ଭୁବନେଶ୍ଵର, ୨୫/୦୪ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ହୋର୍ମୁଜ୍ ଚୋକ୍। ସମୁଦ୍ର ପଥରେ ଆସିପାରୁନି ତେଲ। ଦେଶରେ ତୈଳ ଯୋଗାଣ ପ୍ରଭାବିତ। ଓଡ଼ିଶାରେ ଲାଗୁ ହେଲା କଟକଣା। ଏଣିକି ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଥରକେ ୫୦ ଲିଟରରୁ ଅଧିକ ଏବଂ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ୍ ବିକ୍ରି କରିପାରିବେ ନାହିଁ। ଏଥିପାଇଁ ପେଟ୍ରୋଲ ପମ୍ପ ଗୁଡ଼ିକୁ ତାଗିଦ୍ କରାଯାଇଛି। ନିୟମ ଉଲ୍ଲଙ୍ଘନ କଲେ ସବୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। 

ସୂଚନାନୁଯାୟୀ, ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ଏଭଳି ଏକ ନୋଟିସ୍ ଲଗାଯାଇଛି। ଭୁବନେଶ୍ଵର ଆରଏସ୍ଏର ବିକ୍ରି ଅଧିକାରୀଙ୍କ ଦ୍ଵାରା ଏହି ନୋଟିସ୍ ଜାରି କରାଯାଇଛି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏହି କଟକଣା ଲାଗିଥିବା କୁହାଯାଉଛି। ରାଜ୍ୟରେ ୩ଟି ସରକାରୀ ପେଟ୍ରୋଲ ପମ୍ପ ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ, ଓ ହିନ୍ଦୁସ୍ତାନ ପେଟ୍ରୋଲିୟମର ୨୫୦୦ରୁ ଅଧିକ ପେଟ୍ରୋଲ ପମ୍ପ ରହିଛି। ସେଥିରୁ କେବଳ ଇଣ୍ଡିଆନ୍ ଅଏଲର ୧୪୦୦ ପମ୍ପ୍ ରହିଛି। ଭୁବନେଶ୍ଵର ଆରଏସଏ ପକ୍ଷରୁ ଏହି ନୋଟିସ୍ ଜାରି ହୋଇଥିବାରୁ ସାରା ରାଜ୍ୟରେ ସବୁ ପେଟ୍ରୋଲ ପମ୍ପ ପାଇଁ ଲାଗୁ ହୋଇଥିବା କୁହାଯାଉଛି। 

​​​​​​​

ଏ ସମ୍ପର୍କରେ ଇଣ୍ଡିଆନ ଅଏଲର ଓଡ଼ିଶା ସିଜିଏମ୍ କମଲ ଶୀଲ କହିଛନ୍ତି ଯେ, ତେଲ ବିକ୍ରି ଉପରେ କୌଣସି କଟକଣା ନାହିଁ। କେବଳ ମହଜୁଦକାରୀଙ୍କ ଉପରେ ଲଗାମ କଷିବାକୁ ଏକକାଳୀନ ଏତେ ମାତ୍ରାରେ ତେଲ ବିକ୍ରି କରିବାକୁ କଟକଣା ଲଗାଯାଇଥାଇପାରେ। ଏହା କମ୍ପାନୀର ଅଭ୍ୟନ୍ତରୀଣ ବ୍ୟାପାର। ତେଲ କଳାବଜାର ଏବଂ ବାଟମାରଣା ରୋକିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ସାଧାରଣ ଗ୍ରାହକଙ୍କ କୌଣସି ସମ୍ପର୍କ ନାହିଁ। ରାଜ୍ୟରେ ତେଲ ଯୋଗାଣ ସ୍ଵାଭାବିକ ରହିଛି। କୌଣସି ଗାଡିରେ ଏତେ ପରିମାଣର ତେଲ ଏକକାଳୀନ ନେଇ ହେବ ନାହିଁ। କେବଳ ଟାଙ୍କିରେ ନେଇ ହେବ। ଏହାକୁ ଏଡାଇବାକୁ ଏହି ନିଷ୍ପତ୍ତି ନିଆଯାଇଛି। 

ଏହି ଖବରଟିକୁ ପଢନ୍ତୁସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ମୁହଁ ଖୋଲିଲେ ବାପା, ଷଡ଼ଯନ୍ତ୍ରରେ ନାତୁଣୀ ଥିଲା ମାଷ୍ଟରମାଇଣ୍ଡ