ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ପ୍ରୟାଗରାଜ, ୧୮।୬: ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣ ମାମଲାରେ ପ୍ରୟାଗରାଜର ଏକ ସ୍ବତନ୍ତ୍ର କୋର୍ଟ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ସେଭଳି କୋର୍ଟ ଏକ ଅଭିଯୁକ୍ତକୁ ମଧ୍ୟ ଖଲାସ କରିଛନ୍ତି। ୫ ଜୁଲାଇ ୨୦୦୫ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ରାମଜନ୍ମଭୂମି ପରିସରରେ ହୋଇଥିଲା। ଏହି ମାମଲାର ଶୁଣାଣି ପ୍ରୟାଗରାଜ ନୈନୋ ସେଣ୍ଟ୍ରାଲ ଜେଲରେ ହୋଇଥିଲା। ମାମଲାର ଶୁଣାଣି ସ୍ବତନ୍ତ୍ର ବିଚାରପତି ଏସସି/ଏସଟି ଦିନେଶ ଚନ୍ଦ୍ର କରିଥିଲେ। ଉଲ୍ଲେଖନୀୟ ଯେ, ଏହି ମାମଲାରେ ୫ ଜଣ ଅଭିଯୁକ୍ତ ଦୀର୍ଘ ବର୍ଷ ହେବ ନୈନୋ ସେଣ୍ଟ୍ରାଲ ଜେଲରେ ଥିଲେ। ୧୪ ବର୍ଷ ଧରି ମାମଲାର ଟ୍ରାଏଲ ଚାଲିଥିଲା। ଏହି ଶୁଣାଣିରେ ୬୩ ଜଣ ଲୋକଙ୍କ ସାକ୍ଷୀ ନିଆଯାଇଥିବା ବେଳେ, ବାରମ୍ବାର ଭିଡିଓ କନଫ୍ରେନ୍ସିଂ ଜରିଆରେ ମାମଲାର ଶୁଣାଣି କରାଯାଇଥିଲା।
ଉଲ୍ଳେଖନୀୟ ଯେ, ଏହି ଆକ୍ରମଣ ସେତେବେଳେ ହୋଇଥିଲା ଯେଉଁ ସମୟରେ ରାମଜନ୍ମଭୂମି-ବାବ୍ରି ମସଜିଦ କମ୍ପଲେକ୍ସରେ କଡା ସୁରକ୍ଷାବଳୟ ରହିଥିଲା। ଲସ୍କର-ଇ-ତୋଇବାର ଆତଙ୍କବାଦୀମାନେ ଏହାକୁ ଟାର୍ଗେଟ କରିଥିଲେ। ସମସ୍ତ ଆତଙ୍କବାଦୀ ନେପାଳ ବାଟ ଦେଇ ଭାରତ ପଶିଥଲେ। ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ। ସକାଳେ ଅଯୋଧ୍ୟାର ଜୈନ ମନ୍ଦିର ନିକଟରେ ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଥିଲେ। ଏହାପରେ ଆତଙ୍କବାଦୀମାନେ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଅଯୋଧ୍ୟାର ବିଭିନ୍ନ ସ୍ଥାନରେ ବିସ୍ଫୋରଣ, ଗ୍ରେନେଡ, ହାତବୋମା ମାଡ଼ କରିବା ସହ ଏକେ-୪୭ ବନ୍ଧୁକରୁ ଆଖୁ ବୁଜା ଗୁଳି ମାଡ଼ କରିଥିଲେ। ଏଥିରେ ଜୈନ ମନ୍ଦିର କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଅନେକ ସୁରକ୍ଷା କର୍ମୀ ଓ ସାଧାରଣ ଲୋକ ହୋଇଥିଲେ। ସୁରକ୍ଷା କର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ପୁଲିସ୍ ଓ ଏନଆଇଏ ୫ ଜଣଙ୍କୁ ଗିରଫ କରିଥିଲେ। ଏହି ମାମଲାରେ ଅଭିଯୁକ୍ତ ଡ.ଇର୍ଫାନ, ମହମ୍ମଦ ସକିଲ, ମହମ୍ମଦ ନସିମ ଏବଂ ଫାରୁକ ଦୋଷୀ ସାବ୍ୟସ୍ତ ହୋଇଥିଲା ବେଳେ ମହମ୍ମଦ ଅଜୀଜକୁ ଖଲାସ କରାଯାଇଛି।