ନୂଆଦିଲ୍ଲୀ,୩୦।୩: କରୋନା ମହାମାରୀ କାରଣରୁ ଘୁଞ୍ଚିଥିବା ଜନଗଣନା ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ଏପ୍ରିଲରୁ ଏହି ପକ୍ରିୟା ଆରମ୍ଭ ହୋଇଯିବ, ଯାହାକି ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ଚାଲିବ। ଏହା ଭିତରେ ସରକାର ସ୍ପଷ୍ଟ କରିଛନ୍ତି ଯେ, ଲିଭ୍ ଇନ୍ରେ ରହୁଥିବା କପଲ ବିବାହିତ ବୋଲି ମନେ କରାଯିବେ। ସେଭଳି ଅନୁଚିତ ପ୍ରଶ୍ନ ପଚାରୁଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତର ରେଜିଷ୍ଟାର ଜେନେରାଲ ଆଣ୍ଡ ସେନସନ୍ କମିଶନ୍ ଅର୍ଥାତ ମହାପଞ୍ଜିୟକ ଓ ଜନଗଣନା କମିଶନରଙ୍କ ଅନୁସାରେ, ଯଦି ଦୁଇ ଜଣ ନିଜର ସମ୍ପର୍କକୁ ଏକ ସ୍ଥାୟୀ ଅର୍ଥାତ ଷ୍ଟେବଲ ୟୁନିୟନ ବୋଲି ମାନନ୍ତି, ତେବେ ତାଙ୍କୁ ବିବାହିତ ଯୋଡି ଭାବରେ ମନେକରାଯିବ।
ସରକାର ସ୍ପଷ୍ଟ କରିଛନ୍ତି ଯେ, ଉତ୍ତରଦାତାଙ୍କୁ ନିଜର ବ୍ୟକ୍ତିଗତ ସୂଚନା ଗୋପନୀୟ ରଖିବାକୁ ହେବ। ଏଥିପାଇଁ ସେନ୍ସସ ଆକ୍ଟ ୧୯୪୮ ର ଧାରା ୧୫ କଥା କହିଛନ୍ତି। ଏଥିରେ କୁହାଯାଇଛି, ଆପଣ ବ୍ୟକ୍ତିଗତ ସୂଚନା କାହା ସହିତ ସେୟାର କରାଯିବନି। ନିକଟରେ ଜନଗଣନା କମିଶନ୍ ସ୍ପଷ୍ଟ କରିଛନ୍ତି, ପକ୍ରିୟା ବେଳେ କୌଣସି ଆପତ୍ତିଜନକ ପ୍ରଶ୍ନ ପଚାରିଲେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସବୁ ରାଜ୍ୟକୁ ପଠାଯାଇଥିବା ଏକ ପତ୍ରରେ , ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣ ଜନଗଣନା ଅଧିନିୟମ, ୧୯୪୮ର ଧାରା ୧୧ ଅନୁସାରେ, ନିର୍ଦ୍ଧାରିତ ଦଣ୍ଡର ସୂଚୀ ଦେଇଛନ୍ତି, ଯେଉଁଥିରେ ଦୋଷୀ ସାବ୍ୟସ୍ତ ହେଲେ ୧୦୦୦ ଟଙ୍କାର ଜରିମାନାରୁ ନେଇ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ହୋଇପାରେ।
ଏହି ନିର୍ଦେଶରେ କୁହାଯାଇଛି, ଯଦି କୌଣସି ଜନଗଣନା ଅଧିକାରୀ ଜାଣିଶୁଣି କୌଣସି ଆପତ୍ତିଜନକ କିମ୍ବା ଅନୁଚିତ ପ୍ରଶ୍ନ ପଚାରନ୍ତି, ଜାଣିଶୁଣି କୌଣସି ଭୁଲ ସୂଚନା ଦିଅନ୍ତି, କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ବିନା ଜନଗଣନା ବେଳେ ପ୍ରାପ୍ତ କୌଣସି ସୂଚନାର ଖୁଲାସା କରନ୍ତି, ତେବେ ସେ ଦୋଷୀ ସାବ୍ୟସ୍ତ ହେଲେ ତିନି ବର୍ଷ ଜେଲ୍ ଦଣ୍ଡ ହୋଇପାରେ। କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ କହିଛନ୍ତି, ଜନଗଣନା ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେବ। ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଆବାସିକ ସୂଚୀ ଓ ଆାବସିକ ଗଣନା, ଫେବୃଆରୀ ୨୦୨୭ ରେ ଜନସଂଖ୍ୟା ଗଣନା। ଏହା ୧୬ ତମ ଜନଗଣନା ହେବ ଓ ଏହା ସମ୍ପୂର୍ଣ୍ଣ ଭାବରେ ଡିଜିଟାଲ ପଦ୍ଧତିରେ କରାଯିବ,ଯାହାଦ୍ବାରା ନାଗରିକଙ୍କୁ ନିଜେ ଗଣନା କରିବାର ଅପ୍ସନ ମଧ୍ୟ ମିଳିବ।
ପ୍ରଥମ ପର୍ଯ୍ୟାୟ- ଏଥିରେ ଘରର ସ୍ଥିତି ଓ ପରିବାରର ସୂଚନା ନିଆଯିବ। ଏଥିରେ ଦେଖାଯାଏ ଯେ, ଘରେ ପିଇବା ପାଣି, ଶୌଚାଳୟ, ବିଜୁଳି, ରୋଷେଇ କରିବାର ଇନ୍ଧନ ଓ ଇଣ୍ଟରନେଟ୍ ଭଳି ସୁବିଧା ରହିଛି କି ନାହିଁ। ଏହା ସହ ପଚରାଯିବ ପରିବାର ପାଖରେ ରେଡିଓ, ଟିଭି, କମ୍ପ୍ୟୁଟର, ଦୁଇଚକିଆ ଏବଂ ଚାରି ଚକିଆ ଯାନ ଅଛି କି ନାହିଁ।
ଦ୍ବିତୀୟ ପର୍ଯ୍ୟାୟ: ଏଥିରେ ପରିବାରର ସଦସ୍ୟଙ୍କ ସଂଖ୍ୟା ଓ ତାଙ୍କର ବ୍ୟକ୍ତିଗତ ସୂଚନା ନିଆଯାଇଥାଏ। ଯେପରିକି ତାଙ୍କର ନାଁ,ବୟସ, ଲିଙ୍ଗ,ବୈବାହିକ ସ୍ଥିତି, ଜାତି, ଧର୍ମ, ଶିକ୍ଷା ଓ ଭାଷା। ଏହାଛଡା ଦିବ୍ୟାଙ୍ଗ ହେବା, ରୋଜଗାର ଓ ବିବାହିତ ମହିଳାଙ୍କଠାରୁ ତାଙ୍କ ସନ୍ତାନ ସମ୍ପର୍କିତ ସୂଚନା ମଧ୍ୟ ନେବାକୁ ପଡିଥାଏ।
ଆହୁରି ପଢନ୍ତୁ :‘ବିବାହିତ ପୁରୁଷ ଲିଭ୍ ଇନ୍ରେ ରହିବା ଅପରାଧ ନୁହେଁ…’ ରାୟରେ ଆହ୍ଲାବାଦ ହାଇକୋର୍ଟଙ୍କ ୟୁଟର୍ଣ୍ଣ