ସମ୍ବଲପୁର,୨୪/୮: ମହାନଦୀକୁ ଡେଇଁ ଛାତ୍ରୀ ନିଖୋଜ । ସମ୍ବଲପୁର ଚାଉଁରପୁର ବ୍ରିଜରୁ ଜଣେ ଛାତ୍ରୀ ମହାନଦୀକୁ ଡେଇଁ ପଡିଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି । ଏଯାଏଁ ଛାତ୍ରୀଙ୍କର କୌଣସି ପତ୍ତା ମିଳିନି । ବ୍ରିଜ୍ ଉପରୁ ତାଙ୍କର ସାଇକେଲ, ଚପଲ ଏବଂ ବ୍ୟାଗ୍ ଜବତ କରାଯାଇଛି । ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉକ୍ତ ଛାତ୍ରୀଙ୍କ ବ୍ୟାଗରୁ ନବମ ଶ୍ରେଣୀର ଗୋଟେ ପ୍ରଶ୍ନପତ୍ର ମିଳିଛି । ଯେଉଁଥିରୁ ତାଙ୍କ ନାମ ଅରିତା ବିଶି ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଛାତ୍ରୀ ଜଣଙ୍କ ପ୍ରାୟ ସକାଳ ୬ଟା ୩୦ରେ ବ୍ରିଜରୁ ତଳକୁ ଡେଇଁ ପଡିଛନ୍ତି । ସେ ବୁଢାରଜା ହାଇସ୍କୁଲରେ ପାଠ ପଢୁଥିଲେ। ତାଙ୍କର ବାପା ଓ ମା ନାହାନ୍ତି। ସେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହୁଥିଲେ। ଆଜି କୌଣସି କାରଣରୁ ଘରୁ ଚାଲି ଆସି ବ୍ରିଜ ଉପରେ ନିଜ ଚପଲ, ବ୍ୟାଗ, ସାଇକେଲ ଏବଂ ମୋବାଇଲ ଥୋଇ ନଦୀକୁ ଡେଇଁ ପଡିଛନ୍ତି। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୁଲିସକୁ ଜଣାଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ଗୋଟିଏ ଟିମ୍ ପାୱାର ବୋଟ ସାହାଯ୍ୟରେ ଖୋଜା ଖୋଜି ଆରମ୍ଭ କରିଛି । ବ୍ରିଜଠୁ ଏକ କିଲୋମିଟର ଦୂର ପର୍ଯ୍ୟନ୍ତ ଯାଇ ଖୋଜାଖୋଜି କରୁଛନ୍ତି । ପୁଲିସ ପକ୍ଷରୁ ଛାତ୍ରୀଙ୍କ ପରିବାର ବର୍ଗକୁ ସୂଚନା ଦିଆଯାଇଛି ।
କହିରଖୁ କି, ଛତିଶଗଡର କଲମା ବ୍ୟାରେଜ ଖୋଲିବା ପରେ ହୀରାକୁଦ ଜଳସ୍ତର ବୃଦ୍ଧି ପାଉଛି । ଏହି କାରଣରୁ ଏବେ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଜଳ ଭଣ୍ଡାରରୁ ୧, ୬୧,୬୭୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି।