କଟକ,୩୦/୦୫: କାର୍ଯ୍ୟରତ ଶିକ୍ଷକଙ୍କ ଲାଗି ସ୍ପେସାଲ୍ ଓଟିଇଟି (ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା) ଆସନ୍ତା ଜୁଲାଇ ୨୦ ତାରିଖ ରବିବାର ଅନୁଷ୍ଠିତ ହେବ । ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂରେ ପେପର-୧ ଏବଂ ଅପରାହ୍ନ ୨ଟାରୁ ୪.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପେପର-୨ ପରୀକ୍ଷା ହେବ । ପରୀକ୍ଷାର୍ଥୀମାନଙ୍କୁ ଅନ୍ଲାଇନ୍ରେ ଆଡମିଟ୍ କାର୍ଡ ଯୋଗାଇ ଦିଆଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯେଉଁମାନେ ପଢ଼ିପାରିବେନି କିମ୍ବା ଲେଖିପାରିବେନି ସେମାନେ ଆବଶ୍ୟକ କାଗଜପତ୍ର ସହିତ ପରୀକ୍ଷାର ୪ ଦିନ ପୂର୍ବରୁ ନିଜ ନିଜ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ୍ଙ୍କ ସହିତ ଯୋଗାଯୋଗ କରିପାରିବେ । ଆବଶ୍ୟକ ସ୍ଥଳେ ସୁପରିଣ୍ଟେଣ୍ଡେଣ୍ଟ୍ ଉକ୍ତ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷାରେ ଲେଖିବାକୁ ଜଣେ ସହାୟକଙ୍କୁ ଅନୁମତି ଦେଇପାରିବେ ।
ସୂଚନାଯୋଗ୍ୟ, ପ୍ରାଥମିକ ବିଦ୍ୟାଳୟ ସ୍ତରରେ କାର୍ଯ୍ୟରତ ଶିକ୍ଷକ, ଗଣଶିକ୍ଷକ ଓ ଅନୁଦାନପ୍ରାପ୍ତ ସ୍କୁଲ ସମେତ ସ୍ୱୀକୃତିପ୍ରାପ୍ତ ଅନ୍ୟ ଘରୋଇ ବିଦ୍ୟାଳୟର ଶିକ୍ଷକମାନେ ଓଟିଇଟି ପାସ୍ କରି ପାରୁ ନଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବୋର୍ଡ ପକ୍ଷରୁ ସ୍ପେସାଲ ଓଟିଇଟି ଆୟୋଜନ କରାଯାଉଛି । ଶିକ୍ଷକମାନଙ୍କୁ ବୋର୍ଡ ୱେବ୍ସାଇଟ୍ରେ ଆବେଦନ ଲାଗି ସୁଯୋଗ ଦିଆଯାଇଛି । ବିଶେଷକରି ଗଣଶିକ୍ଷକମାନେ ଓଟିଇଟି ପାସ୍ କରି ପାରୁ ନଥିବାରୁ ସେମାନଙ୍କର ଇନ୍କ୍ରିମେଣ୍ଟ୍, ପଦୋନ୍ନତି ଆଦି ସମସ୍ୟା ଉପୁଜୁଛି । ଏଣୁ ଇଚ୍ଛାଧୀନ ଅନୁସାରେ ଶିକ୍ଷକମାନେ ପେପର-୧ ଓ ପେପର-୨ ପରୀକ୍ଷା ପାଇଁ ଆବେଦନ କରିବାକୁ ସୁଯୋଗ ଦିଆଯାଇଥିଲା ।
ଜୁଲାଇ ୨୦ ତାରିଖରେ ହେବାକୁ ଥିବା ଦୁଇଟି ଯାକ ପେପର୍ ଦେଢ଼ ଶହ ନମ୍ବର ଲେଖାଏଁ ପରୀକ୍ଷା ହେବ । ସାଧାରଣ ବର୍ଗର ଶିକ୍ଷକମାନଙ୍କ ଲାଗି ପାସ୍ ନମ୍ବର ୯୦ ରହିଛି । ବାକି ଏସ୍ସି, ଏସ୍ଟି, ଓବିସି ଓ ଶାରୀରିକ ଅକ୍ଷମ ଶିକ୍ଷକଙ୍କ ପାଇଁ ପାସ୍ ମାର୍କ ୭୫ ରଖାଯାଇଛି । ଆଡ୍ମିଟ୍ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ସାଇଟ୍ www.bseodisha.ac.in ରେ ଜୁଲାଇ ମାସ ୧୨ ତାରିଖରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି ।