ନୂଆଦିଲ୍ଲୀ,୨୮/୦୮: ଏଲନ ମସ୍କଙ୍କ କମ୍ପାନି ସ୍ପେସ୍‌ଏକ୍ସର ୧୦ମ ଷ୍ଟାର୍‌ସିପ୍‌ ରକେଟ୍‌ର ପରୀକ୍ଷଣ ସଫଳ। ଏଥିରେ ସଂଲଗ୍ନ ସୁପର୍‌ ହେଭି ବୁଷ୍ଟର୍‌ ମେକ୍ସିକୋ ଗଲ୍‌ଫରେ ନିୟନ୍ତ୍ରିତ ସ୍ଥିତିରେ ଜଳାବତରଣ କରିଛି । ଟେକ୍ସାସର ବୋକା ଚିକା ସ୍ଥିତ ସ୍ପେସ୍‌ଏକ୍ସର ଷ୍ଟାର୍‌ବେସ୍‌ ସେଣ୍ଟର୍‌ରୁ ରକେଟ୍‌ ଲଞ୍ଚ୍‌ ହୋଇଥିଲା।

ଏହି ଉଡ଼ାଣ ଜରିଆରେ ଷ୍ଟାର୍‌ସିପ୍‌ର ଉଭୟ ଅଂଶକୁ ବାରମ୍ବାର ଉପଯୋଗ କରିବା ପାଇଁ କମ୍ପାନିକୁ ସକାରାତ୍ମକ ଫଳ ମିଳିଛି । ରକେଟ୍‌ ଲଞ୍ଚ୍‌ର ତୁରନ୍ତ ପରେ ସୁପର୍‌ ହେଭି ବୁଷ୍ଟର୍‌ ଓ ଷ୍ଟାର୍‌ସିପ୍‌ର ଉପର ଅଂଶ ଅଲଗା ହୋଇଥିଲା । ଏହାପରେ ବୁଷ୍ଟର୍‌ ଆକାଶରେ ଘୂରି ଇଞ୍ଜିନ୍‌ ବର୍ନ କରିବା ସହିତ ଗତି ପଥରେ ନିୟନ୍ତ୍ରିତ ହୋଇଥିଲା  । ତେବେ କମ୍ପାନି ଏହି ପରୀକ୍ଷଣରେ ଭୂ-ପୃଷ୍ଠରେ ଅବତରଣ କିମ୍ବା ଟାୱାର ଦ୍ୱାରା ଧରିବାକୁ ଚେଷ୍ଟା କରିନଥିଲା । ବରଂ ବୁଷ୍ଟର୍‌କୁ ସମୁଦ୍ରରେ ଅବତରଣ କରିଥିଲା। ଏହି ମିଶନ୍‌ର ପୂର୍ବ ଉଡ଼ାଣମାନଙ୍କରେ କମ୍ପାନି ଧୀରେ ଧୀରେ ଷ୍ଟେଜ୍‌ ସେପାରେସନ୍‌, ହିଟ୍‌ ଶିଲ୍‌ଡର ଦୃଢ଼ତା ଓ ଇଞ୍ଜିନ୍‌ର ପ୍ରଦର୍ଶନ ଭଳି ଦିଗରେ ସୁଧାର କରିଥିଲା । ବୁଷ୍ଟର୍‌ ଓ ଷ୍ଟାର୍‌ସିପ୍‌ ଉଭୟକୁ ବାରମ୍ବାର ପ୍ରୟୋଗ କରିବା ସ୍ପେସ୍‌ଏକ୍ସର ଲକ୍ଷ୍ୟ, ଯାହା ଦ୍ୱାରା ଖର୍ଚ୍ଚ ବହୁତ କମିଯିବ । ପରବର୍ତ୍ତୀ ଉଡ଼ାଣରେ ବୁଷ୍ଟର୍‌କୁ ଭୂପୃଷ୍ଠରେ ଟାୱାର୍‌ ଦ୍ୱାରା କାବୁ କରିବାକୁ କରାଯିବ ଚେଷ୍ଟା ।