍ତଙ୍କୁ ସବୁବେଳେ ସାହାଯ୍ୟ ସହଯୋଗ କରନ୍ତି । ଘଟଣାରେ ସଂପୃକ୍ତ ୨ ଯୁବତୀଙ୍କୁ ଗିରଫ କରାଯାଉ, ସେମାନେ ମିଛ କହୁଛନ୍ତି । ପୁଲିସର ବ୍ୟବସ୍ଥା ଅତ୍ୟନ୍ତ ନିନ୍ଦନୀୟ ବୋଲି ସୌମ୍ୟଙ୍କ ସାଙ୍ଗ କହିଛନ୍ତି ।