କଟକ,୧୨/୦୮: ‘ଚାଲ୍‌ ଭାଇ ଡାକୁଛନ୍ତି’ । ଏମିତି କହି ଦୁଇ ଜଣ କଲେଜ ଛାତ୍ରଙ୍କୁ ରାସ୍ତାରୁ ଟେକି ନେଲେ କିଛି ଯୁବକ । ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରମାନେ ତୁରନ୍ତ ଥାନାକୁ ଖବର ଦେଲେ । ପିସିଆର୍‌ ଭ୍ୟାନ୍‌ ଯାଇ ଦୁଇ ଛାତ୍ରଙ୍କୁ ଉଦ୍ଧାର କଲା । ପରେ ଥାନାରେ ଏନେଇ ଏତଲା ବି  ହେଲା । କିନ୍ତୁ ଅଣ୍ଡରଟେକିଂ ମାଧ୍ୟମରେ ସମାଧାନ କରି ଛାଡ଼ିଲା ପୁଲିସ୍‌ । ଏହି ଘଟଣା ପରେ ଏକ କଲ୍‌ ରେକର୍ଡିଂ ଭାଇରାଲ୍‌ ହେଉଛି । କାହିଁକି ଥାନାରେ ଏତଲା ଦେଲ ବୋଲି କେହି ଜଣେ ଫୋନ୍‌ରେ ସଂପୃକ୍ତ ଛାତ୍ରଙ୍କୁ ଧମକାଇବା ସହ ଏତଲା ଦେବାର  ପରିଣତିରେ ଆଗକୁ କ’ଣ ହେଉଛି ଦେଖ୍‌ ବୋଲି କହି ଖୋଲାଖୋଲି ଧମକ ଦେଉଛି ।  

ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏବେ ଅଧିକାଂଶ କଲେଜ କ୍ୟାମ୍ପସ୍‌ରେ ଏକ ନିର୍ଦ୍ଦିଷ୍ଟ ଅପରାଧିକ ଗୋଷ୍ଠୀ ନିଜ ପତିଆରା ଜାହିର କରିବାକୁ ଉଦ୍ୟମ କରୁଛନ୍ତି । ସେହି କ୍ରମରେ ସୋମବାର କଟକର ଏକ  ନିର୍ଦ୍ଦିଷ୍ଟ କଲେଜ ନିକଟରେ ଏଭଳି ଘଟଣା ଘଟିଛି ।  ଦୁଇ ଛାତ୍ରଙ୍କୁ ଉଠାଇଥିବା ଗ୍ୟାଙ୍ଗ୍‌ ଏବେ କଟକର  ବିଭିନ୍ନ କଲେଜରେ ‘ହ୍ୱାଇଟ୍‌ ବ୍ରଦର୍ସ’ ନାଁରେ  ପରିଚିତ । ଛାତ୍ର ସଂସଦ ନିର୍ବାଚନକୁ ସଂପୂର୍ଣ୍ଣ  ଭାବେ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏହି  ଗ୍ୟାଙ୍ଗ୍‌ର କିଛି ଜେଲ୍‌ ଫେରନ୍ତା ଅପରାଧୀ ଓ  ତାଙ୍କ ସହଯୋଗୀମାନେ କ୍ୟାମ୍ପସ୍‌ ରାଜନୀତିରେ ନିଜ ପ୍ରଭାବ ବଢାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।  ଫଳରେ ଆଗାମୀ ଦିନରେ କଲେଜ କ୍ୟାମ୍ପସରେ  ହିଂସାକାଣ୍ଡ ଓ ଛାତ୍ର ଅଶାନ୍ତି ବ୍ୟାପିବାର ଆଶଙ୍କା  ବି ସୃଷ୍ଟି ହେଲାଣି । 

ଛାତ୍ର ସଂସଦ ନିର୍ବାଚନ ନେଇ ସରକାରଙ୍କ  ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା  ହୋଇନାହିଁ । କିନ୍ତୁ ନିର୍ବାଚନ ନେଇ ସରକାର  ପୂର୍ବରୁ ଦେଇଥିବା ସାମାନ୍ୟ ଆଭାସ କ୍ୟାମ୍ପସ୍‌  ରାଜନୀତିକୁ ସରଗରମ କଲାଣି । ନିର୍ବାଚନକୁ  ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳର ସମର୍ଥିତ  ଆଶାୟୀ ପ୍ରାର୍ଥୀମାନେ ବାହାରକୁ ବାହାରିଲେଣି ।  ଛାତ୍ରଛାତ୍ରୀଙ୍କୁ ଏକାଠି କରୁଛନ୍ତି ଓ କଲେଜର  ବିଭିନ୍ନ ସମସ୍ୟା ବାବଦରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି  ଆକର୍ଷଣ କରି ସମାଧାନ ଦାବି କରୁଛନ୍ତି । ବିଭିନ୍ନ  ରାଜନୈତିକ ଦଳ ମଧ୍ୟ ଊଣାଅଧିକେ କ୍ୟାମ୍ପସ୍‌  ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି । ଏଭଳି  ସ୍ଥିତିରେ କିଛି ଅପରାଧିକ ଗୋଷ୍ଠୀ ମଧ୍ୟ କ୍ୟାମ୍ପସ୍‌  ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ  ଆରମ୍ଭ କରିଛନ୍ତି । ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କୁ  ଭ୍ରମିତ କରି ନିଜ ମୂଳ ଉଦ୍ଦେଶ୍ୟକୁ ସଫଳ କରିବା  ପାଇଁ ଭୋଜିଭାତ ଆୟୋଜନ କରିବା ସହ ବିଭିନ୍ନ  ସ୍ଥାନରେ ଏକାଠି କରି ନିଜ କ୍ଷମତା ପ୍ରଦର୍ଶନ  କରୁଛନ୍ତି । କଟକ ସହରର କିଛି କଲେଜରେ ଏ  ଗୋଷ୍ଠୀ ହ୍ୱାଇଟ୍‌ ବ୍ରଦର୍ସ ନାଁରେ ଅଭିଯାନ ଆରମ୍ଭ  କରିଛନ୍ତି । କଲେଜ କର୍ତ୍ତୃପକ୍ଷ ମଧ୍ୟ ଏମାନଙ୍କୁ ଭୟ  କରୁଥିବା ଦେଖିବାକୁ ମିଳିଛି । କ୍ୟାମ୍ପସ୍‌ ଭିତର  ଏଭଳି ଭାଇଗିରିକୁ ବିଡାନାସୀ ଥାନା ଅନ୍ତର୍ଗତ  ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ପରିଚାଳନା କରାଯାଉଛି ।  ଜଣେ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ସହଯୋଗୀ ଏହାର ନେତୃତ୍ୱ  ନେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଭିତରେ ଭୟ  ସୃଷ୍ଟି କରିବାକୁ ହ୍ୱାଇଟ୍‌ ବ୍ରଦର୍ସ ନାଁରେ କଲେଜ କ୍ୟାମ୍ପସରେ ଏହି ଅଭିଯାନ ଆରମ୍ଭ  ହୋଇସାରିଛି ।  ବିଡାନାସୀ ଥାନା ଅଞ୍ଚଳର ଏକ କଲେଜ  ବାହାରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । 

ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗରେ ବିଜୁ ଛାତ୍ର ଜନତା  ଦଳ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିବାକୁ ଦଳୀୟ ଛାତ୍ରଛାତ୍ରୀମାନେ ଏକାଠି ହୋଇଥିଲେ । ଏତିକି ବେଳେ  ହଠାତ୍‌ ଦୁଇ ଜଣ ଛାତ୍ରଙ୍କୁ ଭାଇ ଡାକୁଛନ୍ତି ବୋଲି କହି ଟେକି  ନେଇଗଲେ କଥିତ କିଛି ଯୁବକ । ହ୍ୱାଇଟ୍‌ ବ୍ରଦର୍ସ କ୍ୟାମ୍ପ୍‌କୁ  ନିଆଯାଇଥିବା ଜାଣି ଅନ୍ୟ ଛାତ୍ରଛାତ୍ରୀମାନେ ବିଡାନାସୀ ଥାନାକୁ  ଖବର ଦେଇଥିଲେ । ପୁଲିସ୍‌ ଯାଇ ଦୁଇ ଛାତ୍ରଙ୍କୁ ଉଦ୍ଧାର  କରି ଥାନାକୁ ଆଣିଥିଲା । ଯେଉଁମାନେ ଛାତ୍ରଙ୍କୁ ନେଇଥିଲେ  ସେମାନଙ୍କୁ ମଧ୍ୟ ଥାନାକୁ ଅଣାଯାଇଥିଲା । ପରେ ଏ ବାବଦରେ  ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଉଭୟପକ୍ଷଙ୍କୁ ବୁଝାଶୁଝା  କରି ଅଣ୍ଡରଟେକିଂ ଲେଖାଇ ନେଇ ଛଡ଼ାଯାଇଥିଲା । ଘଟଣାକୁ ନେଇ ଆଲୋଡ଼ନ ଖେଳିଥିବା ବେଳେ କଲେଜ କ୍ୟାମ୍ପସ୍‌ରେ  ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି  ଦେବାକୁ ଦାବି ଉଠିଛି ।