କଣ୍ଟାପଡା,୧୬/୦୭: ବାଲିଅନ୍ତାରେ ଜିଆର୍ପି କନ୍‌ଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟା ମାମଲା ଯେତେ ପୁରୁଣା ହେଉଛି ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ସୌମ୍ୟଙ୍କ ହତ୍ୟା ପଛରେ ଓମ୍ପ୍‌ ପ୍ରକାଶ ରାଉତଙ୍କ ହାତ ଥିବା ନେଇ ସୌମ୍ୟଙ୍କ ମା’ କବିତା ସ୍ୱାଇଁ ଅଭିଯୋଗ କରିଛନ୍ତି । ସୌମ୍ୟଙ୍କୁ ହତ୍ୟା କରିବା ସମୟରେ ସେଠାରେ ଥିବା ସହଯୋଗୀ ଓମ୍‌ଙ୍କ ଉପସ୍ଥିତି ଓ ଭିଡିଓରେ ଥିବା ସ୍ୱରକୁ ନେଇ ସନ୍ଦେହ ବଢୁଛି । ‘ୟାକୁ ଧରରେ, ବାଡ଼େଇ ମାରିଦିଅ । ୟାକୁ ଛାଡ଼ିଦେଲେ ଅସୁବିଧା ହୋଇଯିବ’ ବୋଲି ଭିଡିଓରେ କୁହାଯାଉଥିବା ଶୁଣିବାକୁ ମିଳୁଛି । ଏହି ସ୍ୱର ଓମ୍‌ର ବୋଲି ସୌମ୍ୟଙ୍କ ମା’ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ :- Crime News: ଏସ୍ପି, ଉପଜିଲ୍ଲାପାଳଙ୍କୁ ଜାଲ୍ ପରିଚୟପତ୍ର ଦେଖାଇଲେ RAW- ଆଇବି ଏଜେଣ୍ଟ, ଦୁଇ ନକଲି ଅଧିକାରୀଙ୍କୁ ଉଠାଇନେଲା ପୁଲିସ

ଅନ୍ୟପକ୍ଷରେ ମାନବାଧିକାର କର୍ମୀ ଭଜମନ ବିଶ୍ୱାଳ, ସୌମ୍ୟଙ୍କ ଘର ଅଡ଼ଶପୁର ସ୍ଥିତ ମଉଜପୁର ଠାରେ ପହଞ୍ଚି ମା’ ଓ ବାପାଙ୍କ ସହିତ ଆଲୋଚନା କରିଥିଲେ । ଯେଉଁ ତଥ୍ୟ ପାଇଥିଲେ ତାକୁ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଦାଖଲ କରାଯିବ ବୋଲି କହିଛନ୍ତି । ଶ୍ରୀ ବିଶ୍ୱାଳଙ୍କ କହିବାନୁସାରେ, ହତ୍ୟା ପଛରେ ଓମ୍‌ଙ୍କ ହାତ ଥିବା ସନ୍ଦେହ କରାଯାଉଛି । କିନ୍ତୁ କ୍ରାଇମବ୍ରାଞ୍ଚ୍ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଘଟଣା ଦିନ ଓମ୍ ଗଣମାଧ୍ୟମ, ପୁଲିସକୁ ଦେଇଥିବା ବୟାନକୁ ଏନ୍ଏଚ୍ଆର୍‌ସି ଆୟୋଗଙ୍କ ଆଗରେ ବଦଳାଇଥିଲେ । ତେଣୁ ତାଙ୍କୁ ତଦନ୍ତ ପରିସରକୁ ନେବାକୁ ସେ ଦାବି କରିଛନ୍ତି ।