ଭୁବନେଶ୍ବର, ୧୦/୦୬: ଆଧୁନିକ ଚାକଚାକ୍ୟ ଭିତରେ ହଜିଯାଉଛି ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରା । ଲୋକେ ଭୁଲି ଯାଉଛନ୍ତି ଭାଇଚାରା । କିନ୍ତୁ ବିଦେଶରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ପ୍ରସାର ପ୍ରଚାର ପାଇଁ ଏକ ହେଉଛନ୍ତି ପ୍ରବାସୀ ଓଡ଼ିଆ । ବିଶେଷ କରି ରଜ ପର୍ବ ପାଳନ ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଏକାଠି ହୋଇଛନ୍ତି । ‘ରଜ ମହୋତ୍ସବ’ ପାଳନ ପାଇଁ ଓଡ଼ିଆ ସଂସ୍କୃତିକ ସଂଘ, ଦକ୍ଷିଣ ଆଫ୍ରିକା ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ସୂଚନା ଅନୁଯାୟୀ, ଆସନ୍ତା ୧୪ ତାରିଖ ରବିବାର ଅର୍ଥାତ୍ ପହିଲି ରଜରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି । ଦକ୍ଷିଣ ଆଫ୍ରିକାର ରାଣ୍ଡବର୍ଗରେ ଥିବା ବ୍ଲେଗୋରି ରିକ୍ରିଏସନ୍ ସେଣ୍ଟରରେ ‘ରଜ ମହୋତ୍ସବ’ ପାଳନ ହେବ । ସ୍ଥାନୀୟ ସମୟ ୨ଟା ୩୦ ମିନିଟରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଚାଲିବ । ଏଥିରେ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାର ଝଲକ ଦେଖିବାକୁ ମିଳିବ । ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ, ସଂଗୀତ, ଚିତ୍ରାଙ୍କନ ସହିତ ଭଳି କି ଭଳି ଓଡ଼ିଆ ବ୍ୟଞ୍ଜନର ପ୍ରଦର୍ଶନ ହେବ । ବିଦେଶ ମାଟିରେ ଓଡ଼ିଆ ପିଠାମିଠାର ମହକ ଚାରିଆଡ଼େ ଖେଳିଯିବ । ପ୍ରବାସୀ ଓଡ଼ିଆମାନେ ନାଚ ଗୀତରେ ଝୁମିବେ । ତେବେ ଦକ୍ଷିଣ ଆଫ୍ରିକାର ଭିନ୍ନ ଭିନ୍ନ ସ୍ଥାନରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।

ରାଜ ପର୍ବ ଓଡ଼ିଶାର ଏକ ପ୍ରମୁଖ ଗଣପର୍ବ । ଜୁନ୍ ୧୪ରୁ ୧୬ ତାରିଖ ମଧ୍ୟରେ ଅତ୍ୟନ୍ତ ଧୁମ୍‌ଧାମ୍‌ରେ ପାଳିତ ହୋଇଥାଏ । ଏହାକୁ ତିନି ଦିନ ଧରି ଉପଭୋଗ କରିଥାନ୍ତି ଓଡ଼ିଶାବାସୀ । ପ୍ରଥମ ଦିନ 'ପହିଲି ରଜ', ଦ୍ୱିତୀୟ ଦିନ 'ମିଥୁନ ସଂକ୍ରାନ୍ତି', ଏବଂ ତୃତୀୟ ଦିନ 'ଶେଷ ରଜ ବା ଭୂମିଦାହ ହୋଇଥାଏ । ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ ହୁଏ ।

ପୃଥିବୀ ମାତା ବର୍ଷାର ଆଗମନରେ ରଜସ୍ୱଳା ହୁଏ ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରେ। ଏହି ଦିନରେ ଚାଷୀମାନେ ବସୁମତୀଙ୍କ ସହ ହଳଲଙ୍ଗଳ ପୂଜନ କରି ଚାଷ କାମରୁ ତିନି ଦିନ ନିବୃତ୍ତ ରହିଥାନ୍ତି । ରଜରେ ପୋଡ଼ ପିଠା ଓ ପାନଖିଆ ସହିତ ଝିଅମାନେ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ୍‌, ବାଗୁଡ଼ି ଆଦି ଖେଳି ସହିତ ରଜ ପର୍ବ ପାଳିନ କରିଥାନ୍ତି ।ଟ

ଅଧିକ ପଢନ୍ତୁ- Raja utsav: ରଜ ପାଇଁ ସବୁଠି ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି, ପାତ୍ରପଡ଼ାରେ ଲାଗିବ ୧୨୫ ଦୋଳି