ଛାତ୍ରୀ ମୃତ୍ୟୁରୁ ସେବାଶ୍ରମ ସ୍କୁଲରେ ଉତ୍ତେଜନା

source:www.istockphoto.com
ଭୋଗରାଇ,୧୨ା୨(ଆପ୍ର): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ରାମଚନ୍ଦ୍ରପୁର ସେବାଶ୍ରମ ସ୍କୁଲର ଅନ୍ତେବାସୀ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କ ମୁତ୍ୟୁ ଓ ଅନ୍ୟ ଜଣେ ଛାତ୍ରୀ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ଭୋଗରାଇ ବ୍ଲକ୍ କମର୍ଦ୍ଦା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଶହେ ଶଯ୍ୟା ବିଶିଷ୍ଟ ସେବାଶ୍ରମ ଛାତ୍ରୀ ନିବାସ ରହିଛି । ଏହି ସେବାଶ୍ରମ ସ୍କୁଲରେ ସମୁଦାୟ ୧୪୦ ଛାତ୍ରୀ ପଢ଼ୁଥିଲା ବେଳେ ସେଥିରୁ ୧୧୦ ଜଣ ଛାତ୍ରୀ ସେବାଶ୍ରମରେ ରହନ୍ତି । ସୋମବାର ଅପରାହ୍ନରେ ୫ମ ଶ୍ରେଣୀରେ ପଢ଼ୁଥିବା ରାଇବଣିଆ ଥାନା ଅନ୍ତର୍ଗତ କାଣ୍ଡରଡିହା ଗ୍ରାମର ମେଘାଇ ହାଁସଦା ଓ ସୀତା ହାଁସଦାଙ୍କ ଝିଅ ଝୁମୁରି (୧୧) ହଠାତ୍ ଦୁଇ ଥର ବାନ୍ତି କରି ଅସୁସ୍ଥ ହୋଇପଡ଼ିଥିଲେ । ପ୍ରଧାନ ଶିକ୍ଷକ ତଥା ସେବାଶ୍ରମ ଅଧୀକ୍ଷକ କାଳିଚରଣ ମାରାଣ୍ଡି ଝୁମୁରିକୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ସାଲାଇନ ଦେଇଥିଲେ । ମାତ୍ର ସାଲାଇନ ସରିବା ପରେ ଡାକ୍ତରଙ୍କୁ ନ ଜଣାଇ ଶ୍ରୀ ମାରାଣ୍ଡି ଝୁମୁରିକୁ ସ୍କୁଲକୁ ନେଇ ଚାଲିଆସିଥିଲେ । ସନ୍ଧ୍ୟା ୬ଟାରେ ଝୁମୁରି ଗୁରୁତର ହେବାରୁ ପୁଣି ତାକୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ଥିବା ଦେଖି ଡାକ୍ତର ତାକୁ ବାଲେଶ୍ୱର ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ରାତି ୯ଟା ୪୫ରେ ଝୁମୁରିର ମୃତ୍ୟୁ ହୋଇଥିଲା । ଏହି ଘଟଣା ଆଜି ସକାଳେ ଜଣାପଡ଼ିଥିଲା । ସେହିପରି ଅନ୍ୟ ଜଣେ ୫ମ ଶ୍ରେଣୀ ଛାତ୍ରୀ ପୁନ୍ତା ମାର୍ଣ୍ଡି (୧୧) ଆଜି ସକାଳେ ବାନ୍ତି କରି ଅସୁସ୍ଥ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ଏହି ଖବର ପ୍ରଚାର ମାତ୍ରେ ରାମଚନ୍ଦ୍ରପୁର ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇ ସେବାଶ୍ରମକୁ ଘେରାଉ କରିଥିଲେ । ଏହା ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ସେବାଶ୍ରମରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରାଜୀବ କୁମାର ସାହୁ ସେବାଶ୍ରମରେ ପହଞ୍ଚିବା ମାତ୍ରେ ଉତ୍ତ୍ୟକ୍ତ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ । ସେବାଶ୍ରମର ରୋଷେଇ ଘରକୁ ପରିଚ୍ଛନ୍ନ ରଖିବା ସହ ଉନ୍ନତ ମାନର ଖାଦ୍ୟପେୟ ଏବଂ ପାଚେରୀ ନିର୍ମାଣ, ଗ୍ରାମ୍ୟ କମିଟି ଗଠନ କରି ସେବାଶ୍ରମର କାର୍ଯ୍ୟକଳାପ ତଦାରଖର ପ୍ରତିଶ୍ରୁତି ଦେବା ପରେ ଡିଡବ୍ଲ୍ୟୁଓ ମୁକୁଳିଥିଲେ । ଦାୟିତ୍ୱରେ ଅବହେଳା କରିଥିବା ସେବାଶ୍ରମ ଅଧୀକ୍ଷକ କାଳିଚରଣ ମାରାଣ୍ଡି, ଦୁଇ ରୋଷେୟା ବନ୍ଦନା ସିଂ, ପାର୍ବତୀ ସିଂ ଏବଂ ମେଟ୍ରନ୍ ସୁଷମା ସାହୁଙ୍କୁ ଡିଡବ୍ଲୁଓ ନିଲମ୍ବିତ କରିଛନ୍ତି । ଜଣେ ମହିଳା ଅଧୀକ୍ଷକ ସହ ମାଟ୍ରନ୍ ନିଯୁକ୍ତ ହେବେ ବୋଲି ଡିଡବ୍ଲୁଓ ପ୍ରତିଶ୍ରୁତି ଦେଇଛନ୍ତି ।