ନୋଏଡା ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ଏକ ଅଭାବନୀୟ ଓ ହୃଦୟବିଦାରକ ଘଟଣା ଘଟିଛି। ଦକ୍ଷିଣ କୋରିଆର ଜଣେ ନାଗରିକଙ୍କୁ ଛୁରି ଭୁସି ହତ୍ୟା କରା ଯାଇଥିବା ବେଳେ, ତାଙ୍କ ଲିଭ୍-ଇନ୍ ସମ୍ପର୍କରେ ରହୁଥିବା ମଣିପୁରର ଯୁବତୀଙ୍କୁ ପୁଲିସ୍ କରିଛି ଗିରଫ । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଏହା ସହ ମଧ୍ୟ ପଢନ୍ତୁ :  ମହିଳା IAS ଅଫିସରଙ୍କ ଘରେ ଚାଲୁ ଥିଲା ସେକ୍ସ ରାକେଟ୍ , ୪ ଯୁବତୀଙ୍କ ସହ ଧରାପଡ଼ିଲେ ୫ ଯୁବକ

ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ନାମ ଡକ୍ ହି ୟୁହ (Duck Hee Yuh) ବୋଲି ଜଣାପଡ଼ିଛି। ସେ ଦକ୍ଷିଣ କୋରିଆର ଚୋଙ୍ଗଜୁ ସହରର ବାସିନ୍ଦା ଥିଲେ ଏବଂ ନୋଏଡାର ସେକ୍ଟର ୧୫୦ ଅଞ୍ଚଳରେ ଥିବା ଏକ ଆବାସିକ ଫ୍ଲାଟରେ ରହୁଥିଲେ। ସେ ଏକ ମୋବାଇଲ କମ୍ପାନୀର ମ୍ୟାନେଜର ଥିଲେ। ଗୌତମ ବୁଦ୍ଧ ନଗର ଜିଲ୍ଲା ଅନ୍ତର୍ଗତ ନୋଏଡାର ନଲେଜ୍ ପାର୍କ ଥାନା ଅଞ୍ଚଳରେ ଘଟଣାଟି ଘଟିଛି।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଡକ୍ ହି ୟୁହଙ୍କୁ ଆହତ ଅବସ୍ଥାରେ ସରକାରୀ ଇନଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ଜିଆଇଏମ୍ଏସ୍) ହସ୍ପିଟାଲକୁ ଆଣିଥିଲେ ତାଙ୍କ ଲିଭ୍-ଇନ୍ ପାର୍ଟନର ଲୁଞ୍ଜେନା ପାମାଇ। ହସ୍ପିଟାଲ୍ କର୍ତ୍ତୃପକ୍ଷ ଶରୀରରେ ସନ୍ଦେହଜନକ ଆଘାତ ଦେଖି ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ଡାକ୍ତରଙ୍କ ଦ୍ୱାରା ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ତଦନ୍ତ ବେଳେ ପୁଲିସ୍ ଜଣାଇଥିଲା ଯେ, ଲୁଞ୍ଜେନା ପାମାଇ ମଣିପୁରର ଅନ୍ତର୍ଗତ ଥଙ୍ଗାଲ୍ ଗାଁର ବାସିନ୍ଦା। ଦୀର୍ଘ ସମୟ ଧରି ଦୁଇଜଣ ଏକାଠି ଲିଭ୍-ଇନ୍ ସମ୍ପର୍କରେ ରହୁଥିଲେ। କିନ୍ତୁ ଦୁଇଜଣଙ୍କ ମଧ୍ୟରେ ବିବାଦ ହେବାରୁ ଲୁଞ୍ଜେନା ଛୁରିରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ୍ ପ୍ରାରମ୍ଭିକ ଜେରାରେ ଅଭିଯୁକ୍ତ ଯୁବତୀ ଏହାକୁ ସ୍ୱୀକାର କରିଛନ୍ତି ବୋଲି ସୂଚନା ମିଳିଛି।

ଏହି ଘଟଣା ପରେ ନଲେଜ୍ ପାର୍କ ଥାନାରେ ହତ୍ୟା ମାମଲାରେ ଏକ କେସ୍ ରୁଜୁ କରାଯାଇଛି ଏବଂ ଲୁଞ୍ଜେନା ପାମାଇଙ୍କୁ ଗିରଫ କରାଯାଇଛି। ପୁଲିସ୍ ଏହାର ପୂରା ତଦନ୍ତ ଜାରି ରଖିଛି ଏବଂ ହତ୍ୟାର ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା କରୁଛି। ଏହି ଘଟଣା ସମ୍ପର୍କରେ ବିଦେଶୀ ନାଗରିକଙ୍କ ସୁରକ୍ଷା ଓ ବ୍ୟକ୍ତିଗତ ସମ୍ପର୍କରେ ସୃଷ୍ଟି ହେଉଥିବା ବିବାଦ ଉପରେ ପ୍ରଶ୍ନ ଉଠାଇଛି।

ପୁଲିସ୍ କର୍ତ୍ତୃପକ୍ଷ ଏହି ମାମଲାରେ ଆହୁରି ତଥ୍ୟ ସଂଗ୍ରହ କରୁଛନ୍ତି। ଏହି ଘଟଣା ସମ୍ପର୍କରେ ଅଧିକ ସୂଚନା ମିଳିବା ପରେ ଆମେ ଆପଣଙ୍କୁ ଅବଗତ କରାଇବୁ।