ଭୁବନେଶ୍ୱର ୨୮/୦୫: ସାଧାରଣତଃ ଆଇନ୍‌ର ପରିସର ବାହାରେ ଅପରାଧୀଙ୍କୁ ସୁରକ୍ଷା ବାହିନୀର ହତ୍ୟାକୁ ଏନ୍‌କାଉଣ୍ଟର କୁହାଯାଏ ।  ପ୍ରଥମେ ଭାରତୀୟ ପୁଲିସ ଏଭଳି ଘଟଣାକୁ ସୁଟ୍‌ଆଉଟ୍‌ ଭାବେ ବର୍ଣ୍ଣନା କରୁଥିଲା । ବିଂଶ ଶତାବ୍ଦୀରେ ପୁଲିସ ଓ  ଗଣମାଧ୍ୟମରେ ‘ଏନ୍‌କାଉଣ୍ଟର’ ଶବ୍ଦର ବହୁଳ ପ୍ରଚଳନ ଆରମ୍ଭ ହୋଇଥିଲା । ବିଶେଷ କରି ଅପରାଧୀଙ୍କ ସହ ଅଚାନକ ଭେଟ ହେବା ସ୍ଥିତିରେ ଏହା ହୋଇଥାଏ । ଧୀରେ ଧୀରେ ପେସାଦାର ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସବୁଦିନ ପାଇଁ ହଟାଇ ମୁଣ୍ଡବିନ୍ଧା କମାଇବାକୁ ପୁଲିସ ଯୋଜନା କରିଲା ।  ଯାହାକୁ ମାନବାଧିକାର କର୍ମୀମାନେ ‘ଫେକ୍‌ ଏନକାଉଣ୍ଟର’ ବା ‘ଜାଲ୍‌  ଏନ୍‌କାଉଣ୍ଟର’ ଦର୍ଶାଇ କୋର୍ଟର ଶରଣ ପଶିବା ଆରମ୍ଭ କଲେ ।

ସ୍ୱାଧୀନତା  ପୂର୍ବରୁ ଆନ୍ଧ୍ରରେ ସଂଗ୍ରାମୀ ଆଲ୍ଲୁରୀ ସୀତାରମଣଙ୍କ ହତ୍ୟା ଏନ୍‌କାଉଣ୍ଟର ଭାବେ ଚର୍ଚ୍ଚିତ ଥିଲା । ଯାହାଙ୍କୁ ହାଇଦ୍ରାବାଦର ନିଜାମଙ୍କ ପୁଲିସ ହତ୍ୟା କରିଥିଲେ । ସ୍ୱାଧୀନତା ପରେ ମୁମ୍ବାଇ ପୁଲିସ ୧୯୮୨ ଜାନୁଆରୀ ୧୧ରେ ଗ୍ୟାଙ୍ଗ୍‌ଷ୍ଟର ମାନ୍ୟା  ସୁରଭେଙ୍କୁ ଗୁଳି କରିଥିଲା । ଏହାକୁ ଭାରତୀୟ ପୁଲିସ ଇତିହାସରେ ପ୍ରଥମ  ଏନ୍‌କାଉଣ୍ଟର କୁହାଯାଏ । ଏହା ପରେ ଭିନ୍ନ ଭିନ୍ନ ରାଜ୍ୟରେ ଏହା ଆରମ୍ଭ  ହୋଇଥିଲା । ମୁମ୍ବାଇ ପୁଲିସର ପ୍ରଦୀପ ଶର୍ମା (୩୧୨ଟି) ଏବଂ ଦୟା ନାୟକ  (୮୩ଟି) ଏନ୍‌କାଉଣ୍ଟର କରିଥିବା ପୁଲିସ ରେକର୍ଡରେ ରହିଛି।

ଅଧିକ ପଢ଼ନ୍ତୁ :-  Encounter: ଏନ୍‌କାଉଣ୍ଟରର କାହାଣୀ...ଅନ୍ଧାରରେ ଗୋଡ଼କୁ ଖୋଜି ଖୋଜି ହିଟ୍‌ କରୁଛି ଗୁଳି! ସନ୍ଦେହରେ ପୁଲିସ ଅଫିସରଙ୍କ ଫାୟାରିଂ ଦକ୍ଷତା

ମୁମ୍ବାଇର  ଜଣେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ କୁହନ୍ତି ଏନ୍‌କାଉଣ୍ଟରର ଅର୍ଥ ଖତମ୍‌ ।  ଅପରାଧୀକୁ ବଞ୍ଚାଇ ରଖିବାକୁ ଏନ୍‌କାଉଣ୍ଟର କୁହାଯାଏନି । ଏହା ଆର୍‌ ୟା ପାର୍‌  ସ୍ଥିତିରେ ହୋଇଥାଏ । ଏଭଳି ସ୍ଥିତିରେ ଅପରାଧୀ ବର୍ତ୍ତିଗଲେ, ଆମକୁ ମୃତ୍ୟୁ ଦେଖିବାକୁ ପଡ଼େ । ଅପରାଧୀକୁ ଧରି ନେଇ ଗୁଳି କରିବାକୁ ଏନ୍‌କାଉଣ୍ଟର କୁହାଯାଏନି । ଏନ୍‌କାଉଣ୍ଟରରେ ଦୟାର ସ୍ଥାନ ନଥାଏ । ଆଜିକାଲି ଅନେକ ପୁଲିସ ଅପରାଧୀଙ୍କୁ ଭୟ କରୁଛନ୍ତି । ତେଣୁ ସେମାନେ ଧରାପଡ଼ିବା ପରେ ଧରି ନେଇ ଗୋଡ଼କୁ ଗୁଳି କରିଥାନ୍ତି ଏବଂ ନିଜେ ପୁଣି ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥାନ୍ତି । ଏହାକୁ ‘ଏନ୍‌କାଉଣ୍ଟର’ ନୁହେଁ ‘ହାଫ୍‌ ଏନ୍‌କାଉଣ୍ଟର’  କୁହାଯାଏ । ବାସ୍ତବରେ ଅପରାଧୀ ଏଭଳି ହାଫ୍‌ ଏନ୍‌କାଉଣ୍ଟରକୁ ଡରନ୍ତି ନାହିଁ । ଏଭଳି ଘଟଣା କେବଳ ପୁଲିସକୁ ଏକ ପ୍ରଶଂସାର ଇନ୍ଦ୍ରଜାଲରେ ବସାଇଥାଏ ।  ଅପରପକ୍ଷେ ମାନବାଧିକାର ସଂଗଠନ ଗୁଡ଼ିକର ମତରେ ଭାରତରେ ପ୍ରତି  ତିନି ଦିନରେ ଗୋଟିଏ ଏନ୍‌କାଉଣ୍ଟର ହେଉଛି । ୨୦୧୬ରୁ ୨୦୨୨ ମଧ୍ୟରେ  ଦେଶରେ ୮୧୩ଟି ଏନ୍‌କାଉଣ୍ଟର ହୋଇଥିଲା ।