ସାରନଗରୀରେ ଷ୍ଟ୍ରିଟ୍ ରୋମିଓଙ୍କ ଉତ୍ପାତ, ଆତଙ୍କିତ ଛାତ୍ରୀ ଏକୁଟିଆ ଘରୁ ବାହାରିବାକୁ ଡରୁଛନ୍ତି…

ରାଉରକେଲା ୦୪/୧୨: କିଛି ଦିନ ହେଲା ସାରନଗରୀ (ସେକ୍ଟର-୨୨) ଅଞ୍ଚଳରେ ଷ୍ଟ୍ରିଟ୍ ରୋମିଓଙ୍କ ଉତ୍ପାତ ବଢିବାରେ ଲାଗିଛି । ଯାହାକୁ ନେଇ ସଂଧ୍ୟା ସମୟରେ ଟିୟୁସନ୍ରୁ ଘରକୁ ଫେରୁଥିବା ଛାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଛାତ୍ରୀମାନେ ଏକୁଟିଆ ଘରକୁ ଫେରିବାକୁ ସୁରକ୍ଷିତ ମଣୁନାହାନ୍ତି । ସ୍ଥାନୀୟ ପୁଲିସ୍ ବି ଏଥିପ୍ରତି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।
ଗତ ଦୁଇ ଦିନ ପୂର୍ବେ ଜଣେ ନାବାଳିକା ଛାତ୍ରୀ ଷ୍ଟିଟ୍ ରୋମିଓଙ୍କ ଆତଙ୍କର ଶିକାର ହୋଇଥିଲେ । ଟିୟୁସନ୍ ଛୁଟି ହେବା ପରେ ଛାତ୍ରୀ ଜଣକ ସାଇକେଲ ଯୋଗେ ଘରକୁ ଫେରୁଥିଲେ । ସ୍ଥାନୀୟ ଆଇଡ଼ିଏଲ୍ ଛକ ନିକଟରେ ଜଣେ ମୁଖାପିନ୍ଧା ଯୁବକ ତାଙ୍କୁ ଅଟକାଇ ଥିଲେ । ଛାତ୍ରୀ ଜଣକ ଅଟକିବା କ୍ଷଣି ତାଙ୍କ ବାପାଙ୍କ ବନ୍ଧୁ ବୋଲି ଯୁବକ ଜଣକ ତାଙ୍କୁ ପରିଚୟ ଦେଇ ବାପା ନେବାକୁ କହିଛନ୍ତି ବୋଲି କହିଥିଲେ । ଛାତ୍ରୀ ଜଣକ ଯୁବକଙ୍କ ଉପରେ ଭରସା ନକରି ବୁଦ୍ଧି ଖଟାଇ ସେଠାରୁ ସାଇକେଲ ଧରି ଦ୍ରୁତ ବେଗରେ ଘରକୁ ଚାଳଇ ଯାଇଥିଲେ । ଘରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ କହିଥିଲେ । କେବଳ ଏହି ଗୋଟିଏ ଘଟଣା ନୁହେଁ, ଅନେକ ସମୟରେ ଷ୍ଟ୍ରିଟ୍ ରୋମିଓମାନେ ଛାତ୍ରୀମାନଙ୍କୁ କମେଣ୍ଟ କରିବା ସହ ଅଶ୍ଲୀଳ ଇଙ୍ଗୀତ ମଧ୍ୟ କରୁଥିବା ଅଭିଯୋଗ ହେଉଛନ୍ତି । ବିଶେଷ ଭାବେ ସଂଧ୍ୟା ସମୟରେ ସ୍ଥାନୀୟ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ଛକ ସ୍ଥାନରେ ପୁଲିସ୍ କର୍ମୀଙ୍କୁ ମୁତୟନ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।