ଭୁବନେଶ୍ୱର ୧୦/୦୬: ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି  ରଜ’ ଗୀତରେ ପ୍ରକମ୍ପିତ ହେବ ରାଜଧାନୀର  ଉପକଣ୍ଠଠୁ ସହରାଞ୍ଚଳ । କିଏ ଏହି ଗୀତର  ତାଳେ ତାଳେ ଦୋଳିରେ ଝୁଲିବେ ତ କିଏ ରିଲ୍ସ  କରିବେ । କାରଣ ଆଉ ସପ୍ତାହେ ପରେ ଓଡ଼ିଶାର  ଗଣପର୍ବ ‘ରଜ’ । ସେଥିପାଇଁ ଆରମ୍ଭ ହୋଇଗଲାଣି  ଜୋରଦାର୍‌ ପ୍ରସ୍ତୁତି । କିଏ ନୂଆ ପୋଷାକ କିଣିବାରେ  ବ୍ୟସ୍ତ ତ କିଏ ପ୍ରସାଧନ ସାମଗ୍ରୀ । ବିଭିନ୍ନ  ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଉଥିବା ରଜ  ମହୋତ୍ସର ପ୍ରସ୍ତୁତି ମଧ୍ୟ ଶେଷ ସ୍ପର୍ଶ ଛୁଇଁଲାଣି । 

ଜାଗମରା ରଜ ମହୋତ୍ସବ

​​​​​​​

ଜାଗମରା ସ୍ଥିତ କେସିଏ  କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଧୁମ୍‌ଧାମ୍‌ରେ ପାଳନ ହେବ ରଜ  ମହୋତ୍ସବ । ସେଥିପାଇଁ ସପ୍ତାହେ ପୂର୍ବରୁ ଆରମ୍ଭ  ହୋଇଗଲାଣି ପ୍ରସ୍ତୁତି । ‘ଜୟଦେବ ଯୁବକ ସଂଘ’ ଓ  ‘ବିଶ୍ୱ’ ମିଳିତ ଆନୁକୂଲ୍ୟରେ ହେଉଥିବା ଏହି ରଜ  ମହୋତ୍ସବ ୫ ବର୍ଷରେ ପହଁଚିଛି । ୧୪ ରୁ ୧୬ ଜୁନ୍‌  ପର୍ଯ୍ୟନ୍ତ ଉତ୍ସବ ଚାଲିବ । ଏଠାରେ ବିଶେଷ ଆକର୍ଷଣ  ରହିବ ସନ୍ଧ୍ୟାରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ  କାର୍ଯ୍ୟକ୍ରମ । ୧୪ ତାରିଖରେ କଣ୍ଠଶିଳ୍ପୀ ସ୍ୱୟଂ ପାଢୀ  ଓ ସାଥୀ, ୧୫ରେ କଣ୍ଠଶିଳ୍ପୀ ସୁଜ୍ଞାନୀ ମହାପାତ୍ର ଓ  ୧୬ରେ ଅସୀମା ପଣ୍ଡା ସଙ୍ଗୀତ ପରିବେଷଣ କରିବାର  କାର୍ଯ୍ୟକ୍ରମ ରହିଛି । ଏଠାରେ ୩୦ଟି ଦୋଳି ସହ  ରାମଦୋଳି, ମୀନାବଜାର, ପାନ, ପିଠା ଷ୍ଟଲ ଲାଗିବ ।  ତରୁଣୀମାନଙ୍କ ମଧ୍ୟରେ ପୂଚି, ଝୋଟି, ମେହେନ୍ଦି,  ମ୍ୟୁଜିକ୍‌ ଚେୟାର, ତାସ ଭଳି ପ୍ରତିଯୋଗିତା ହେବ ।  ଏହି ଅବସରରେ  ଖଣ୍ଡଗିରି ହାଇସ୍କୁଲ ଓ ସରସ୍ୱତୀ  ଶିଶୁ ମନ୍ଦିରରେ ଏ-୧ ଗ୍ରେଡ୍‌ ପାଇଥିବା ୫ ମାଟ୍ରିକ୍‌  ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା ଦେବା ସହ ୧୦ ହଜାର ଟଙ୍କା  ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର  ମୁଖ୍ୟ ହିମାଂଶୁ ଶେଖର ଛୋଟରାୟ କହିଛନ୍ତି ।

ପାତ୍ରପଡ଼ାରେ ଲାଗିବ ୧୨୫ ଦୋଳି

ମହାରାଜା କ୍ରିକେଟ୍‌ ଆସୋସିଏସନ୍‌ ଓ  ପାତ୍ରପଡ଼ା ଭଗବାନପୁର ଯୁବ ବାହିନୀ   ମିଳିତ ଆନୁକୂଲ୍ୟରେ ପାଳିତ ହେବ ୧୬ତମ  ପାତ୍ରପଡ଼ା ରଜ ମହୋତ୍ସବ । ଏଥିରେ ମୁଖ୍ୟ ଆକର୍ଷଣ ରହିବ ୧୨୫ଟି ଦୋଳି । ଏହି ଉତ୍ସବ  ୧୪ରୁ ୧୭ ଜୁନ୍‌ ପର୍ଯ୍ୟନ୍ତ ପାଳିତ ହେବ ।  ଏଥିରେ ରାଧାକୃଷ୍ଣଙ୍କ ସ୍ୱତନ୍ତ୍ର ଦୋଳି ମଧ୍ୟ  ରହିବ । ନିମନ୍ତ୍ରିତ ଅତିଥିମାନେ ପ୍ରଥମେ ରାଧାକୃଷ୍ଣଙ୍କୁ ଦୋଳି ଖେଳାଇବେ । ଏଥିସହ  ତରୁଣୀମାନଙ୍କ ମଧ୍ୟରେ ପୋଡ଼ପିଠା, ପୂଚି,  ହୁଳହୁଳି, ଦଉଡ଼ି ଡିଆଁ, ମୁରୁଜ ପ୍ରତିଯୋଗିତା  ଆୟୋଜିତ ହେବ । ପୁଅମାନଙ୍କ ମଧ୍ୟରେ  ତାସ୍‌, ଚେସ୍‌ ଓ ଭଲିବଲ୍‌ ପ୍ରତିଯୋଗିତା  ହେବ । ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ  କାର୍ଯ୍ୟକ୍ରମ ଆୟୋଜିତ ହେବ । ମୀନାବଜାର  ପଡ଼ିବ । ଯେଉଁଠାରେ ବିଭିନ୍ନ ପ୍ରକାର ଷ୍ଟଲ  ଶୋଭାପାଇବ ବୋଲି ଆସୋସିଏସନ୍‌ର  ସମ୍ପାଦକ ରବିନ୍ଦ୍ର ନାଥ ସାହୁ କହିଛନ୍ତି ।

ଅଧିକ ପଢ଼ନ୍ତୁ :- Kalahandi NH-26 Accident : ଟ୍ରକ ଧକ୍କାରେ ୨ ଡ୍ରାଇଭର ମୃତ, ରାସ୍ତାକଡ଼ରେ ଠିଆ ହୋଇଥିବା ବେଳେ ଚଢିଗଲା ୧୬ ଚକିଆ