ଶ୍ରୀଜଗନ୍ନାଥ ମହୋତ୍ସବ; ‘ବିଶ୍ୱ ବେଦନାର ବୈଦ୍ୟ ଶ୍ରୀଜଗନ୍ନାଥ’

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଜଗତର ନାଥ ଜଗନ୍ନାଥ । ମାନବବାଦର ଠାକୁର । ସେ ସମଗ୍ର ବିଶ୍ୱର । ଏକାନ୍ତ ଆପଣାର । ବିଶ୍ୱ ବେଦନାର ବୈଦ୍ୟ ଶ୍ରୀଜଗନ୍ନାଥ ବୋଲି ମନର କଥା କହି ମହାପ୍ରଭୁଙ୍କ ସମ୍ପର୍କିତ ଅନୁଭୂତି ବ୍ୟକ୍ତ କରିଥିଲେ ମନୋରମା ମହାପାତ୍ର । ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ଆଜି ସନ୍ଧ୍ୟାରେ ଭାରତୀୟ ବିଦ୍ୟାଭବନ ସଭାକକ୍ଷରେ ଆୟୋଜିତ ହୋଇଥିଲା ଶ୍ରୀଜଗନ୍ନାଥ ମହୋତ୍ସବ । ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶ୍ରୀମତୀ ମହାପାତ୍ର ବକ୍ତବ୍ୟ ରଖିଥିଲେ ।
ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନର ବାର୍ଷିକ ସମ୍ବର୍ଦ୍ଧନା ସଭା ଓ ରଥଯାତ୍ରା ନିମିତ୍ତ ପୁସ୍ତକର ଶୁଭାରମ୍ଭ ତଥା ପ୍ରଚ୍ଛଦପଟ ଉନ୍ମୋଚନ ପର୍ବରେ ସଭାପତି ସାତକଡ଼ି ହୋତା ଅଧ୍ୟକ୍ଷତା କରିଥିଲେ । ସଭାରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଶ୍ରୀଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ଡ. ସୁବାସ ପାଣି ମୁଖ୍ୟ ଅତିଥି ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରସିଦ୍ଧ ପ୍ରବକ୍ତା ମନୋରମା ମହାପାତ୍ର ମୁଖ୍ୟ ବକ୍ତା ଭାବେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଚଳିତ ବର୍ଷ ପାଇଁ ଓଡ଼ିଶା କୋହେନୂର ପ୍ରେସ୍ର ଡ. ଜହୁରୁଲ୍ ଇସ୍ଲାମଙ୍କୁ ନନ୍ଦିଘୋଷ ସମ୍ମାନ, ଶ୍ରୀକାନ୍ତ ପରିଜାଙ୍କୁ ସୁଦର୍ଶନ ସମ୍ମାନ, ଡ. ସଙ୍ଗୀତା ଗୋସାଇଁଙ୍କୁ ସୁଭଦ୍ରା ସମ୍ମାନ, ଡ. ଶ୍ରୀନିବାସ ଆଚାର୍ଯ୍ୟଙ୍କୁ ବଳଭଦ୍ର ସମ୍ମାନ, ଡ. ଅଭୟ କୁମାର ନାୟକଙ୍କୁ ଜଗନ୍ନାଥ ସମ୍ମାନ, ଡା. ଅଶୋକ କୁମାର ମହାପାତ୍ରଙ୍କୁ ଅନନ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମସ୍ତ ପ୍ରତିଭା ନିଜ ନିଜର ଅନୁଭୂତି ବାଣ୍ଟିଥିଲେ । ସମ୍ମାନିତ ପ୍ରତିଭାଙ୍କ ମାନପତ୍ର ପାଠ କରିଥିଲେ ଡ. ଭାସ୍କର ମିଶ୍ର, ଡ. ସୁଷମା ମିଶ୍ର, ପ୍ରବୀଣା ମହାନ୍ତି, କୁସୁମ ପଟେଲ, ବିମଳା ସିଂ, ତନ୍ଦ୍ରାଳସା ଦାସ । ପରେ ‘ଅଚିନ୍ତନୀୟ ଶ୍ରୀଜଗନ୍ନାଥ’ ପୁସ୍ତକ ପ୍ରଚ୍ଛଦପଟ ଅତିଥିଗଣଙ୍କ ଦ୍ୱାରା ଦେବାର୍ପଣ ହେବା ସହ ଚିତ୍ରଶିଳ୍ପୀ ବଳଦେବ ମହାରଥା ପ୍ରଚ୍ଛଦ ସମ୍ପର୍କରେ କହିଥିଲେ । ଏଥିସହିତ ଅକ୍ଷୟ ତୃତୀୟା ଉପଲକ୍ଷେ ରଥକାଠ ରୂପେ ଲେଖା ସମର୍ପଣ ସ୍ୱରୂପ ଅସିତ ମହାନ୍ତିଙ୍କ କଥା ଓ ଅନୁଭୂତିରେ ‘ଦାରୁଦେବତା’, ଶ୍ରଦ୍ଧାଞ୍ଜଳି କାନୁନ୍ଗୋଙ୍କ ‘ଶ୍ରୀରାମକୃଷ୍ଣ, ଶାରଦା ଦେବୀ ଓ ଶ୍ରୀଜଗନ୍ନାଥ’ ଏବଂ ଶ୍ରୀକାନ୍ତ ପରିଜାଙ୍କ ‘ମଣିମା ଶୁଣିବା ହେଉ’ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା ।
ପ୍ରାରମ୍ଭରେ ଦାମୋଦର ସେନାପତି, ମଧୁସ୍ମିତା ବିଶ୍ୱାଳ ଓ ଅମିତାପ୍ରଭା ସ୍ୱାଇଁ ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ । ଭିକାରୀ ଅହମ୍ମଦଙ୍କ ଦ୍ୱାରା ‘ମଥୁରା ମଙ୍ଗଳ’ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମରେ ସୁଭଦ୍ରା ସମ୍ମାନ ପ୍ରାପ୍ତ ଦିବଂଗତ ଏଭରେଷ୍ଟ ଆରୋହିଣୀ କଳ୍ପନା ଦାଶ, ବଳଭଦ୍ର ସମ୍ମାନପ୍ରାପ୍ତ ଅର୍ଜୁନ ଚରଣ ସାମଲଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା । ସଭାରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସଂସ୍ଥାନର ସମ୍ପାଦକ ପୀତବାସ ରାଉତରାୟ । ଶେଷରେ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ ।