ଭୁବନେଶ୍ୱର ୨୩/୧୧: ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଡ଼ିଶାର ଷ୍ଟାର୍ ଆଥଲେଟ୍ ଅମିୟ କୁମାର ମଲ୍ଲିକ। ଶ୍ୱେତା ଅତିଲିଙ୍କ ସହ ଆରମ୍ଭ କଲେ ନୂଆ ଇନିଂସ। ମୁମ୍ବାଇରେ ହେଲା ଭାରତର ଦ୍ରୁତତମ ଧାବକଙ୍କ ଡେଷ୍ଟିନେସନ୍ ୱେଡିଂ। ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ରବିବାର ଓଡ଼ିଶାର ଷ୍ଟର ଆଥଲେଟ୍ ଅମିୟ କୁମାର ବିବାହ ଅନୁଷ୍ଠିତ ହୋଇଥିଲା। ଅମିୟଙ୍କ ସହ ଶ୍ୱେତା ଅତିଲିଙ୍କ ହାତଗଣ୍ଠି ପଡିିଥିଲା। ଏହାପୂର୍ବରୁ ୨୧ ତାରିଖରେ ଉଭୟଙ୍କର ନିର୍ବନ୍ଧ ଏବଂ ହଳଦୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଉଭୟ ପରିବାରର ସଦସ୍ୟ ଏବଂ ବନ୍ଧୁବାନ୍ଧବ ଯୋଗ ଦେଇଥିଲେ।

୧୦୦ ମିଟରରେ ଅମିୟଙ୍କ ନାମରେ ଦୀର୍ଘ ବର୍ଷ ଧରି ଜାତୀୟ  ରେକର୍ଡ ରହିଥିଲା । ସେ ୨୦୧୬ରେ (୧୦.୨୬ ସେକେଣ୍ଡ)  ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ । ୨୦୦୮ ରାଜ୍ୟଗୋଷ୍ଠୀ ଯୁବ  କ୍ରୀଡ଼ାରେ ଅମିୟ ୨୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଥିଲେ ।
 
୨୦୧୯ରେ କାଠମାଣ୍ଡୁରେ ଆୟୋଜିତ ଦକ୍ଷିଣ ଏସୀୟ କ୍ରୀଡ଼ାରେ  ଭାରତୀୟ ୪ ଗୁଣା ୧୦୦ ମିଟର ରିଲେ ଦଳରେ ସାମିଲ ହୋଇ  ରୌପ୍ୟ ପଦକ ଲାଭ କରିଥିଲେ ।  କଳିଙ୍ଗ ଷ୍ଟାଡିୟମରେ ୨୦୧୭ରେ ଆୟୋଜିତ ଏସିଆନ  ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଅମିୟ ୧୦୦ ମିଟରରେ ସେମି  ଫାଇନାଲରେ ପ୍ରବେଶ କରିଥିଲେ । କିନ୍ତୁ ତ୍ରୁଟିପୂର୍ଣ୍ଣ ଆରମ୍ଭ  ଯୋଗୁ ଏହି ରାଉଣ୍ଡରେ ଅଯୋଗ୍ୟ ଘୋଷିତ ହୋଇଥିଲେ ।