ନୂଆଦିଲ୍ଲୀ ୧୬/୦୩: ଆମେରିକା-ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏବେ ଦେଶରେ ଏଲ୍‌ପିଜି ସଙ୍କଟ ଦେଖାଦେଇଛି । ଇତିମଧ୍ୟରେ ପଶ୍ଚିମବଙ୍ଗର ଏକ ସରକାରୀ ହାଇସ୍କୁଲର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ସେଥିରେ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନରେ ଗୁପଚୁପ୍ ଖାଉଥିବା ଦେଖିବାକୁ ମିଳୁଛି । ଭାଇରାଲ୍ ଭିଡିଓଟି ଭଦ୍ରକାଳୀ ହାଇସ୍କୁଲର । ଏଲପିଜି ସଙ୍କଟ କାରଣରୁ ସ୍କୁଲରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତ ହୋଇନପାରିବାରୁ ଛାତ୍ରଛାତ୍ରୀଙ୍କୁ ଗୁପଚୁପ୍ ଖାଇବାକୁ ଦିଆଯାଇଥିଲା । ଭିଡିଓକୁ ସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀ ନନ୍ଦିତା ସରକାର ସେୟାର କରିଛନ୍ତି ।

ସେଥିରେ ଦେଖିବାକୁ ମିଳୁଛି ଯେ, ସ୍କୁଲ ପରିସର ମଧ୍ୟରେ ଜଣେ ଗୁପଚୁପ୍ ବିକାଳୀ ଛିଡ଼ା ହୋଇଛନ୍ତି । ତାଙ୍କ ଚାରିପଟେ ଛାତ୍ରଛାତ୍ରୀମାନେ ଥାଳି ଧରି ଗୁପଚୁପ୍ ଖାଇବାକୁ ଭିଡ଼ ଜମାଇଛନ୍ତି । ଜଣକ ପରେ ଜଣଙ୍କୁ ୫-୬ଟି ଲେଖାଏଁ ଗୁପଚୁପ୍ ଖାଇବାକୁ ଦିଆଯାଉଛି । ସୋସିଆଲ୍ ମିଡିଆରେ ଏହି ଭିଡିଓକୁ ୧୦ ନିୟୁତରୁ ଅଧିକ ଭ୍ୟୁ ମିଳିଛି । ତେବେ ଭିଡିଓ ଭାଇରାଲ୍ ହେବାପରେ ଅନେକ ଏଭଳି ପଦକ୍ଷେପକୁ ସମାଲୋଚନା ମଧ୍ୟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଗୁପଚୁପ୍ କେବେହେଲେ ମଧ୍ୟାହ୍ନଭୋଜନର ବିକଳ୍ପ ହୋଇପାରିବ ନାହିଁ । ନିୟମିତ ମଧ୍ୟାହ୍ନଭୋଜନର ବିକଳ୍ପ ରୂପେ ଏହାକୁ ସାମୟିକ ଭାବେ ଦିଆଯିବା ମଧ୍ୟ ଠିକ୍ ନୁହେଁ । ଏହାଦ୍ୱାରା ସ୍ୱଚ୍ଛତା ପ୍ରସଙ୍ଗ ଅଣଦେଖା ହୋଇପାରେ ।

ଆହୁରି ପଢ଼ନ୍ତୁ ...୨୯ ରାଜ୍ୟରେ ପୁଣି ଯୋଗାଣ ଆରମ୍ଭ;ଏଲ୍‌ପିଜି ନେଇ ଆତଙ୍କିତ ନ ହେବାକୁ ପରାମର୍ଶ, ଦେଶରେ ଉପଲବ୍ଧ ରହିଛି ପର୍ଯ୍ୟାପ୍ତ ଏଲ୍‌ପିଜି