ଭୁବନେଶ୍ୱର,୦୯/୧୨: ସକାଳ  ପ୍ରାୟ ୧୦ଟା । ନଅ’ତାଲା ଅଫିସ ସମ୍ମୁଖରେ କେତେକ ରଙ୍ଗକାର କାନ୍ଥରେ ଚିତ୍ର  ଆଙ୍କୁଥିଲେ । ଚିତ୍ରଗୁଡ଼ିକ ଆଦିବାସୀ ଘର ଶୈଳୀର ଥିଲା । ତେବେ ଦେଖିବାର  କଥା ଥିଲା, ସେମାନେ ହାତରେ ନୁହେଁ,  ବରଂ ଟେରାକୋଟା ଛାଞ୍ଚ ଦେଇ ଚିତ୍ର  ଆଙ୍କୁଥିଲେ । ବଙ୍ଗଳା ଓ ହିନ୍ଦୀ ଭାଷାରେ କଥା ହେଉଥିଲେ । ତେଣୁ ଏଠାକାର ଲୋକ ନୁହନ୍ତି । ବାହାରୁ ଆସିଛନ୍ତି । ବୁଝିବାରୁ ଜଣାପଡ଼ିଲା ଯେ ଏକ ଠିକାସଂସ୍ଥା ସେମାନଙ୍କୁ ଚିତ୍ର କରିବାକୁ ଦେଇଛି । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅଜ୍ଞ ଥିବା  ଏହି ରଙ୍ଗକାରମାନେ ଛାଞ୍ଚ ପିଟି ତା’ଉପରେ ରଙ୍ଗ ମାରିଦେଉଛନ୍ତି । କିନ୍ତୁ ଓଡ଼ିଶାର ଅଭିଜ୍ଞ ଚିତ୍ରଶିଳ୍ପୀ, ଯେଉଁମାନେ ରଙ୍ଗତୁଳୀରେ ନିଚ୍ଛକ ପାରମ୍ପରିକ ଚିତ୍ର ଆଙ୍କୁଥିଲେ ସେମାନେ ଅଲୋଡ଼ା ହୋଇଯାଉଛନ୍ତି । କାନ୍ଥରେ ଓଡ଼ିଶାର କଳା, ସଂସ୍କୃତି, କ୍ରୀଡ଼ା, ଇତିହାସ  ଓ ମହାପୁରୁଷମାନଙ୍କ ଚିତ୍ର ଆଙ୍କି ଦୁଇ ପଇସା  ରୋଜଗାର କରୁଥିବା ଚିତ୍ରଶିଳ୍ପୀମାନଙ୍କୁ ଏପରି  ଅଣଦେଖା କରିବା ଦ୍ୱାରା ଖାଲି ସେମାନଙ୍କ ପେଟକୁ ଲାତ ମରାଯାଉନି, ବରଂ ସେମାନଙ୍କ  ସୃଜନଶୀଳତାକୁ ମଧ୍ୟ ମାରି ଦିଆଯାଉଛି ବୋଲି  ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।  

ହକି ବିଶ୍ୱକପ୍‌ଠାରୁ ନେଇ ଓଡ଼ିଆ  ଭାଷା ସମ୍ମିଳନୀ । ଏସବୁ ସମାରୋହ ହେବା ପୂର୍ବରୁ ରାଜଧାନୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ସରକାରୀ କ୍ୱାର୍ଟର୍ସ କାନ୍ଥରେ  ବରପୁତ୍ର, ସିନେମା ତାରକା, କ୍ରୀଡ଼ାବିତ୍‌,  ଫୁଲ, ସଚେତନତା ବାର୍ତ୍ତା ଓ ଆଦିବାସୀଙ୍କ  ନୃତ୍ୟର ଚିତ୍ର ଅଙ୍କା ହୋଇଥିଲା । ଏବେବି  ରାଜଭବନ, ଏଜି ଛକ, ୟୁନିଟ-୩ ଓ  ପିଏମଜି ଛକରେ ଥିବା ବିଭିନ୍ନ ସରକାରୀ  ଘର କାନ୍ଥରେ ଓଡ଼ିଶାର କବି, ଲେଖକ, ସିନେ ତାରକାଙ୍କ ଚିତ୍ର ରହିଛି । ଏହି ଚିତ୍ରକୁ ଦେଖିଲେ  ପୂର୍ବସୁରୀଙ୍କ କଥା ମନେପଡ଼େ । ଛାତି ଗର୍ବରେ  ଫୁଲିଉଠେ । ହେଲେ ସେସବୁ ରକ୍ଷଣାବେକ୍ଷଣା  ହେଉନଥିବାରୁ ତାହା ହଜିଯିବାକୁ ବସିଲାଣି ।  ସ୍ଥିତି ଏମିତି ଯେ, ବ୍ୟାରିକେଡ୍‌, ଗଛଲତା  ମାଡିଯିବା ଯୋଗୁ ଏସବୁ ଦୃଷ୍ଟି ଆଢ଼ୁଆଳରେ  ରହିଯାଇଛି । ଏହାରି ମଧ୍ୟରେ ସର୍ବଭାରତୀୟ  ଡିଜି ସମ୍ମିଳନୀ ସରିଛି । ଆଗକୁ ପ୍ରବାସୀ  ଭାରତୀୟ ସମ୍ମିଳନୀ ହେବ । ଏ ଅବସରରେ  ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ପାଚେରି  ଓ କାନ୍ଥରେ ୱାଲପ୍ରିଣ୍ଟିଂ ଚାଲିଛି । ହେଲେ  ଆଉ ବରପୁତ୍ରଙ୍କ ଚିତ୍ର ହେଉନି, ଛାଞ୍ଚ  ଥୋପିଦିଆଯାଉଛି । କମ୍‌ ସମୟରେ କାମ  ସାରିବା ପାଇଁ ଠିକାସଂସ୍ଥାମାନେ ବାହାର ରାଜ୍ୟର  ରଙ୍ଗକାରଙ୍କୁ ଧରି ଏପରି କାମ ଚଳାଉଛନ୍ତି ।  ଯଦି ଆଗଭଳି ରାଜ୍ୟରେ ଥିବା ସୃଜନଶୀଳ ଓ  ଆର୍ଟ କଲେଜର ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳନ୍ତା,  ତେବେ ସେମାନେ ଚିତ୍ର ଆଙ୍କିପାରନ୍ତେ ।