ଭୁବନେଶ୍ୱର – ସମସ୍ତେ ଚାହାନ୍ତି ନିଜ ବାହାଘରକୁ ଧୂମଧାମରେ କରିବେ ଓ ବନ୍ଧୁ ସଂପର୍କୀୟଙ୍କୁ ଉତ୍ତମ ଭୋଜିରେ ଆପାୟିତ କରିବେ । କିନ୍ତୁ ଓଡ଼ିଶାର ଏକ ଦମ୍ପତି ଏକ ନିଆରା କାମ କରିଥିଲେ । ଉଭୟ ବିବାହ ଦିନ କିଛି ଭିନ୍ନ କରିବାକୁ ଭାବିଥିଲେ । ଯେବେ ୨୫ ସେପ୍ଟେମ୍ୱରରେ ଭୁବନେଶ୍ୱରର ୟୁରେକା ଆପ୍ଟା ଓ ଜୋଆନା ୱାଙ୍ଗ୍ ବିବାହ କଲେ , ସେ ସହରରେ ପାଖାପାଖି ୫୦୦ ବୁଲା କୁକୁରଙ୍କ ପାଇଁ ଏକ ବିଶେଷ ଭୋଜନର ବ୍ୟବସ୍ଥା କରିଥିଲେ।

ସୂଚନା ଯେ , ୟୁରେକା ଆପ୍ଟା ଜଣେ ପାଇଲଟ ଓ ଫିଲ୍ମ ପ୍ରଯୋଜକ । ଜୋଆନ୍ ୱାଙ୍ଗ ଜଣେ ଦାନ୍ତ ଚିକିତ୍ସକ । ବିବାହ ଦିନ ଦମ୍ପତି ଭୁବନେଶ୍ୱରରେ ୫୦୦ରୁ ଅଧିକ ବୁଲା କୁକୁରଙ୍କୁ ଖୁଆଇବା ପାଇଁ ଏକ ସ୍ଥାନୀୟ ପଶୁ ସୁରକ୍ଷା ସଙ୍ଗଠନ ସହ ଯୋଗାଯୋଗ କରିଥିଲେ । ୨୫ ସେପ୍ଟେମ୍ୱରରେ ଯେବେ ବିବାହ ହେଲା ତ ପଶୁ କଲ୍ୟାଣ ଟ୍ରଷ୍ଟ ଏକମରା ( Animal Welfare Trust Ekmara) ର ସ୍ୱୟଂସେବକମାନେ ତାଙ୍କ ତରଫରୁ ବୁଲା କୁକୁରଙ୍କୁ ଖାଦ୍ୟ ଖୁଆଇ ଥିଲେ ।
ଆପ୍ଟା ଏନଡିଟିଭିକୁ କହିଛନ୍ତି , ଲକ୍ଡାଉନ୍ରେ ଆମର ଜଣେ ବନ୍ଧୁ , ସୁକନ୍ୟା ପତି ଏକ ବୁଲା କୁକୁରକୁ ବଞ୍ଚାଇ ଥିଲେ , ଯିଏକି ଦୁର୍ଘଟଣାରେ ଆହତ ହୋଇଥିଲା । ମୁଁ ଜୋଆନଙ୍କ ସହ ମିଶି ଏକ ବୁଲା କୁକୁରର ଚିକିତ୍ସା ଜଣେ ପଶୁ ଚିକିତ୍ସକ ହସ୍ପିଟାଲରେ କରିଥିଲୁ । ପରେ ଆମେ ଏହାକୁ ଏନିମଲ ୱେଲଫେୟାର ଟ୍ରଷ୍ଟ ଏକମରାକୁ ନେଇ ଯାଇଥିଲୁ । ଯାହାକି ଏକ ଡଗ୍ ଶେଲଟର ହୋମ୍ ଥିଲା । ଯେତେବେଳେ ଆମେ ଦୁହେଁ ୩ବର୍ଷର ରିଲେସନସିପ୍ ପରେ ବିବାହ କରିବାର ନିଷ୍ପତ୍ତି ନେଲୁ , ଆମେ ମନ୍ଦିରରେ ସାଧାରଣ ଭାବେ ବିବାହ କଲୁ ଏବଂ କୁକୁରଙ୍କ ପାଇଁ କିଛି ବିଶେଷ କରିବାକୁ ଭାବିଲୁ ।