ଭୁବନେଶ୍ୱର,୧୧/୦୪: ଏପ୍ରିଲର ହାଲୁକା ଶୀତ  ଏବଂ ପ୍ରସ୍ଫୁଟିତ ବସନ୍ତ ଋତୁ, ବରଫରେ ଆଚ୍ଛାଦିତ ହିମାଳୟ ଶିଖର, ସେଓ ଗଛରେ ଫୁଲର ବାଦାମୀ ଚାଦର  ଏବଂ ସବୁଜ ଘାସ । ଏହା ଆଉ କେବଳ ସ୍ୱପ୍ନ ହୋଇ  ରହିବ ନାହିଁ । ଖୁବ୍‌ଶୀଘ୍ର ଜମ୍ମୁ କାଶ୍ମୀର ପାଇଁ ସ୍ୱତନ୍ତ୍ର  ଭାବେ ଡିଜାଇନ୍‌ ହୋଇଥିବା ବନ୍ଦେ ଭାରତ ଟ୍ରେନ୍‌ରେ  ଯାତ୍ରା କରିବା ସମୟରେ ଏସବୁ ପ୍ରତ୍ୟକ୍ଷ ଭାବେ ଦେଖିବେ  ଯାତ୍ରୀ । ଯେତେବେଳେ ଟ୍ରେନ୍‌ ପାହଲ୍‌ଗମ୍‌ର ଘାଟି ଦେଇ  ଯିବ, ସବୁଜିମାରେ ପରିପୂର୍ଣ୍ଣ ପ୍ରାକୃତିକ ଦୃଶ୍ୟ, ବିସ୍ତୃତ  ପାଇନ୍‌ ଜଙ୍ଗଲ ଏବଂ ମେଷପାଳକଙ୍କ ଝଲକ୍‌ ଯାତ୍ରୀଙ୍କ ମନ ମୋହିବ । ଦେଓଦର ଜଙ୍ଗଲର ଶାନ୍ତ ନୀରବତା ମଧ୍ୟ ଦେଇ  ‘ବନ୍ଦେ ଭାରତ’ ସହିତ ଯାତ୍ରୀ ଖୁବ୍‌ଶୀଘ୍ର ପ୍ରଯୁକ୍ତିବିଦ୍ୟା  ଏବଂ ପ୍ରକୃତିର ଏକ ମନୋରମ ମିଶ୍ରଣକୁ ଅନୁଭବ  କରିବେ । 

ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ଅଧୀନରେ  ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରିରେ  ନିର୍ମିତ ଏହି  ସେମି ହାଇସ୍ପିଡ୍‌ ଟ୍ରେନ୍‌  ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ଟେକ୍ନୋଲୋଜି ଏବଂ ଟପ୍‌  ଟିୟର ସୁବିଧାରେ ପରିପୂର୍ଣ୍ଣ । ଉଭୟ ବେଗ ଏବଂ ଆରାମ  ପାଇଁ ଡିଜାଇନ୍‌ ଏହି ଟ୍ରେନ୍‌ ନିରାପତ୍ତା ସହ ଦକ୍ଷ ଯାତ୍ରାକୁ  ସୁନିଶ୍ଚିତ କରିଥାଏ । ଭାରତୀୟ ରେଳର ଏହି ଉଲ୍ଲେଖନୀୟ  ନବସୃଜନ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ ଏବଂ  ପ୍ରମାଣିତ କରିବ ଯେ, ନୂଆ ଭାରତର ଇଞ୍ଜିନିୟରିଂ ପ୍ରକୃତ  ଭାବେ ଅସାଧାରଣ । ଜମ୍ମୁ କାଶ୍ମୀର ଭଳି ଶୀତଳ ସ୍ଥାନରେ  ନିର୍ବିଘ୍ନ ରେଳ ଚଳାଚଳକୁ ସୁନିଶ୍ଚିତ କରିବା ପାଇଁ ଏହି  ବନ୍ଦେ ଭାରତ ଟ୍ରେନ୍‌ରେ ସିଲିକନ୍‌ ହିଟିଂ ପ୍ୟାଡ୍‌, ହିଟେଡ୍‌  ପ୍ଲମ୍ବିଂ ପାଇପ୍‌ଲାଇନ୍‌, ଅଟୋ ଡ୍ରେନିଂ ମେକାନିଜମ୍‌ ଭଳି  ଅନେକ ବୈଶିଷ୍ଟ୍ୟ ରହିଥିବା ଜଣାପଡ଼ିଛି ।