କଟକ, ୬।୯  : ଇନ୍‌ସର୍ଭିସ୍‌  ଶିକ୍ଷକମାନଙ୍କର ବହୁ ପ୍ରତୀକ୍ଷିତ ସ୍ପେସାଲ୍‌  ଓଟିଇଟି (ଓଡ଼ିଶା ଶିକ୍ଷକ ଯୋଗ୍ୟତା  ପରୀକ୍ଷା) ଆସନ୍ତା ୨୭ ତାରିଖରେ  ଅନୁଷ୍ଠିତ ହେବ । ମାଧ୍ୟମିକ ଶିକ୍ଷା  ପରିଷଦ(ବୋର୍ଡ)ଦ୍ୱାରା ପରିଚାଳିତ  ଏହି ପରୀକ୍ଷା ଦୁଇଟି ସିଟିଂରେ  ହେବ । ପେପର-୧ ପରୀକ୍ଷା ପ୍ରଥମ  ସିଟିଂ ସକାଳ ୯ଟାରୁ ଦିନ ୧୧ଟା  ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ ।  ସେହିପରି ପେପର-୨ ପରୀକ୍ଷା  ଅପରାହ୍ନ ୨ ଟାରୁ ଆରମ୍ଭ ହୋଇ  ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଶେଷ  ହେବ । ଏଥିଲାଗି ଆବେଦନକାରୀ  ଇନ୍‌ସର୍ଭିସ୍‌ ଶିକ୍ଷକମାନେ ଆସନ୍ତା ୧୭ ତାରିଖରୁ ବୋର୍ଡ ୱେବ୍‌ସାଇଟ୍‌ରୁ ସେମାନଙ୍କ ଆଡମିଟ୍‌  କାର୍ଡ ଡାଉନ୍‌ଲୋଡ୍‌ କରି ପାଇପାରିବେ ବୋଲି ସୂଚନା ଦିଆଯାଇଛି ।  

ଏହି ସ୍ପେସାଲ୍‌ ଓଟିଇଟି ପାଇଁ ରାଜ୍ୟରେ ୭୫ ହଜାରରୁ ଅଧିକ  ଇନ୍‌ସର୍ଭିସ ଶିକ୍ଷକ ଆବେଦନ କରିଛନ୍ତି । ଏଥିଲାଗି ୩୦ଟି ଜିଲ୍ଲାର  ୧୯୩ଟି ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଛି । ୧୫୦ ନମ୍ବର ବିଶିଷ୍ଟ ଏହି  ପରୀକ୍ଷା ଓଏମ୍‌ଆର ସିଟ୍‌ରେ ହେବ । ଭାଇରାଲ୍‌ ଓ କପି ନିୟନ୍ତ୍ରଣ  ପାଇଁ ପୂର୍ବ ପରି ପ୍ରତି ପ୍ରଶ୍ନପତ୍ରରେ କ୍ୟୁଆର୍‌ କୋର୍ଡ ଏବଂ ୱାଟର୍‌  ମାର୍କ ରହିବ । ପ୍ରଶ୍ନପତ୍ର ସୁରକ୍ଷିତ ଅବସ୍ଥାରେ କେନ୍ଦ୍ରରେ ପହଞ୍ଚିବା  ପାଇଁ ବୋର୍ଡ କାର୍ଯ୍ୟାଳୟରୁ ପ୍ରଶ୍ନପତ୍ର ପ୍ୟାକେଟ୍‌ଗୁଡ଼ିକ ଡିଜିଟାଲ୍‌  ଲକର୍‌ରେ ଯିବ । ସୂଚନାଯୋଗ୍ୟ, ପରୀକ୍ଷା ଆଗ ଦିନ ପ୍ରଶ୍ନପତ୍ର  ଭାଇରାଲ୍‌ ହେବାରୁ ଗତ ଜୁଲାଇ ୨୦ରେ ହେବାକୁ ଥିବା ଓଟିଇଟି  ସ୍ଥଗିତ ରହିଥିଲା ।

ଅଗଷ୍ଟ ୩୧ ତାରିଖରେ ଉକ୍ତ ପରୀକ୍ଷା ହେବ ବୋଲି  ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ପ୍ରସ୍ତୁତି ଶେଷ ହୋଇ  ନ ଥିବାରୁ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ପୁଣି ବୋର୍ଡକର୍ତ୍ତୃପକ୍ଷ ସ୍ଥଗିତ ରଖିଥିଲେ । ଏବେ ସେପ୍ଟେମ୍ବର ୨୭ରେ ଓଟିଇଟି  ପାଇଁ ସମୟ ଧାର୍ଯ୍ୟ କରାଯାଇଥିବାରୁ ଇନ୍‌ସର୍ଭିସ୍‌ ଶିକ୍ଷକମାନେ  ଆଶାବାଦୀ ରହିଛନ୍ତି ।