କୋଣାର୍କ,୧୭/୧୧: ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ସଂରକ୍ଷଣ ପାଇଁ ପ୍ରତି ଶନିବାର ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ ଆଦି ଦାବି ନେଇ ସୋମବାର ପୂର୍ବାହ୍ଣରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦୀର୍ଘ ୨୯ବର୍ଷ ଧରି ସୁରକ୍ଷା ସମିତି ଏହି ଆନ୍ଦୋଳନ କରିଆସୁଛି। ସୂର୍ଯ୍ୟମନ୍ଦିର ସମ୍ମୁଖରେ ସମିତି ସଦସ୍ୟ, ଯୁବଗୋଷ୍ଠୀ, ସମାଜସେବୀ ପ୍ରମୁଖ ସାମିଲ ହୋଇ ଗଣଧାରଣାରେ ବସି ରହିଥିଲେ। ସୁରକ୍ଷା ସମିତି ସଭାପତି ସୌମ୍ୟସୌରଭ ଦାଶଙ୍କ ନେତୃତ୍ୱରେ ଏହି ଗଣଧାରଣାରେ ସମ୍ପାଦକ ରାମକୃଷ୍ଣ ମହାନ୍ତି,ଭାଗିରଥି ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ।

​​​​​​​

ପ୍ରତି ଶନିବାର ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼, ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ, ବ୍ୟବସାୟୀଙ୍କୁ ଥଇଥାନ, ସୂର୍ଯ୍ୟ ମନ୍ଦିର ସଂରକ୍ଷଣରେ ଅବହେଳା ପ୍ରଦର୍ଶନ ହେଉଥିବା ସଂପର୍କରେ ଏକ ଦାବିପତ୍ର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ଏଏସଆଇ ଡିଜି, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏଏସଆଇ ବିରୁଦ୍ଧରେ ଗଣ ଆନ୍ଦୋଳନ ଜାରି ରହିବ ବୋଲି ସମିତି ଚେତାବନୀ ଦେଇଛି। ଏହି କାର୍ଯ୍ୟକ୍ରମକୁ ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।