ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏଠାରେ ହାଇୱେରେ ଏକ ବସ୍ ଓଲଟି ପଡ଼ିବାରୁ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୪୫ ଜଣ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି। ତେବେ ସୂଚନା ପାଇବା ପରେ, ଜରୁରୀକାଳୀନ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ସହରର ଏକୁରହୁଲେନି ଜରୁରୀକାଳୀନ ପରିଚାଳନା ମୁଖପାତ୍ର ୱିଲିୟମ୍ ନଥ୍ଲାଡି କହିଛନ୍ତି ଯେ, ଜରୁରୀକାଳୀନ ଦଳର କର୍ମଚାରୀ ମାନେ ବସ୍ ତଳେ ଅନ୍ୟ କୌଣସି ପୀଡିତ ଫସି ରହିଛନ୍ତି କି ନାହିଁ ତାହା ଦେଖିବା ପାଇଁ ବସ୍କୁ ସିଧା କରିବା ପାଇଁ କାମ କରୁଛନ୍ତି। ଜୋହାନ୍ସବର୍ଗର ମୁଖ୍ୟ ଓଆର୍ ଟାମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ଏକ ରାଜପଥରେ ଏହି ଦୁର୍ଘଟଣା ଘଟିଛି।
ବସ୍ଟି ଜୋହାନ୍ସବର୍ଗର ପୂର୍ବରେ ଥିବା ଏକ ଟାଉନସିପ୍ କଟଲହୋଙ୍ଗରୁ ଲୋକଙ୍କୁ ନେଇ ଯାଉଥିଲା। ଦୁର୍ଘଟଣାସ୍ଥଳରୁ ୯ ଜଣ ପୁରୁଷ ଏବଂ ୩ ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଡାକ୍ତରଖାନାକୁ ନିଆଯାଇଥିବା ଲୋକଙ୍କ ମଧ୍ୟରେ ଡ୍ରାଇଭର ମଧ୍ୟ ଅଛନ୍ତି। ଦୁର୍ଘଟଣା ବାବଦରେ ପୋଲିସ ତଦନ୍ତ କରୁଛି।