PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣା, ସିଂହଦ୍ୱାର ଥାନାରେ ଏତଲା

ପୁରୀ, ୨୦/୧୧ : ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ନେଇ ସିଂହଦ୍ୱାର ଥାନାରେ ଏତଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ପ୍ରଶାସକ ଭି. ଏସ୍ ଚନ୍ଦ୍ରଶେଖର ରାଓ ଏହି ଏତଲା ଦେଇଛନ୍ତି। କେଉଁ ପରିସ୍ଥିତିରେ ଫେସବୁକ୍ ୟୁଜର ଆକାଶ ଚୌଧୁରୀ ଫଟୋ ଓ ଭିଡ଼ିଓ ଭାଇରାଲ କଲେ ଏବଂ କିଭଳି ଭାବେ ଗର୍ଭଗୃହର ଫଟୋ ଉଠିଲା ତାହାର ତଦନ୍ତ ହେବ ବୋଲି ପୁଲିସ କହିଛି। ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଥିବା କହିଛି ସିଂହଦ୍ଵାର ଥାନା ପୁଲିସ।

ପ୍ରହସନ ପାଲଟିଛି ଶ୍ରୀମନ୍ଦିରରେ ପହରା ବ୍ୟବସ୍ଥା। ରତ୍ନସିଂହାସନରେ ବିଜେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ ହୋଇଛି। ଅବକାଶକାଳୀନ ଫୁଙ୍ଗୁଳା ଶ୍ରୀଅଙ୍ଗ ଫଟୋ ଏବଂ ଦେଶ ବିଦେଶରେ ଘୂରୁଛି ରତ୍ନସିଂହାସନ ଫଟୋ । ସୋସିଆଲ ମଡିଆରେ ମହାପ୍ରଭୁଙ୍କ ଗୁପ୍ତନୀତିର ମାଳ ମାଳ ଫଟୋ ଭାଇରାଲ୍ ହୋଇଛି। ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି ଏସବୁ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଥିବା ସୂଚନା ମିଳିଛି । ସେ ଜଣେ ଇସ୍କନ୍‌ ଭକ୍ତ ବୋଲି ମଧ୍ୟ ସମାଲୋଚନା ଆରମ୍ଭ ହୋଇଛି ।

ଫଟୋରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ଦୃଶ୍ୟମାନ ହେଉଛି । ଠାକୁରଙ୍କ ମଇଲମ ସମୟର ଏବଂ ଅବକାଶ ପୂର୍ବର ଫଟୋ ଅନୁମାନ କରାଯାଉଛି । କାରଣ ସେତେବେଳେ ହିଁ ଠାକୁରଙ୍କ ଶ୍ରୀଅଙ୍ଗରେ ଆଭୂଷଣ କଢା ଯାଇଥାଏ । ଫଟୋରୁ ଦେଖାଯାଉଛି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କୌଣସି ପୁଷ୍ପଅଳଙ୍କାର ନାହିଁ । ଗର୍ଭଗୃହ ରତ୍ନସିଂହାସନରେ ବିଜେ ଦାରୁଦିଅଁ । ରୁପା ଛାଉଣି ହୋଇଥିବା କଳାହାଟ ଦ୍ୱାର ସ୍ପଷ୍ଟ ଭାବେ ଦେଖାଯାଉଛି। ଭିତରକାଠ ନିକଟରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ଫଟୋ ନେଇଥିବା ବ୍ୟକ୍ତି ହୁଏତ ଜୟବିଜୟ ଦ୍ୱାର ନିକଟ ପାହାଚରୁ ଏହି ସମସ୍ତ ଫଟୋ ନେଇଛି । କିଛି ସେବାୟତ କୁହନ୍ତି ଏହା ହେଉଛି ଶ୍ରୀମନ୍ଦିର ଫଟୋ । ଏହା ଯଦି ସତ୍ୟ ହୋଇଥାଏ ତେବେ ଭିତରକାଠ ସମ୍ମୁଖରୁ ଏସବୁ ଫଟୋ ଉଠିଛି।

ବଡ଼ଦେଉଳକୁ ନେଇ ପ୍ରଶାସନର କୋହଳ ମାନସିକତା ମହଙ୍ଗା ପଡ଼ୁଛି । ଆଇନ ତଥା ପରମ୍ପରା ବିରୋଧୀ ହେଲେ ମଧ୍ୟ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେଉଛି । ଶ୍ରୀମନ୍ଦିର ଚାରି ଦ୍ୱାରରେ ସଶସ୍ତ୍ର ପୁଲିସଙ୍କ ପହରା ରହିଛି । ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଦଣ୍ଡନୀୟ ଅପରାଧ ସୂଚନା ରହିଛି । ପୁଣି ଯାଞ୍ଚରେ ସୁବିଧା ପାଇଁ ବଡ଼ଦାଣ୍ଡରେ ଲମ୍ବାଧାଡ଼ି ହୋଇ ଖରା ଗରମରେ ସିଝୁଛନ୍ତି ଶ୍ରଦ୍ଧାଳୁ । ହେଲେ ଶ୍ରୀମନ୍ଦିର ଭିତର ସୁରକ୍ଷା ସମ୍ପୂର୍ଣ୍ଣ ଫୁଙ୍ଗୁଳା । ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ପୂର୍ବରୁ ବହୁବାର ଭାଇରାଲ ହୋଇଛି । ଏଥର ଠାକୁରଙ୍କ ଫଟୋ ଦେଖି ଜଗନ୍ନାଥ ପ୍ରେମୀଙ୍କୁ କଠୋର ଆଘାତ ଲାଗିଛି । ପ୍ରଶାସନିକ କର୍ମଚାରୀ ତଥା ସେବାୟତଙ୍କ ଯାତ୍ରୀ ତୁଷ୍ଟିକରଣ ନୀତି ପାଇଁ ଠାକୁରଙ୍କ ପରମ୍ପରା ଓ ଶ୍ରୀମନ୍ଦିର ସ୍ୱତନ୍ତ୍ରତା ବଳି ପଡ଼ୁଥିବା ସମାଲୋଚନା ହେଉଛି ।