କଟକ,୧୨/୦୮: ‘ଚାଲ୍ ଭାଇ ଡାକୁଛନ୍ତି’ । ଏମିତି କହି ଦୁଇ ଜଣ କଲେଜ ଛାତ୍ରଙ୍କୁ ରାସ୍ତାରୁ ଟେକି ନେଲେ କିଛି ଯୁବକ । ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରମାନେ ତୁରନ୍ତ ଥାନାକୁ ଖବର ଦେଲେ । ପିସିଆର୍ ଭ୍ୟାନ୍ ଯାଇ ଦୁଇ ଛାତ୍ରଙ୍କୁ ଉଦ୍ଧାର କଲା । ପରେ ଥାନାରେ ଏନେଇ ଏତଲା ବି ହେଲା । କିନ୍ତୁ ଅଣ୍ଡରଟେକିଂ ମାଧ୍ୟମରେ ସମାଧାନ କରି ଛାଡ଼ିଲା ପୁଲିସ୍ । ଏହି ଘଟଣା ପରେ ଏକ କଲ୍ ରେକର୍ଡିଂ ଭାଇରାଲ୍ ହେଉଛି । କାହିଁକି ଥାନାରେ ଏତଲା ଦେଲ ବୋଲି କେହି ଜଣେ ଫୋନ୍ରେ ସଂପୃକ୍ତ ଛାତ୍ରଙ୍କୁ ଧମକାଇବା ସହ ଏତଲା ଦେବାର ପରିଣତିରେ ଆଗକୁ କ’ଣ ହେଉଛି ଦେଖ୍ ବୋଲି କହି ଖୋଲାଖୋଲି ଧମକ ଦେଉଛି ।
ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏବେ ଅଧିକାଂଶ କଲେଜ କ୍ୟାମ୍ପସ୍ରେ ଏକ ନିର୍ଦ୍ଦିଷ୍ଟ ଅପରାଧିକ ଗୋଷ୍ଠୀ ନିଜ ପତିଆରା ଜାହିର କରିବାକୁ ଉଦ୍ୟମ କରୁଛନ୍ତି । ସେହି କ୍ରମରେ ସୋମବାର କଟକର ଏକ ନିର୍ଦ୍ଦିଷ୍ଟ କଲେଜ ନିକଟରେ ଏଭଳି ଘଟଣା ଘଟିଛି । ଦୁଇ ଛାତ୍ରଙ୍କୁ ଉଠାଇଥିବା ଗ୍ୟାଙ୍ଗ୍ ଏବେ କଟକର ବିଭିନ୍ନ କଲେଜରେ ‘ହ୍ୱାଇଟ୍ ବ୍ରଦର୍ସ’ ନାଁରେ ପରିଚିତ । ଛାତ୍ର ସଂସଦ ନିର୍ବାଚନକୁ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏହି ଗ୍ୟାଙ୍ଗ୍ର କିଛି ଜେଲ୍ ଫେରନ୍ତା ଅପରାଧୀ ଓ ତାଙ୍କ ସହଯୋଗୀମାନେ କ୍ୟାମ୍ପସ୍ ରାଜନୀତିରେ ନିଜ ପ୍ରଭାବ ବଢାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଫଳରେ ଆଗାମୀ ଦିନରେ କଲେଜ କ୍ୟାମ୍ପସରେ ହିଂସାକାଣ୍ଡ ଓ ଛାତ୍ର ଅଶାନ୍ତି ବ୍ୟାପିବାର ଆଶଙ୍କା ବି ସୃଷ୍ଟି ହେଲାଣି ।
ଛାତ୍ର ସଂସଦ ନିର୍ବାଚନ ନେଇ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । କିନ୍ତୁ ନିର୍ବାଚନ ନେଇ ସରକାର ପୂର୍ବରୁ ଦେଇଥିବା ସାମାନ୍ୟ ଆଭାସ କ୍ୟାମ୍ପସ୍ ରାଜନୀତିକୁ ସରଗରମ କଲାଣି । ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳର ସମର୍ଥିତ ଆଶାୟୀ ପ୍ରାର୍ଥୀମାନେ ବାହାରକୁ ବାହାରିଲେଣି । ଛାତ୍ରଛାତ୍ରୀଙ୍କୁ ଏକାଠି କରୁଛନ୍ତି ଓ କଲେଜର ବିଭିନ୍ନ ସମସ୍ୟା ବାବଦରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ ଦାବି କରୁଛନ୍ତି । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଊଣାଅଧିକେ କ୍ୟାମ୍ପସ୍ ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି । ଏଭଳି ସ୍ଥିତିରେ କିଛି ଅପରାଧିକ ଗୋଷ୍ଠୀ ମଧ୍ୟ କ୍ୟାମ୍ପସ୍ ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କୁ ଭ୍ରମିତ କରି ନିଜ ମୂଳ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଭୋଜିଭାତ ଆୟୋଜନ କରିବା ସହ ବିଭିନ୍ନ ସ୍ଥାନରେ ଏକାଠି କରି ନିଜ କ୍ଷମତା ପ୍ରଦର୍ଶନ କରୁଛନ୍ତି । କଟକ ସହରର କିଛି କଲେଜରେ ଏ ଗୋଷ୍ଠୀ ହ୍ୱାଇଟ୍ ବ୍ରଦର୍ସ ନାଁରେ ଅଭିଯାନ ଆରମ୍ଭ କରିଛନ୍ତି । କଲେଜ କର୍ତ୍ତୃପକ୍ଷ ମଧ୍ୟ ଏମାନଙ୍କୁ ଭୟ କରୁଥିବା ଦେଖିବାକୁ ମିଳିଛି । କ୍ୟାମ୍ପସ୍ ଭିତର ଏଭଳି ଭାଇଗିରିକୁ ବିଡାନାସୀ ଥାନା ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ପରିଚାଳନା କରାଯାଉଛି । ଜଣେ ଗ୍ୟାଙ୍ଗ୍ଷ୍ଟର୍ଙ୍କ ସହଯୋଗୀ ଏହାର ନେତୃତ୍ୱ ନେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଭିତରେ ଭୟ ସୃଷ୍ଟି କରିବାକୁ ହ୍ୱାଇଟ୍ ବ୍ରଦର୍ସ ନାଁରେ କଲେଜ କ୍ୟାମ୍ପସରେ ଏହି ଅଭିଯାନ ଆରମ୍ଭ ହୋଇସାରିଛି । ବିଡାନାସୀ ଥାନା ଅଞ୍ଚଳର ଏକ କଲେଜ ବାହାରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିବାକୁ ଦଳୀୟ ଛାତ୍ରଛାତ୍ରୀମାନେ ଏକାଠି ହୋଇଥିଲେ । ଏତିକି ବେଳେ ହଠାତ୍ ଦୁଇ ଜଣ ଛାତ୍ରଙ୍କୁ ଭାଇ ଡାକୁଛନ୍ତି ବୋଲି କହି ଟେକି ନେଇଗଲେ କଥିତ କିଛି ଯୁବକ । ହ୍ୱାଇଟ୍ ବ୍ରଦର୍ସ କ୍ୟାମ୍ପ୍କୁ ନିଆଯାଇଥିବା ଜାଣି ଅନ୍ୟ ଛାତ୍ରଛାତ୍ରୀମାନେ ବିଡାନାସୀ ଥାନାକୁ ଖବର ଦେଇଥିଲେ । ପୁଲିସ୍ ଯାଇ ଦୁଇ ଛାତ୍ରଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା । ଯେଉଁମାନେ ଛାତ୍ରଙ୍କୁ ନେଇଥିଲେ ସେମାନଙ୍କୁ ମଧ୍ୟ ଥାନାକୁ ଅଣାଯାଇଥିଲା । ପରେ ଏ ବାବଦରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଉଭୟପକ୍ଷଙ୍କୁ ବୁଝାଶୁଝା କରି ଅଣ୍ଡରଟେକିଂ ଲେଖାଇ ନେଇ ଛଡ଼ାଯାଇଥିଲା । ଘଟଣାକୁ ନେଇ ଆଲୋଡ଼ନ ଖେଳିଥିବା ବେଳେ କଲେଜ କ୍ୟାମ୍ପସ୍ରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ଉଠିଛି ।