ବେଲପଡ଼ା, ୨୯/୦୪: କଠିନ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ଓ ସଂଘର୍ଷ ଆଗରେ ଦାରିଦ୍ର୍ୟ କେବେ ବାଧା ହୋଇପାରେନି । ଏହାକୁ ପ୍ରମାଣ କରି ଦେଖାଇଦେଇଛନ୍ତି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ କଂସାପଲା ଗ୍ରାମର ଯୁବକ ପ୍ରେମାନନ୍ଦ ହାତୀଖୁଜିଆ । ଗରିବ ଛୋଟ ଚାଷୀ ପରିବାରରେ ଜନ୍ମ ନେଇଥିବା ପ୍ରେମାନନ୍ଦ ବର୍ତ୍ତମାନ ଏଲ୍‌ଟିଆର୍ ସରକାରୀ ହାଇସ୍କୁଲ ଶିକ୍ଷକ ଭାବେ ନିଯୁକ୍ତି ପାଇ ଅଞ୍ଚଳର ଗୌରବ ବଢ଼ାଇଛନ୍ତି ।

ପ୍ରେମାନନ୍ଦଙ୍କ ବାପା ଦେବାର୍ଚ୍ଚନ ହାତୀଖୁଜିଆ ଜଣେ କ୍ଷୁଦ୍ର ଚାଷୀ ଥିବାବେଳେ ମା’ ବିନୋଦିନୀ ହାତୀଖୁଜିଆ ମଧ୍ୟ ଦିନ ମଜୁରିଆ ସହ କେନ୍ଦୁପତ୍ର ତୋଳିବା ଏବଂ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପୋଷଣ କରୁଛନ୍ତି । କେତେବେଳେ ଜୀବିକା ପାଇଁ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯିବାକୁ ମଧ୍ୟ ପଡ଼ୁଥିଲା । ଏପରି ଅଭାବ ମଧ୍ୟରେ ପ୍ରେମାନନ୍ଦ କେବେ ବି ହାରମାନି ନଥିଲେ । ସେ ଛୋଟବେଳୁ ପରିବାରକୁ ସାହାଯ୍ୟ କରିବା ପାଇଁ ଚାଷ କାମରେ ସାହାଯ୍ୟ କରୁଥିଲେ ତା ସହିତ ଛେଳି ମଧ୍ୟ ଚରାଉଥିଲେ । ଜଙ୍ଗଲକୁ ଛେଳି ଚରାଇ ଯିବା ବେଳେ ସାଙ୍ଗରେ ବହି ଆଉ ଖାତା ଟିଏ ଧରି କି ଯାଉଥିଲେ, ଆଉ ଜଙ୍ଗଲର ଗଛମୂଳତଳେ ପାଠ ପଢୁଥିଲେ ।

ପ୍ରେମାନନ୍ଦ କଂସାପଲାର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ତାଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ । ପରେ ସେ ଗମ୍ଭାରୀ ହାଇସ୍କୁଲରେ ମାଟ୍ରିକ୍ ପରୀକ୍ଷା ସଫଳତାର ସହିତ ଉତ୍ତୀର୍ଣ୍ଣ ହେଲେ । ଏହାପରେ ସେ ରାଜେନ୍ଦ୍ର ମେହେର କଲେଜରେ ଭର୍ତ୍ତି ହୋଇ ଯୁକ୍ତ୨ ଶିକ୍ଷା ସମାପ୍ତ କରିଥିଲେ । ଏହାପରେ ୨୦୨୨ ମସିହାରେ ଜବାହାରଲାଲ କଲେଜ ପାଟଣାଗଡ଼ରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ । ପରେ ଉତ୍କଳ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସଫଳତା ଲାଭ କରି ନାମ ଲେଖାଇଥିଲେ । ସେଠାରେ ୨ବର୍ଷ ଇଞ୍ଜିନିୟର ପାଠ୍ୟକ୍ରମ ସମାପ୍ତ କରି ପରେ ଏଲ୍‌ଟି ଆର୍ ଶିକ୍ଷକ ଚାକିରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରାୟ ଦୁଇ ବର୍ଷ ଧରି ଅନବରତ ପରିଶ୍ରମ ପରେ ସମସ୍ତ ପର୍ଯ୍ୟାୟରେ ସଫଳତା ହାସଲ କରିଥିଲେ ।

ଅଧିକ ପଢ଼ନ୍ତୁ :- ଗାଁ ଡ୍ରାମା ମଞ୍ଚରେ ବୁଲିଲା ଠେଙ୍ଗା, ବର୍ଷିଲା ଟେକା; ଆଉ ତା ପରେ....

ଗତ ୨୩ ଏପ୍ରିଲରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ହକି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି । ବର୍ତ୍ତମାନ ସେ ରାୟଗଡା ଜିଲ୍ଲାରେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ପ୍ରେମାନନ୍ଦ ନିଜ ସଫଳତାର ଶ୍ରେୟ ମା’, ବାପା, ମାମୁଁ, ଆଈ ଓ ପରିବାରର ସମସ୍ତ ସଦସ୍ୟଙ୍କୁ ଦେଇଛନ୍ତି । ସେମାନଙ୍କ ତ୍ୟାଗ, ଆର୍ଥିକ ସହଯୋଗ ଓ ପ୍ରେରଣା ତାଙ୍କୁ ଏହି ସଫଳତାରେ ପହଞ୍ଚାଇଛି । ପ୍ରେମାନନ୍ଦଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ଅଞ୍ଚଳର ଯୁବପିଢ଼ୀ ପାଇଁ ମଧ୍ୟ ଏକ ପ୍ରେରଣାଦାୟକ ଉଦାହରଣ ହୋଇଛି ।