କଟକ,୨୮/୦୫ : ରାଜ୍ୟରେ ବ୍ୟାଚ୍ଲର୍ ଅଫ୍ ଏଜୁକେସନ (ବିଏଡ୍) ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରେ ଲାଗିଛି। ଚଳିତ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ପାଇଁ ସ୍ନାତକୋତ୍ତର (ପିଜି) ଡିଗ୍ରୀ କରିବା ଅପେକ୍ଷା ବିଏଡ୍ ପାଠ୍ୟକ୍ରମ ପାଇଁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥିବା ଜଣାପଡ଼ିଛି । ଏପରିକି ବିଏଡ୍ ପାଠ୍ୟକ୍ରମରେ ରାଜ୍ୟରେ ଥିବା ସିଟ୍ ସଂଖ୍ୟାଠାରୁ ୪୭ ଗୁଣା ଅଧିକ ଆଶାୟୀ ଅନ୍ଲାଇନରେ ପଞ୍ଜୀକରଣ କରିଛନ୍ତି । କିନ୍ତୁ ସେହି ଅନୁସାରେ ସ୍ନାତକୋତ୍ତର (ପିଜି) ପଢ଼ିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳୁନାହିଁ।ଆସନ୍ତା ଜୁନ୍ ୧ ତାରିଖରେ ବିଏଡ୍ ଏବଂ ବ୍ୟାଚଲର ଅଫ୍ ହିନ୍ଦୀ ଏଜୁକେସନ (ବିଏଚ୍ଏଡ୍) ପାଠ୍ୟକ୍ରମ ପାଇଁ ଏବଂ ଏମ୍ଏଡ୍ ପାଇଁ ଜୁନ୍ ୪ ତାରିଖରେ ପ୍ରବେଶିକା ପରୀକ୍ଷା ହେବ ବୋଲି ଜଣାପଡ଼ିଛି ।
୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଆସନ୍ତା ଜୁନ୍ ଜୁଲାଇରୁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହେବ । ଏଥିପାଇଁ ମଇ ମାସରୁ ଆବେଦନ ଆରମ୍ଭ ହୋଇଯାଇଛି । ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ସାମ୍ସ)ରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବିଏଡ୍ ପାଠ୍ୟକ୍ରମ ପାଇଁ ମୋଟ୍ ୩୧ଟି ଅନୁଷ୍ଠାନ ଥିବାବେଳେ ସିଟ୍ ସଂଖ୍ୟା ରହିଛି ୨ ହଜାର ୭୫୦ । ମାତ୍ର ମୋଟ୍ ୧ ଲକ୍ଷ ୨୯ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ବିଏଡ୍, ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପଢ଼ିବାକୁ ଅନ୍ଲାଇନ୍ରେ ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ବିଏଡ୍ ପାଇଁ ୧ ଲକ୍ଷ ୨୬ ହଜାର ୧୨୫ ଜଣ ଆଶାୟୀ ଥିବାବେଳେ ହିନ୍ଦୀ ଶିକ୍ଷା (ବିଏଚ୍ଏଡ୍) ପାଇଁ ୧୯୩୬ ଜଣ ଏବଂ ଏମ୍ଏଡ୍ ପାଇଁ ୧୬୫୧ ଜଣ ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରେ ୮୬ ହଜାର ୯୩ ଜଣ ଛାତ୍ରୀ ଥିବାବେଳେ ୪୩ ହଜାର ୬୧୨ ଜଣ ଛାତ୍ର ଏବଂ ୭ ଜଣ ଟ୍ରାନ୍ସଜେଣ୍ଡର୍ ଥିବା ସାମ୍ସରୁ ଜଣାପଡ଼ିଛି । ଅର୍ଥାତ ଛାତ୍ରଙ୍କ ତୁଳନାରେ ୨ ଗୁଣା ଅଧିକ ଛାତ୍ରୀ ଏହି ପାଠ୍ୟକ୍ରମ ପାଇଁ ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରୁ ମୋଟ ୧ ଲକ୍ଷ ୨୨ ହଜାର ୭୫୦ ଜଣ ଛାତ୍ରଛାତ୍ରୀ କମନ୍ ଆପ୍ଲିକେସନ୍ ଫି’ ଦାଖଲ କରିଛନ୍ତି ।
ଅନ୍ୟପଟେ ରାଜ୍ୟରେ ଥିବା ମୋଟ ୧୨୧ଟି ଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ପାଇଁ ମୋଟ୍ ୩୦ ହଜାର ୮୦୨ଟି ସିଟ୍ ରହିଛି । ଏଥିପାଇଁ ମୋଟ୍ ୬୨ ହଜାର ୩୨୧ ଜଣ ଆଶାୟୀ ଆବେଦନ କରିଥିବାବେଳେ ୫୯ ହଜାର ୫୩୩ ଜଣ କମନ୍ ଆପ୍ଲିକେସନ ଫି’ ଦାଖଲ କରିଛନ୍ତି । ଗୋଟିଏପଟେ ବିଏଡ୍ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ଆବେଦନ ବଢୁଥିବା ବେଳେ ଉଚ୍ଚଶିକ୍ଷା ବା ସ୍ନାତକୋତ୍ତର ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କ ଆଗ୍ରହ କମିଥିବା ଦେଖିବାକୁ ମିଳିଛି । ବିଏଡ୍ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢୁଥିଲେ ମଧ୍ୟ ସେହି ତୁଳନାରେ ରାଜ୍ୟରେ ବିଏଡ୍ ଶିକ୍ଷାନୁଷ୍ଠାନ ଏବଂ ସିଟ୍ ନାହିଁ । ଫଳରେ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ବିଏଡ୍ ପଢ଼ିବାକୁ ଆଗ୍ରହୀ ଥିଲେ ମଧ୍ୟ ସିଟ୍ ସଂଖ୍ୟା କମ୍ ଥିବାରୁ ପଢ଼ି ପାରୁନାହାନ୍ତି ।
ବିଏଡ୍ ପ୍ରତି ବଢୁଥିବା ଆଗ୍ରହ ସମ୍ପର୍କରେ ଶିକ୍ଷାବିତ୍ ଡ. ସତ୍ୟକାମ ମିଶ୍ର କହିଛନ୍ତି, ରାଜ୍ୟରେ ବହୁ ଶିକ୍ଷକ ପଦବି ଖାଲି ରହିଥିବାରୁ ସରକାର ଶିକ୍ଷକ ନିଯୁକ୍ତି କରୁଛନ୍ତି । ଏହାଛଡ଼ା ନୂଆ ଶିକ୍ଷକ ପଦବି ମଧ୍ୟ ସୃଷ୍ଟି ହେଉଛି । ନିଯୁକ୍ତି ସୁଯୋଗ ଥିବାରୁ ବିଏଡ୍ ପଢ଼ିବାକୁ ଅଧିକ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରୁଛନ୍ତି । ଅନ୍ୟପଟେ ଛାତ୍ରଛାତ୍ରୀମାନେ ସ୍ନାତକୋତ୍ତର ପଢ଼ି ବିଶେଷ ନିଯୁକ୍ତି ସୁଯୋଗ ପାଉନଥିବାରୁ ଏହି ପାଠ୍ୟକ୍ରମ ପ୍ରତି ଆଗ୍ରହ କମୁଛି । ତେଣୁ ସରକାର ବିଏଡ୍ ସିଟ୍ ସଂଖ୍ୟା ଅଧିକ ବଢ଼ାଇବା ଉଚିତ୍ ବୋଲି ସେ କହିଛନ୍ତି ।