କଟକ,୧୮/୦୭: ଶ୍ରାବଣରେ  ବିଭିନ୍ନ ଶୈବ ପୀଠକୁ ଜଳାଭିଷେକ ପାଇଁ  ଦୀର୍ଘ ପଦଯାତ୍ର କରୁଥିବା କାଉଡ଼ିଆଙ୍କ  ସୁରକ୍ଷା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ  (ଏସ୍‌ଟିଏ) ପକ୍ଷରୁ ମାର୍ଗଦର୍ଶିକା ଜାରି  କରାଯାଇଛି । ବିଶେଷ କରି ରାତିବେଳା  କିମ୍ବା ଅନ୍ଧାରୁଆ ରାସ୍ତାରେ ଗଲାବେଳେ  କାଉଡ଼ିଆମାନେ ଯେପରି ଦୁର୍ଘଟଣାର  ଶିକାର ନହୁଅନ୍ତି ସେଥିପାଇଁ ବାହୁଙ୍ଗିରେ  ‘ରେଟ୍ରୋ ରିଫ୍ଲେକ୍‌ଟିଭ୍‌ ଟେପ୍‌’ ଲଗାଇବାକୁ ଏସ୍‌ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି ।  ଏହି ଟେପ୍‌ ଲଗାଇବା ଦ୍ୱାରା ଅନ୍ଧାର କିମ୍ବା  କମ୍‌ ଆଲୋକରେ ମଧ୍ୟ ବାହୁଙ୍ଗି ଚକ୍‌ଚକ୍‌  କରିବ । ଫଳରେ କାଉଡ଼ିଆମାନେ ଯାଉଥିବା  ନେଇ ଦୂରରୁ ଜଣାପଡ଼ିବ । ଏହା ଦ୍ୱାରା  ଦୁର୍ଘଟଣା ଆଶଙ୍କାକୁ ଅନେକାଂଶରେ ଏଡ଼ାଇ ଦିଆଯାଇପାରିବ ବୋଲି ଏସ୍‌ଟିଏ ପକ୍ଷରୁ  କୁହାଯାଇଛି ।  




ପ୍ରତିବର୍ଷ ଶ୍ରାବଣ ମାସରେ କାଉଡ଼ିଆଙ୍କ  ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।  ଜଳାଭିଷେକ ପାଇଁ ବିଭିନ୍ନ ଶୈବ ପୀଠକୁ  ଯାଉଥିବାରୁ ରାଜ୍ୟ ରାଜପଥଠାରୁ ଆରମ୍ଭ  କରି ଜାତୀୟ ରାଜପଥରେ କାଉଡ଼ିଆଙ୍କ  ପ୍ରବଳ ଭିଡ଼ ହେଉଛି । କାଉଡ଼ିଆମାନେ  ବାହୁଙ୍ଗିରେ ଜଳ ନେଇଯାଉଥିଲାବେଳେ  ଅନେକ ସମୟରେ ସେହି ଭାରରେ ଗାଡ଼ି  ଧକ୍କା ହୋଇଥାଏ । ଏଥିରେ ଅନେକ  ମୃତାହତ ହୁଅନ୍ତି ।  

ରାତିରେ ଯାଉଥିବାବେଳେ ଅନ୍ଧାର  ରାସ୍ତାରେ ଗାଡ଼ି ଧକ୍କା ହୋଇଥାଏ । ତେଣୁ  କାଉଡ଼ିଆମାନେ ଯେପରି ସୁରକ୍ଷିତ ଭାବେ  ଯାତ୍ରା କରିପାରିବେ ସେଥିଲାଗି ଏସ୍‌ଟିଏ  ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ମଝି  ରାସ୍ତାରେ ନଯାଇ ପଥଚାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ  ରାସ୍ତାରେ ଯିବା ଲାଗି କାଉଡ଼ିଆମାନଙ୍କୁ  ପରାମର୍ଶ ଦିଆଯାଇଛି ।