କଟକ,୩୦/୦୫: କାର୍ଯ୍ୟରତ ଶିକ୍ଷକଙ୍କ ଲାଗି  ସ୍ପେସାଲ୍‌ ଓଟିଇଟି (ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା  ପରୀକ୍ଷା) ଆସନ୍ତା ଜୁଲାଇ ୨୦ ତାରିଖ ରବିବାର  ଅନୁଷ୍ଠିତ ହେବ । ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ  ପ୍ରଥମ ସିଟିଂରେ ପେପର-୧ ଏବଂ ଅପରାହ୍ନ ୨ଟାରୁ  ୪.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପେପର-୨ ପରୀକ୍ଷା  ହେବ । ପରୀକ୍ଷାର୍ଥୀମାନଙ୍କୁ ଅନ୍‌ଲାଇନ୍‌ରେ ଆଡମିଟ୍‌  କାର୍ଡ ଯୋଗାଇ ଦିଆଯିବ ବୋଲି ମାଧ୍ୟମିକ ଶିକ୍ଷା  ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି ।  ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯେଉଁମାନେ ପଢ଼ିପାରିବେନି କିମ୍ବା  ଲେଖିପାରିବେନି ସେମାନେ ଆବଶ୍ୟକ କାଗଜପତ୍ର  ସହିତ ପରୀକ୍ଷାର ୪ ଦିନ ପୂର୍ବରୁ ନିଜ ନିଜ ପରୀକ୍ଷା  କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ସହିତ ଯୋଗାଯୋଗ କରିପାରିବେ । ଆବଶ୍ୟକ ସ୍ଥଳେ ସୁପରିଣ୍ଟେଣ୍ଡେଣ୍ଟ୍‌  ଉକ୍ତ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷାରେ ଲେଖିବାକୁ ଜଣେ  ସହାୟକଙ୍କୁ ଅନୁମତି ଦେଇପାରିବେ ।  

ସୂଚନାଯୋଗ୍ୟ, ପ୍ରାଥମିକ ବିଦ୍ୟାଳୟ ସ୍ତରରେ  କାର୍ଯ୍ୟରତ ଶିକ୍ଷକ, ଗଣଶିକ୍ଷକ ଓ ଅନୁଦାନପ୍ରାପ୍ତ ସ୍କୁଲ  ସମେତ ସ୍ୱୀକୃତିପ୍ରାପ୍ତ ଅନ୍ୟ ଘରୋଇ ବିଦ୍ୟାଳୟର  ଶିକ୍ଷକମାନେ ଓଟିଇଟି ପାସ୍‌ କରି ପାରୁ ନଥିବାରୁ  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବୋର୍ଡ  ପକ୍ଷରୁ ସ୍ପେସାଲ ଓଟିଇଟି ଆୟୋଜନ କରାଯାଉଛି ।  ଶିକ୍ଷକମାନଙ୍କୁ ବୋର୍ଡ ୱେବ୍‌ସାଇଟ୍‌ରେ ଆବେଦନ ଲାଗି  ସୁଯୋଗ ଦିଆଯାଇଛି । ବିଶେଷକରି ଗଣଶିକ୍ଷକମାନେ  ଓଟିଇଟି ପାସ୍‌ କରି ପାରୁ ନଥିବାରୁ ସେମାନଙ୍କର  ଇନ୍‌କ୍ରିମେଣ୍ଟ୍‌, ପଦୋନ୍ନତି ଆଦି ସମସ୍ୟା ଉପୁଜୁଛି ।  ଏଣୁ ଇଚ୍ଛାଧୀନ ଅନୁସାରେ ଶିକ୍ଷକମାନେ ପେପର-୧ ଓ  ପେପର-୨ ପରୀକ୍ଷା ପାଇଁ ଆବେଦନ କରିବାକୁ ସୁଯୋଗ  ଦିଆଯାଇଥିଲା ।

ଜୁଲାଇ ୨୦ ତାରିଖରେ ହେବାକୁ ଥିବା  ଦୁଇଟି ଯାକ ପେପର୍‌ ଦେଢ଼ ଶହ ନମ୍ବର ଲେଖାଏଁ  ପରୀକ୍ଷା ହେବ । ସାଧାରଣ ବର୍ଗର ଶିକ୍ଷକମାନଙ୍କ  ଲାଗି ପାସ୍‌ ନମ୍ବର ୯୦ ରହିଛି । ବାକି ଏସ୍‌ସି, ଏସ୍‌ଟି,  ଓବିସି ଓ ଶାରୀରିକ ଅକ୍ଷମ ଶିକ୍ଷକଙ୍କ ପାଇଁ ପାସ୍‌ ମାର୍କ  ୭୫ ରଖାଯାଇଛି । ଆଡ୍‌ମିଟ୍‌ କାର୍ଡ ମାଧ୍ୟମିକ ଶିକ୍ଷା  ପରିଷଦର ୱେବ୍‌ସାଇଟ୍‌ www.bseodisha.ac.in ରେ ଜୁଲାଇ ମାସ ୧୨ ତାରିଖରେ ଉପଲବ୍ଧ  ହେବ ବୋଲି ସୂଚନା ରହିଛି ।