ନୂଆଦିଲ୍ଲୀ, ୧୯/୦୩ : ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ। ସେୟାର ମାର୍କେଟ୍ ରେ ମିସାଇଲ୍ ମାଡ଼। ବଜାର ଖୋଲୁ ଖୋଲୁ ମାର୍କେଟ୍ କ୍ରାସ୍।ବମ୍ଵେ ଷ୍ଟକ୍ ଏକ୍ସଚେଞ୍ଜ୍ ର ୩୦ ସେୟାର ବିଶିଷ୍ଟ ସେନସେକ୍ସ ଇଣ୍ଡେକ୍ସ ଗୁରୁବାର ଓପନିଂ ସହ ୧୯୦୦ ଅଙ୍କ ଖସି ଯାଇଛି। ସେହିପରି ନିଫ୍ଟି ୫୫୦ ଅଙ୍କରୁ ଅଧିକ ଖସି ଯାଇଛି। ଉପସାଗରୀୟ ଦେଶଗୁଡ଼ିକରେ ତୈଳ ଏବଂ ଗ୍ୟାସ କ୍ଷେତ୍ର ଉପରେ ଆକ୍ରମଣ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇଛି । ହଠାତ୍ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୧୩ ଡଲାରରେ ପହଞ୍ଚିଛି। ଏହାର ପ୍ରଭାବ ସେୟାର ବଜାର ଉପରେ ପଡ଼ିଛି।
ବିଏସଇ ସେନସେକ୍ସ ବୁଧବାର ୭୬,୭୦୪ ଅଙ୍କରେ ବନ୍ଦ ହୋଇଥିଲା । ଗୁରୁବାର ଏହା୭୪,୭୫୦ଅଙ୍କରେ ଖୋଲିଥିଲା । ଏହାର କିଛି ମିନିଟ୍ ପରେ ଏହା ୭୪,୬୮୫ ଅଙ୍କକୁ ଖସି ଆସିଥିଲା । ଏପରିକି ନିଫ୍ଟି ମଧ୍ୟ ଖସିଛି । ବୁଧବାର ନିଫ୍ଟି ୨୩,୭୭୭ରେ ବନ୍ଦ ହୋଇଥିଲା । ଗୁରୁବାର ଏହା ୨୩,୧୯୭ରେ ଖୋଲିଛି । ଭାରତୀୟ ସେୟାର ବଜାର ଖସିବା ନେଇ ବିଦେଶରୁ ସଙ୍କେତ ମିଳି ସାରିଥିଲା । ଇରାନ କତାର ସ୍ଥିତ ସବୁଠୁ ବଡ ଏଲଏନଜି ପ୍ଲାଣ୍ଟକୁ ଟାର୍ଗେଟ୍ କରିବା ପରେ ଗଲଫ୍ ଦେଶରେ ଅଶୋଦ୍ଧିତ ତୈଳ ଦର ବୃଦ୍ଧି ପାଇଛି । ଭାରତ ସମେତ ଜାପାନ, ଦକ୍ଷିଣ କୋରିଆ ଭଳି ଦେଶରେ ବଜାର କ୍ରାଶ୍ ହୋଇଯାଇଛି ।
ଗୁରୁବାର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସେୟାର ଗୁଡ଼ିକ ହେଲା HDFC Bank Share (4.50%), LT Share (3.50%), Eternal Share (3%), Bajaj Finance Share (2.80%), Axis Bank Share (2.75%), Asian Paints Share (2.60%), Kotak Bank Share (2.56%), M&M Share (2.40%), Adani Ports Share (2.35%) ଏବଂ IndiGo Share (2.30%)।
ଏହି ଖବରଟିକୁ ପଢନ୍ତୁ- ଇରାନ ଉପରେ ପ୍ରଚଣ୍ଡ ହମ୍ଲା, ସେନା ଘାଟି ଉପରେ ଆମେରିକାର ବଙ୍କର ବଷ୍ଟର ବୋମା ମାଡ଼