ଡେଲାଙ୍ଗ, ୨୯/୦୪: ଡେଲାଙ୍ଗ ଥାନା ଅନ୍ତର୍ଗତ ରେଙ୍ଗଳ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଡ୍ରାମା ମଞ୍ଚରେ ପିଟାପିଟି ହୋଇଛନ୍ତି । ପୁଲିସ୍ ତଦନ୍ତ ଜାରି ରଖିଛି ।ଗତ ୩ ବର୍ଷ ହେଲାଣି ଶ୍ରୀଭାଗବତ ବାସୁଦେବ ଡ୍ରାମାଟିକ ଆସୋସିଏସନ୍ ପକ୍ଷରୁ ଡ୍ରାମା ପରିବେଷଣ ହୋଇ ଆସୁଛି । ଚଳିତ ବର୍ଷ ଡ୍ରାମା ଚାଲିଥିବା ବେଳେ ଗଣ୍ଡଗୋଳ ହୋଇଥିଲା । ଉପର ସାହିର ୧୫ରୁ ଅଧିକ ଯୁବକ ମାରଣାସ୍ତ୍ର ସହ ଠେଙ୍ଗା ଧରି ମଞ୍ଚ ଉପରକୁ ଚଢ଼ି ଭଙ୍ଗାରୁଜା କରିଥିଲେ । ଠେଙ୍ଗା ବୁଲାଇ ଥିଲେ । ଟେକା ପଥର ମାଡ଼ କରିଥିଲେ । ଆକ୍ରମଣ ପରେ ଜିନିଷପତ୍ର ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ଗଣ୍ଡଗୋଳ ସମୟରେ ଲୋକେ ଦୌଡ଼ା ଦୌଡ଼ି ହୋଇଥିଲେ । ଦଳାଚକଟାରେ ଏକାଧିକ ଆହତ ହୋଇଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଡ୍ରାମାଟିକ୍ ଆସୋସିଏସନର ସଭାପତି ବିକ୍ରମ ସାହୁଙ୍କ ସମେତ ପ୍ରଶାନ୍ତ ରାୟ, ଦୀପକ ବାରିକ, ଗଣେଶ ମହାପାତ୍ର, ଦୀପକ ଲେଙ୍କା ପ୍ରମୁଖ ଥାନାରେ ଅଭିଯୋଗ କରିଛନ୍ତି । ଅପରପକ୍ଷରୁ ପାଲଟା ଅଭିଯୋଗ ହୋଇଛି । ପୁଲିସ୍ ପୃଥକ୍ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନି।