ନୂଆଦିଲ୍ଲୀ ୧୬/୦୭ : ଆମେରିକାର ନ୍ୟୁୟର୍କରେ ମଙ୍ଗଳବାର ପ୍ରାୟ ୭ କୋଟି ବର୍ଷ ପୁରୁଣା ଏକ ଟି-ରେକ୍ସ ଡାଇନୋସରର କଙ୍କାଳ ନିଲାମ ହୋଇଛି । ଏହି କଙ୍କାଳର ନାମ ହେଲା ‘ଗସ୍’ । ନିଲାମଧାରୀ ତାକୁ ୫୦.୧ ନିୟୁତ ଡଲାର(ଭାରତୀୟ ମୁଦ୍ରାରେ ପ୍ରାୟ ୪୮୨ କୋଟି)ରେ କିଣିଛନ୍ତି । ଏଥିସହ ଏହା ଅଦ୍ୟାବଧି ବିଶ୍ୱର ସବୁଠୁ ଅଧିକ ଦାମ୍‌ରେ ବିକ୍ରି ହୋଇଥିବା ଡାଇନୋସର ଜୀବାଶ୍ମ ପାଲଟି ଯାଇଛି ।

ନିଲାମକାରୀ ସଂସ୍ଥା ସୋଥବୀ’ସ୍ ପକ୍ଷରୁ ଏହି ଦୁର୍ଲଭ ଜୀବାଶ୍ମର ମୂଲ୍ୟ ୨୦ରୁ ୩୦ ନିୟୁତ ଡଲାର ମଧ୍ୟରେ ରହିବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଥିଲା । କିନ୍ତୁ ନିଲାମ ଆରମ୍ଭ ହେବା ପରେ ୭ ଜଣ କ୍ରେତାଙ୍କ ମଧ୍ୟରେ ଜୋରଦାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ମାତ୍ର ୧୦ ମିନିଟ୍ ଧରି ଚାଲିଥିବା ନିଲାମୀ ମଧ୍ୟରେ ‘ଗସ୍’ ୫୦.୧ ନିୟୁତ ଡଲାରରେ ବିକ୍ରି ହୋଇଥିଲା । ନିଲାମ ଧରିଥିବା ବ୍ୟକ୍ତିଙ୍କର ପରିଚୟକୁ ସାର୍ବଜନୀନ କରାଯାଇନାହିଁ ।

ସୋଥବୀ’ସ୍ ଅନୁସାରେ, ‘ଗସ୍’ ପ୍ରାୟ ୩୮ ଫୁଟ ଲମ୍ବା । ଏହାର ଉଚ୍ଚତା ୧୨.୫ ଫୁଟ । ଖପୁରୀର ଲମ୍ବ ହେଲା ୫୪ ଇଞ୍ଚ । ଏହା ଦୁନିଆରେ ଟି.ରେକ୍ସ ଡାଇନୋସରର ସବୁଠୁ ସୁରକ୍ଷିତ ଏବଂ ପୂର୍ଣ୍ଣ କଙ୍କାଳ(୬୧ ପ୍ରତିଶତ) ମଧ୍ୟରୁ ଅନ୍ୟତମ । ଏଥିରେ ମୋଟ ୧୮୩ଟି ଜୀବାଶ୍ମ ହାଡ଼ ରହିଛି । ୨୦୨୧ରେ ଆମେରିକାର ସାଉଥ୍ ଡାକାଟୋରେ ଏହି ଦୁର୍ଲଭ କଙ୍କାଳର ସନ୍ଧାନ କରାଯାଇଥିଲା । ପରେ ଗବେଷକମାନେ ତାକୁ ପୁନରୁଦ୍ଧାର କରିଥିଲେ । ଏହି କଙ୍କାଳର ସଂରଚନା ଏତେ ଭଲ ସ୍ଥିତିରେ ରହିଛି ଯେ ସେଥିରୁ ଡାଇନୋସରର ଜୀବନ, ବ୍ୟବହାର ଏବଂ ଶାରିରୀକ ଗଠନ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥାଏ । ‘ଗସ୍’ର ମସ୍ତିଷ୍କର ଉପର ଅଂଶରେ ଏକ ବଡ଼ କ୍ଷତ ଚିହ୍ନ ରହିଛି । ଏହା ସମ୍ଭବତଃ କୌଣସି ବଡ଼ ଶିକାରୀଙ୍କ ସହ ଲଢ଼େଇର ପରିଣାମ ହୋଇପାରେ ।

ଆହୁରି ପଢ଼ନ୍ତୁ...Judge Chair Black Magic : କେସ୍ ଜିତିବାକୁ ବିଚାରପତିଙ୍କୁ ଗୁଣିଗାରେଡ଼ି, ମହିଳାଙ୍କୁ ବାନ୍ଧିଲା ପୁଲିସ

ଲଢ଼େଇରେ ଡାଇନୋସରର ପଞ୍ଜରା ହାଡ଼ ମଧ୍ୟ ଭାଙ୍ଗି ଯାଇଥିଲା, କିନ୍ତୁ ପରେ ତାହା ପ୍ରାକୃତିକ ଭାବେ ଯୋଡି଼ ହୋଇଯାଇଥିଲା । ଏଥିରୁ ଗୁରୁତର ଆଘାତପ୍ରାପ୍ତ ହୋଇଥିବା ସତ୍ତେ୍ୱ ଡାଇନୋସରଟି ଦୀର୍ଘ ଦିନ ଧରି ଜୀବିତ ଥିଲା ବୋଲି ଆକଳନ କରାଯାଉଛି । ଏହି ବିଶାଳ ଜୀବ ପ୍ରାୟ ୭.୨ କୋଟି ବର୍ଷ ପୂର୍ବରୁ ପୃଥିବୀରେ ବିଚରଣ କରୁଥିଲା । ସେତେବେଳେ ପୃଥିବୀପୃଷ୍ଠର ତାପମାତ୍ରା ବର୍ତ୍ତମାନଠାରୁ ବହୁତ ଅଧିକ ଥିଲା । ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ବନ୍ୟା ଆସୁଥିଲା ବୋଲି ବୈଜ୍ଞାନିକମାନେ କହିଛନ୍ତି ।

 

ଇତିମଧ୍ୟରେ ଏହି ବିକ୍ରି ଡାଇନୋସର ଜୀବାଶ୍ମ ଦୁନିଆରେ ନୂଆ ଇତିହାସ ସୃଷ୍ଟି କରିଛି । ଏହା ପୂର୍ବରୁ ‘ଆପେକ୍ସ’ ନାମକ ଏକ ଷ୍ଟେଗୋସରସ ଡାଇନୋସରର ଜୀବାଶ୍ମ ୨୦୨୪ରେ ୪୪.୬ ନିୟୁତ ଡଲାରରେ ବିକ୍ରି ହୋଇଥିଲା । ତାକୁ ଜଣେ ଅରବପତି କେନିଥ୍ ଗ୍ରିଫିନ୍ କିଣିଥିଲେ । ତା’ ପୂର୍ବରୁ ‘ଷ୍ଟାନ’ ନାମକ ଏକ ଟି.ରେକ୍ସ ଡାଇନୋସରର ଜୀବାଶ୍ମ ୩୧.୮ ନିୟୁତ ଡଲାରରେ ବିକ୍ରି ହୋଇଥିଲା । ଆବୁଧାବି ସଂସ୍କୃତି ବିଭାଗ ତାକୁ କିଣିଥିଲା । ଅନ୍ୟପଟେ ଡାଇନୋସର ଜୀବାଶ୍ମର ବର୍ଦ୍ଧିଷ୍ଣୁ ମୂଲ୍ୟ ବୈଜ୍ଞାନିକ ସମୁଦାୟ ମଧ୍ୟରେ ଏକ ନୂତନ ବିତର୍କର ସୂତ୍ରପାତ କରିଛି । କିଛି ଜୀବାଶ୍ମ ବୈଜ୍ଞାନିକ କହିଛନ୍ତି ଯେ, ଏହିଭଳି ଦୁର୍ଲଭ ଏବଂ ଐତିହାସିକ ନମୂନା ବ୍ୟକ୍ତିଗତ ସଂଗ୍ରହକୁ ଚାଲିଯିବା ଯୋଗୁ ବୈଜ୍ଞାନିକ ଗବେଷଣା ପ୍ରଭାବିତ ହେଉଛି । ଧନୀ ଲୋକେ ଏସବୁକୁ ନିଜର ବିଶାଳ ଘରେ ଶୋ’ ପିସ୍ ଭଳି ରଖୁଛନ୍ତି । ଫଳରେ ସାଧାରଣ ଲୋକେ ଏହା ଦେଖିବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଏଭଳି ଅବଶେଷ ସଂଗ୍ରହାଳୟ ଏବଂ ଗବେଷଣା ସଂସ୍ଥାରେ ରହିବା ଉଚିତ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି ।