ନୂଆଦିଲ୍ଲୀ, ୧୯।୫: ଭାରତୀୟ ବାୟୁସେନା ଇତିହାସରେ ଯୋଡ଼ି ହୋଇଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ସ୍କ୍ୱାଡ୍ରନ ଲିଡର ସାନ୍ୟା ପ୍ରତିଷ୍ଠିତ 'କ୍ୟାଟେଗୋରୀ-ଏ' ଯୋଗ୍ୟ ଉଡ଼ାଣ ପ୍ରଶିକ୍ଷକ (QFI- Qualified Flying Instructor) ଯୋଗ୍ୟତା ହାସଲ କରିବାରେ ଦେଶର ପ୍ରଥମ ମହିଳା ସେନା ଅଧିକାରୀ ହେବାର ଗୌରବ ଅର୍ଜନ କରିଛନ୍ତି । ବାୟୁସେନା ପକ୍ଷରୁ ସୋମବାର ଏହି ସୂଚନା ଦିଆଯିବା ସହ ସ୍କ୍ୱାଡ୍ରନ ଲିଡର ସାନ୍ୟାଙ୍କର ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ସମଗ୍ର ବାୟୁସେନା ପରିବାର ଗର୍ବିତ ବୋଲି କୁହାଯାଇଛି । ଏହି ସଫଳତା ଅବସରରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏ.ପି. ସିଂହ ସ୍କ୍ୱାଡ୍ରନ ଲିଡର ସାନ୍ୟାଙ୍କୁ ସମ୍ମାନିତ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ବାୟୁସେନା ଏହି ସମ୍ମାନନୀୟ ମୁହୂର୍ତ୍ତର କିଛି ଫଟୋ ସେୟାର କରି ସାନ୍ୟାଙ୍କୁ ଅଭିନନ୍ଦନ ଜଣାଇଛି ।
ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ: IAF
ଭାରତୀୟ ବାୟୁସେନା ନିଜ ପୋଷ୍ଟରେ ଲେଖିଛି, "ସ୍କ୍ୱାଡ୍ରନ ଲିଡର ସାନ୍ୟା ପ୍ରତିଷ୍ଠିତ କ୍ୟାଟେଗୋରୀ-ଏ କ୍ୱାଲିଫାଇଡ୍ ଫ୍ଲାଇଙ୍ଗ୍ ଇନଷ୍ଟ୍ରକ୍ଟର (QFI) ଯୋଗ୍ୟତା ହାସଲ କରି ପ୍ରଥମ ମହିଳା ଅଧିକାରୀ ଭାବେ ଏକ ଐତିହାସିକ ସଫଳତା ପାଇଛନ୍ତି । ତାଙ୍କର ଏହି ସଫଳତା କଠିନ ପରିଶ୍ରମ, ନିଷ୍ଠା ଏବଂ ସର୍ବୋଚ୍ଚ ପ୍ରଦର୍ଶନର ପ୍ରତୀକ ।" ଏହା କେବଳ ବାୟୁସେନା ପାଇଁ ଗର୍ବର ବିଷୟ ନୁହେଁ, ବରଂ ସାରା ଦେଶରେ ବିମାନ ଚାଳନା କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିବା ଏବଂ ଦେଶସେବା ପାଇଁ ଆଗ୍ରହୀ ଥିବା ଲକ୍ଷ ଲକ୍ଷ ଯୁବତୀ ଓ ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣାର ଉତ୍ସ ସାଜିବ । ସୂଚନାଯୋଗ୍ୟ ଯେ, ସାନ୍ୟା ପ୍ରାୟ ୧୦ ବର୍ଷ ପୂର୍ବେ ଭାରତୀୟ ବାୟୁସେନାରେ କମିଶନ ପାଇ ସେବାରେ ଯୋଗ ଦେଇଥିଲେ ।
Excellence takes flight.
— Indian Air Force (@IAF_MCC) May 18, 2026
Sqn Ldr Saanya achieved a historic first by becoming the first woman officer to earn the coveted Cat-A Qualified Flying Instructor (QFI) qualification. Her achievement embodies dedication and relentless pursuit of excellence.
A proud milestone for the… pic.twitter.com/K6hWya0iUi
କ’ଣ ଏହି 'କ୍ୟାଟ୍-ଏ' (Cat-A) ଗ୍ରେଡ୍ ?
ସାଧାରଣ ଭାଷାରେ ବୁଝିବାକୁ ଗଲେ, ସାମରିକ ପାଇଲଟମାନଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣ ଗ୍ରେଡ୍ ମଧ୍ୟରେ 'କ୍ୟାଟ୍-ଏ' ହେଉଛି ସର୍ବୋଚ୍ଚ ସ୍ତର ବା ଟପ୍ ରାଙ୍କ୍ । ଉନ୍ନତ ଉଡ଼ାଣ କୌଶଳ, ଜଟିଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର କ୍ଷମତା ଏବଂ ସର୍ବୋତ୍ତମ ପ୍ରଶିକ୍ଷଣ ଦେବାର ଅସାଧାରଣ ଦକ୍ଷତା ଥିବା ପାଇଲଟଙ୍କୁ ହିଁ ଏହି ସମ୍ମାନ ମିଳିଥାଏ । ଏହି ଯୋଗ୍ୟତା ପାଇବା ପରେ ଜଣେ ଇନଷ୍ଟ୍ରକ୍ଟର କେବଳ ନୂଆ ପାଇଲଟମାନଙ୍କୁ ପ୍ରଶିକ୍ଷଣ ଦିଅନ୍ତି ନାହିଁ, ବରଂ ସେନାବାହିନୀରେ ଥିବା ଜୁନିୟର ଫ୍ଲାଇଙ୍ଗ୍ ଇନଷ୍ଟ୍ରକ୍ଟରମାନଙ୍କୁ ମଧ୍ୟ ତାଲିମ ଦେବା ଏବଂ ସେମାନଙ୍କର କାର୍ଯ୍ୟଦକ୍ଷତାର ମୂଲ୍ୟାଙ୍କନ କରିବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି । ବାୟୁସେନା ଅଧିକାରୀଙ୍କ ଅନୁଯାୟୀ, ଜଣେ QFI ନିଜ କ୍ୟାରିୟରରେ ହାସଲ କରିପାରୁଥିବା ଏହା ସବୁଠାରୁ ବଡ଼ ରେଟିଂ ।
ବାୟୁସେନାର ଅପରେସନାଲ ପ୍ରସ୍ତୁତିରେ ପ୍ରମୁଖ ଭୂମିକା:
କ୍ୟାଟ୍-ଏ QFI ମାନେ କେବଳ ପ୍ରଶିକ୍ଷକ ନୁହନ୍ତି, ବରଂ ସେମାନଙ୍କୁ ଭାରତୀୟ ବାୟୁସେନାର ଫ୍ଲାଇଟ୍ ଷ୍ଟାଣ୍ଡାର୍ଡ, ଷ୍ଟାଣ୍ଡାର୍ଡାଇଜେସନ ଏବଂ ଫ୍ଲାଇଟ୍ ସେଫ୍ଟିର ରକ୍ଷକ ବୋଲି କୁହାଯାଏ । ବାୟୁସେନାର ଯୁଦ୍ଧ ଏବଂ ଅପରେସନାଲ ପ୍ରସ୍ତୁତିକୁ ସଦାସର୍ବଦା ସଜାଗ ରଖିବାରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସୁରକ୍ଷା ଦୃଷ୍ଟିକୋଣରୁ ବାୟୁସେନା ଦ୍ୱାରା କେବଳ ପ୍ରଥମ ନାମରେ ପ୍ରକାଶ କରାଯାଇଥିବା ସ୍କ୍ୱାଡ୍ରନ ଲିଡର ସାନ୍ୟା ଜଣେ ଅତି ଦକ୍ଷ 'ଟ୍ରାନ୍ସପୋର୍ଟ ପାଇଲଟ୍' । ଏବେ କ୍ୟାଟ୍-ଏ ଗ୍ରେଡ୍ ପାଇବା ପରେ ସେ ସେନାର ନୂତନ ପାଇଲଟ୍, ନିୟମିତ ପାଇଲଟ୍ ଏବଂ ଅନ୍ୟାନ୍ୟ ଟ୍ରେନର୍ମାନଙ୍କୁ ମଧ୍ୟ ମାର୍ଗଦର୍ଶନ କରିବେ ।
ନାରୀ ଶକ୍ତିର ଆଉ ଏକ ବଡ଼ ସଫଳତା:
ପ୍ରାୟ ସାତ ମାସ ପୂର୍ବରୁ ସ୍କ୍ୱାଡ୍ରନ ଲିଡର ଶିବାଙ୍ଗୀ ସିଂହ ଭାରତୀୟ ବାୟୁସେନାର ପ୍ରଥମ ମହିଳା ଫାଇଟର (ଯୁଦ୍ଧବିମାନ) ପାଇଲଟ୍ ଭାବେ QFI ବ୍ୟାଜ୍ ପାଇଥିଲେ । ଶିବାଙ୍ଗୀ ତାମିଲନାଡ଼ୁର ତାମ୍ବରମସ୍ଥିତ ଫ୍ଲାଇଙ୍ଗ୍ ଇନଷ୍ଟ୍ରକ୍ଟର୍ସ ସ୍କୁଲରେ ୬ ମାସର କଠିନ ତାଲିମ ଶେଷ କରି ଏହି ସଫଳତା ପାଇଥିଲେ । ଯଦିଓ ଶିବାଙ୍ଗୀଙ୍କ ପୂର୍ବରୁ କିଛି ମହିଳା ଟ୍ରାନ୍ସପୋର୍ଟ ଏବଂ ହେଲିକପ୍ଟର ପାଇଲଟଙ୍କୁ QFI ବ୍ୟାଜ୍ ମିଳିସାରିଥିଲା, କିନ୍ତୁ ସାନ୍ୟା ସେମାନଙ୍କ ମଧ୍ୟରୁ ଆଗକୁ ଯାଇ ସର୍ବୋଚ୍ଚ 'କ୍ୟାଟ୍-ଏ' ମାନ୍ୟତା ପାଇବାରେ ସମଗ୍ର ଦେଶରେ ପ୍ରଥମ ମହିଳା ସେନା ଅଧିକାରୀ ବନି ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ସାନ୍ୟାଙ୍କର ଏହି କୀର୍ତ୍ତିମାନ ଭାରତୀୟ ସେନାରେ ମହିଳା ଶକ୍ତିର ବଢ଼ୁଥିବା ଦକ୍ଷତା ଓ ପ୍ରଭାବକୁ ପୁଣି ଥରେ ପ୍ରମାଣିତ କରିଛି ।
Train Derail: ଋଷିକେଶରେ ବଡ଼ ଟ୍ରେନ୍ ଦୁର୍ଘଟଣା; ଉଜ୍ଜୟିନୀ ଏକ୍ସପ୍ରେସର ୩ ବଗି ଲାଇନଚ୍ୟୁତ, ଦେଖନ୍ତୁ ଭିଡ଼ିଓଆହୁରି ପଢ଼ନ୍ତୁ...