ଚନ୍ଦକା,୧୫ା୭(ଆ:ପ୍ର): ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ହରିଣ ବୋଝ ପାଲିଟିଛନ୍ତି । ପ୍ରାଣୀ ଉଦ୍ୟାନରେ ହୁହୁ ହୋଇ ବଢ଼ି ଚାଲିଛି ହରିଣଙ୍କ ସଂଖ୍ୟା । ପାଞ୍ଚବର୍ଷ ତଳେ ୧୦୦ରୁ କମ୍ ଥିବା ଚିତ୍ରା ହରିଣଙ୍କ ସଂଖ୍ୟା ଏବେ ୧୬ ଶହରୁ ଅଧିକ ହେଲାଣି । ଏତେ ସଂଖ୍ୟକ ହରିଣଙ୍କୁ ପ୍ରାଣୀ ଉଦ୍ୟାନର ସଙ୍କୁଚିତ ପରିବେଶରେ ରଖିବା କର୍ତ୍ତୃପକ୍ଷଙ୍କ ପାଇଁ ବଡ଼ ବୋଝ ପାଲଟିଛି ।
ନନ୍ଦନକାନରେ ହରିଣମାନେ ରହୁଥିବା ଖୁଆଡ଼ ଓ ତୃଣଭୋଜି ସଫାରିରେ ଆଉ ସ୍ଥାନ ନାହିଁ । ହରିଣ ରହିବା ସ୍ଥାନ ସଙ୍କୁଚିତ ଯୋଗୁଁ ପରସ୍ପର ମଧ୍ୟରେ ସଂଘର୍ଷ କରୁଛନ୍ତି । ଫଳରେ ବହୁ ହରିଣଙ୍କ ମୃତ୍ୟୁ ହେଉଛି । କେବଳ ଏତିକି ନୁହେଁ ସଂଖ୍ୟାଧିକ ଯୋଗୁ ଖାଦ୍ୟ-ପାନୀୟ ମଧ୍ୟ ସେମାନଙ୍କୁ ପର୍ଯ୍ୟାପ୍ତ ହେଉନାହିଁ । ଗତ ସପ୍ତାହରେ ଦାନା ଗାଡ଼ି ଖରାପ ହେବାରୁ ହରିଣମାନେ ଦିନସାରା ଉପବାସରେ ରହିଥିଲେ ।
ତେବେ ବର୍ତ୍ତମାନ ହରିଣଙ୍କ ସଂଖ୍ୟା ଅଧିକ ହେଉଥିବାରୁ କର୍ତ୍ତୃପକ୍ଷ ସେମାନଙ୍କୁ ସ୍ଥାନାନ୍ତର କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ସ୍ଥାନ ମଧ୍ୟ ଚିହ୍ନଟ ହୋଇଛି । ନନ୍ଦନକାନନ ପଛଗେଟ୍(ଦାରୁଠେଙ୍ଗ)ପାଖ ତୃଣଭୋଜୀ ସଫାରୀ ପର୍ଯ୍ୟନ୍ତ ବିସ୍ତୃତ ଜଙ୍ଗଲିଆ ଅଞ୍ଚଳରେ ପ୍ରାୟ ୧୦ରୁ ୧୨ ଏକର ପରିମିତ ଜମି ହେବ ହରିଣଙ୍କ ନୂଆ ଘର । ସେଠାରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଚାଷ କରାଯିବ । ପାନୀୟ ଜଳ ଓ ମୁକ୍ତ ଆକାଶ ତଳେ ହରିଣମାନେ ବସବାସ କରିବେ ।