କଟକ,୧୮/୦୮: ସ୍ପେସାଲ୍ ଓଟିଇଟି ପ୍ରଶ୍ନ ଲିକ୍ ମାମଲା। ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଘୁଞ୍ଚିଲା । କେସ୍ ଡାଇରୀ ଦାଖଲ ପାଇଁ ସମୟ ନେଲା କ୍ରାଇମବ୍ରାଞ୍ଚ। କଟକ ଏଡିଜେ କୋର୍ଟ ଆସନ୍ତା ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ଅନ୍ୟପଟେ ଆଉ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ଉଗାରିବାକୁ ତଦନ୍ତକାରୀ ଟିମ ଯୋଜନା କରିଛି। ଏଥିପାଇଁ କ୍ରାଇମ୍ବ୍ରାଞ୍ଚ ଖୁବଶୀଘ୍ର ଆବେଦନ କରିବ।
ସୂଚନା ଅନୁଯାୟୀ, OTET ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଆଗକୁ ବୋର୍ଡର ପୂର୍ବତନ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ରିମାଣ୍ଡରେ ନେବାକୁ ଯୋଜନା ରଖିଛି ତଦନ୍ତକାରୀ ଟିମ୍। ଗିରଫ ନିହାରଙ୍କ ସହ ଜିତନର ଲିଙ୍କ୍ ସମ୍ପର୍କରେ ତଦନ୍ତକାରୀ ଟିମ୍ ପାଖରେ ଗଦାଗଦା ପ୍ରମାଣ ଥିବାରୁ ସେ ଜେରା ସମୟରେ ମିଛ କହିବାକୁ ଚେଷ୍ଟା କରିଥିଲେ ମଧ୍ୟ ମିଛ ଧରା ପଡ଼ିଯାଇଥିଲା । ଅନ୍ୟପକ୍ଷରେ ପ୍ରଶ୍ନପତ୍ର ଚୋରି କରିବା ପୂର୍ବରୁ ଜିତନ୍ ସହ ଅନେକ କିଛି ଶିକ୍ଷକ ନେତା ଯୋଗାଯୋଗରେ ଥିବା ତା'ର କଲ୍ ଡିଟେଲ୍ସ୍ ରିପୋର୍ଟ (ସିଡିଆର୍)ରୁ ପ୍ରମାଣ ମିଳିଛି । ସିଡିଆର୍ରୁ ମିଳିଥିବା ତଥ୍ୟ ଆଧାରରେ ଜେରା ଚାଲିଥିବାରୁ ଅକଳରେ ପଡ଼ି ଜିତନ ଅନେକ କଥା ତଦନ୍ତକାରୀ ଅଫିସରଙ୍କ ନିକଟରେ ସ୍ୱୀକାର କରିଥିବା ସୂଚନା ମିଳିଛି । ବିଶେଷ କରି ନିହାରଙ୍କ ସିଣ୍ଡିକେଟ୍ରେ ଆଉ କେଉଁମାନେ ଅଛନ୍ତି ତାହା ଜାଣିବା ପାଇଁ କ୍ରାଇମ୍ବ୍ରାଞ୍ଚ ଗୁରୁତ୍ୱ ଦେଇଥିଲା । ନିହାରଙ୍କ ସହ କିଛି ଶିକ୍ଷକଙ୍କର ଯୋଗାଯୋଗ ଥିବା ଜିତନ କହିବା ପରେ କେଉଁ ଶିକ୍ଷକଙ୍କ ସହ ତାଙ୍କର ଲିଙ୍କ୍ ଥିଲା ତାହା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ୍ର ଅନ୍ୟ ଏକ ଟିମ୍ ଖୋଳତାଡ଼ ଚଳାଇଛି । ତେବେ ତଦନ୍ତ ଅଗ୍ରଗତିରେ ଥିବା ବେଳେ କୋର୍ଟରେ କେସ୍ ଡାଏରୀ ଦାଖଲ କରିପାରିନାହିଁ କ୍ରାଇମବ୍ରାଞ୍ଚ । ଯାହାକୁ ଆଧାର କରି କୋର୍ଟରେ ଅଧିକ ସମୟ ମାଗିଛି କ୍ରାଇମବ୍ରାଞ୍ଚ । କୋର୍ଟ ଉକ୍ତ ମାମଲାର ଶୁଣାଣି ଓ ତଥ୍ୟକୁ ଗ୍ରହଣ କରି ଆସନ୍ତା ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ।