ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଠିକଣା ଖୋଜୁଛି ଶ୍ରୀଲିଙ୍ଗରାଜ ଥାନା, ବିଏମ୍‌ସି କଲ୍ୟାଣମଣ୍ଡପରେ ଚାଲିଛି ଅଫିସ୍ କାମ, ୫ ବର୍ଷ ହେଲା ମିଳୁନି ଜମି

Published By : Rasmita Pradhan | November 6, 2024 12:15 PM

ଭୁବନେଶ୍ୱର, ୦୬/୧୧ : ଶ୍ରୀଲିଙ୍ଗରାଜ ଥାନା କେଉଁଠି ବୋଲି ପଚାରିଲେ ଲୋକେ କହିବେ ବିଏମ୍‌ସି କଲ୍ୟାଣମଣ୍ଡପକୁ ଯାଅ । ସେଠି ପହଞ୍ଚିଲେ ଦେଖିବାକୁ ମିଳିବ ଭୋଜିଭାତ, ବିବାହ ମଣ୍ଡପ ଘର ଭିତରେ ଥାନାଟି କୌଣସିମତେ ନିଜର ଅସ୍ତିତ୍ୱ ବଜାୟ ରଖିବାକୁ ଉଦ୍ୟମ ଚଳାଇଛି । ବରକନ୍ୟାଙ୍କ ପାଇଁ ଉଦ୍ଦିଷ୍ଟ ସଙ୍କୁଚିତ ଘରେ ଥାନା ଅଧିକାରୀ ଏକ କ୍ଷୁଦ୍ର ଟେବୁଲ ପକାଇ ପୁଲିସ ସେବାର ମହତ୍ତ୍ୱ ରକ୍ଷା କରୁଛନ୍ତି । ରୋଷଶାଳ ଲାଗି ରହିଥିବା ଡାଇନିଂ ହଲ୍‌ରେ ବାକି ପୁଲିସ କର୍ତ୍ତବ୍ୟ ପାଳନ ଦିଗରେ ଲାଗିଛନ୍ତି । ଏହା ହେଉଛି ବିଗତ ୫ ବର୍ଷ ହେବ କମିଶନରେଟ୍‌ ପୁଲିସରେ ସବୁଠାରୁ ଗୁରୁତ୍ୱ ବହନ କରୁଥିବା ଶ୍ରୀଲିଙ୍ଗରାଜ ଥାନାର ହାଲତ । 

୨୦୧୯ରେ ଏକାମ୍ର ପ୍ରକଳ୍ପରେ ଏହି ଥାନାକୁ ହଟାଇ ଲିଙ୍ଗରାଜ ପ୍ଲାଜାରେ ମିଶାଇବା ପାଇଁ ଯୋଜନା ହେଲା । ପ୍ରାୟ ଅଧ ଏକର ଜମିରେ ନିର୍ମିତ ଶତାଧିକ ବର୍ଷର ଏହି ପୁରାତନ ଥାନାକୁ ଭାଙ୍ଗି ମାଟିରେ ମିଶାଇ ଦିଆଗଲା । ଥାନା ଘର ସମେତ ପୁଲିସ, ବ୍ୟାରାକ୍‌, କ୍ୱାର୍ଟର୍ସ, ଅସ୍ତ୍ରାଗାର, ହାଜତ ସବୁକିଛି ମାଟିରେ ମିଶି ପଡ଼ିଆ ହୋଇଗଲା । ଆପାତ୍ତକାଳୀନ ଭାବେ ଥାନା ଚଳାଇବା ପାଇଁ ଦକ୍ଷିଣଚଣ୍ଡୀ ମନ୍ଦିର ନିକଟସ୍ଥ ବିଏମ୍‌ସି କଲ୍ୟାଣ ମଣ୍ଡପକୁ ବଛାଗଲା । ଏକାମ୍ର ପ୍ରକଳ୍ପରେ ଐତିହ୍ୟ ଢାଞ୍ଚାରେ ନୂଆ ଥାନା ହେବା ପର୍ଯ୍ୟନ୍ତ ଥାନା କଲ୍ୟାଣମଣ୍ଡପରେ ଅସ୍ଥାୟୀ ଭାବେ ଚାଲୁ ବୋଲି ନିଷ୍ପତ୍ତି ହେଲା । ହେଲେ ଅଫିସର, କର୍ମଚାରୀ, ସିପାହୀଙ୍କୁ ମିଶାଇ ପ୍ରାୟ ୯୦ ଜଣ ପୁଲିସ ଏହି କ୍ଷୁଦ୍ର କଲ୍ୟାଣମଣ୍ଡପରେ ସାଜସାମାନ ସହ କିପରି ରହିବେ ସେ ଦିଗକୁ ଦୃଷ୍ଟି ଦିଆଗଲା ନାହିଁ । ଶ୍ରୀଲିଙ୍ଗରାଜ ମନ୍ଦିର ଦକ୍ଷିଣ ପାର୍ଶ୍ୱ ଠାରୁ ୫୦୦ ମିଟର ଦୂରରେ ବିଏମ୍‌ସି କଲ୍ୟାଣମଣ୍ଡପ । ଏଠାରେ ପହଞ୍ଚିବାକୁ ହେଲେ ଅଣଓସାରିଆ ଗଳି ରାସ୍ତାରେ ଲୋକଙ୍କୁ ଠିକଣା ପଚାରିବାକୁ ପଡ଼ିବ । ଯବାନଙ୍କୁ ବୋହିବା ପାଇଁ ବଡ଼ ଟ୍ରକ ଏହା ଭିତରେ ପଶିପାରିବ ନାହିଁ । ଅଙ୍କାବଙ୍କା ଗଳି ରାସ୍ତାରେ ପୁଲିସ ଭ୍ୟାନ୍‌ ବାହାରି ଗନ୍ତବ୍ୟସ୍ଥଳରେ ପହଞ୍ଚିବା ମଧ୍ୟ କଷ୍ଟକର । ସେଥିରେ ଏକାମ୍ରକ୍ଷେତ୍ର ଭଳି ବିଶାଳ ପର୍ଯ୍ୟଟନସ୍ଥଳୀର ଭଲମନ୍ଦ ସହ ବିଭିନ୍ନ ସ୍ଥାନରେ ଥିବା ୪ଟି ଫାଣ୍ଡି କଥା ବୁଝିବାକୁ ପଡ଼ିବ । ସେଥିପାଇଁ ସବୁବେଳେ ସଶସ୍ତ୍ର ପୁଲିସ ଜାଗତିଆର ରହିବା ଦରକାର । ତେଣୁ ଏଭଳି ଥାନା ଶ୍ରୀଲିଙ୍ଗରାଜ ମନ୍ଦିର ଆଖପାଖରେ କୌଣସି ଖୋଲା ସ୍ଥାନରେ ପୁନଃପ୍ରତିଷ୍ଠା ହେବା ଆବଶ୍ୟକ । 

ଏକାମ୍ର ପ୍ରକଳ୍ପ ପାଇଁ ଏତେ ଜମି ଅଧିଗ୍ରହଣ ହେଲା । କିନ୍ତୁ ଥାନା ନିର୍ମାଣ ପାଇଁ ଜମି ମିଳୁନି । ସପ୍ତାହେ ତଳେ ସାନିଟୋରିଅମ୍‌ ଛକ ନିକଟ ଅସୁଲକିଆରିରେ ନୂଆ ଥାନା ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଥିଲା । ହେଲେ ସେ ସନ୍ତସନ୍ତିଆ ଜମି ପୁରୁଷେ ଖାଲରେ ରହିଛି । କେବେ ପୋତା ହୋଇ ଥାନା ଘର ଐତିହ୍ୟ ଢାଞ୍ଚାରେ ନିର୍ମାଣ ହେବ ତାହା ଆକାଶ କୟାଁ ଚିଲିକା ମାଛ ପାଲଟିଛି । ଏ ସମ୍ପର୍କରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ନୂଆ ଥାନା ନିର୍ମାଣ ପାଇଁ ସରକାର ଜମି ଯୋଗାଇବା ପରେ ତାହା ରାଜସ୍ୱ ବିଭାଗରେ କମିଶନରେଟ୍‌ ପୁଲିସ ନାମରେ ରେକର୍ଡଭୁକ୍ତ ହୁଏ । ଏହାପରେ ସେହି ଜମିରେ ରାଜ୍ୟ ପୁଲିସ ଗୃହ ନିର୍ମାଣ ନିଗମ ଥାନା ନିର୍ମାଣ କରେ । ହେଲେ ଯେଉଁ ଜମି ଚିହ୍ନଟ ହୋଇଛି, ତାହା ଶ୍ରୀଲିଙ୍ଗରାଜଙ୍କ ନାମରେ ରେକର୍ଡଭୁକ୍ତ । ଫଳରେ ପୁଲିସ ଗୃହ ନିର୍ମାଣ ନିଗମ ଘର କରିପାରିବ ନାହିଁ । ଏପରି ସ୍ଥିତିରେ ଏକାମ୍ର ପ୍ରକଳ୍ପରେ ଅନ୍ତର୍ଭୁକ୍ତ କଲେ ହିଁ ଥାନା ନିର୍ମାଣ ସାକାର ହୋଇପାରିବ । ଅନ୍ୟପକ୍ଷରେ ସ୍ଥାନୀୟ ଲୋକଙ୍କ ମତ ଯେ ଗଙ୍ଗାଜମୁନା ନିକଟରେ ଅଧିଗୃହୀତ ବିପୁଳ ପରିମାଣର ଜମି ଖାଲି ପଡ଼ିଛି । ସେଠି ଥାନା ନିର୍ମାଣ କଲେ ଆଇନଶୃଙ୍ଖଳା ତଥା ପୁଲିସ ସେବାର ସୁଯୋଗ ଉଭୟ ଯାତ୍ରୀ ଓ ସ୍ଥାନୀୟ ଲୋକେ ପାଇ ପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.