ନୂଆଦିଲ୍ଲୀ,୧୯/୧୨: ଆର୍ଜେଣ୍ଟିନା ଫ୍ୟାନ କ୍ଲବ୍ ଅଫ୍ କୋଲକାତାର ସଭାପତି ଉତ୍ତମ ସାହାଙ୍କ ନାମରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୫୦ କୋଟି ଟଙ୍କାର ମାନହାନି ମାମଲା କରିଛନ୍ତି । ଲିଓନେଲ ମେସିଙ୍କ କୋଲକାତା ଗସ୍ତ ସମୟରେ ସଲ୍ଟଲେକ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ତୀବ୍ର ବିଶୃଙ୍ଖଳା ଦେଖା ଦେଇଥିଲା । ମେସି ମାତ୍ର ୧୦ ମିନିଟ୍ ରହି ପଳାଇ ଯାଇଥିଲେ । ଦର୍ଶକ ତାଙ୍କୁ ଦେଖିବାକୁ ନପାଇ ଷ୍ଟାଡିୟମରେ ଭଙ୍ଗାରୁଜା କରିଥିଲେ । ଗାଙ୍ଗୁଲି ପ୍ରତ୍ୟକ୍ଷ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନରେ ସାମିଲ ରହିଥିଲେ ବୋଲି ଉତ୍ତମ ଗଣମାଧ୍ୟମକୁ କହିଥିଲେ । ଯାହାକୁ ନେଇ ଦାଦା ଘୋର ଅସନ୍ତୋଷ ପ୍ରକାଶ କରିବା ସହ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ସେ କହିଛନ୍ତି, ‘ମୁଁ କେବଳ ଅତିଥି ହୋଇ ଷ୍ଟାଡିୟମ ଯାଇଥିଲି । ଉତ୍ତମ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରେ ଆଦୌ ସତ୍ୟତା ନାହିଁ । ସେ ଏମିତି କହି ମୋର ମାନହାନି କରିଛନ୍ତି । ଇଭେଣ୍ଟ ଆୟୋଜନରେ ମୋର କୌଣସି ସଂପୃକ୍ତି ନଥିଲା ।’ ଷ୍ଟାଡିୟମରେ କାର୍ଯ୍ୟକ୍ରମ ଆୟୋଜନରେ ଅନିୟମିତତା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଏହି ମାମଲାରେ ଏକାଧିକ ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି ।