ଭୁବନେଶ୍ୱର, ୨୨/୦୪ : ସ୍କୁଲ ପଢୁଆ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ବଡ଼ ଖବର । ଏଥରକ ଖରାଛୁଟିରେ ପିଲାମାନେ ଘରେ ବସି ହ୍ୱାଟ୍ସଆପ୍‌ ଯୋଗେ ପାଠ ପଢ଼ିବେ । ଛୁଟି ସମୟରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ସହ ଯୋଡ଼ି ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଚଳିତବର୍ଷ "ସମର ଲର୍ଣ୍ଣିଂ ପ୍ରୋଗ୍ରାମ-୨୦୨୬' (ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ) ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ବାଟିକାଠାରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମନୋରଞ୍ଜନଭିତ୍ତିକ ଶିକ୍ଷାଦାନ କରାଯିବ ।

ଏହି ଅଭିଯାନ ଅଧୀନରେ ପ୍ରତିଟି ବିଦ୍ୟାଳୟରେ ଶ୍ରେଣୀଭିତ୍ତିକ ଅଭିଭାବକ ହ୍ୱାଟସଆପ୍‌ ଗ୍ରୁପ୍‌ ଖୋଲାଯିବ । ସରକାରଙ୍କ ତରଫରୁ ପ୍ରଦତ୍ତ ଏକ ସ୍ୱତନ୍ତ୍ର "ଚାଟ୍‌ବଟ୍‌' ଏହି ଗ୍ରୁପ୍‌ରେ ସାମିଲ ହେବ । ଏହା ମାଧ୍ୟମରେ ସପ୍ତାହକୁ ଏକରୁ ତିନିଥର (ଶ୍ରେଣୀ ଅନୁଯାୟୀ) ପାଠ୍ୟ ବିଷୟବସ୍ତୁ, ଶିକ୍ଷଣୀୟ ଭିଡିଓ ଆଦି ସେୟାର କରାଯିବ । ଯେଉଁ ଅଭିଭାବକଙ୍କ ପାଖରେ ସ୍ମାର୍ଟଫୋନ୍‌ ବା ହ୍ୱାଟ୍ସଆପ୍‌ ସୁବିଧା ନାହିଁ, ସେମାନଙ୍କ ପାଇଁ ସରକାର ବିକଳ୍ପ ବ୍ୟବସ୍ଥା କରିଛନ୍ତି । ସେମାନଙ୍କୁ ଏସ୍‌ଏମ୍‌ଏସ୍‌ କିମ୍ବା ଆଇଭିଆର୍‌ଏସ୍‌ (ଅଟୋମେଟେଡ୍‌ ଭଏସ୍‌ କଲ୍‌) ମାଧ୍ୟମରେ ପାଠ୍ୟ ସୂଚନା ଦିଆଯିବ । ଏଥିସହ ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ପିଲାଙ୍କୁ ପ୍ରିଣ୍ଟେଡ୍‌ ହଲିଡେ ହୋମୱାର୍କ ସିଟ୍‌ ମଧ୍ୟ ପ୍ରଦାନ କରାଯିବ ।

ଓସେପାର ଅତିରିକ୍ତ ନିର୍ଦ୍ଦେଶିକା ଅମିତା ପଟ୍ଟନାୟକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଏନେଇ ପତ୍ର ଲେଖି ଆସନ୍ତା ୨୫ ସୁଦ୍ଧା ସମସ୍ତ ହ୍ୱାଟ୍ସଆପ୍‌ ଗ୍ରୁପ୍‌ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୁପ୍‌ଗୁଡ଼ିକର ନାମକରଣ ସରକାରୀ ନିୟମ ଅନୁଯାୟୀ (ଶ୍ରେଣୀ ନାମୟୁଡାଇସ୍‌ କୋଡ୍‌) ରଖାଯିବ । କାର୍ଯ୍ୟକ୍ରମର ଠିକ୍‌ ପରିଚାଳନା ପାଇଁ ରାଜ୍ୟସ୍ତରରୁ ଏକ ଡାସ୍‌ବୋର୍ଡ ଜରିଆରେ ନଜର ରଖାଯିବ । ଡିଇଓ, ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ) ଏବଂ ସିଆର୍‌ସିସିମାନେ ପ୍ରତି ସପ୍ତାହରେ ଏହାର ସମୀକ୍ଷା କରିବେ । ପିଲାମାନେ ଘରେ ରହି କିଭଳି ନିୟମିତ ପାଠ ପଢ଼ିବେ ଏବଂ ନିଜର କାର୍ଯ୍ୟକଳାପର ଫଟୋ ବା ଭିଡିଓ ଗ୍ରୁପ୍‌ରେ ସେୟାର କରିବେ, ସେଥିପାଇଁ ଶିକ୍ଷକମାନେ ଅଭିଭାବକଙ୍କ ସହ ଯୋଗାଯୋଗରେ ରହିବେ ।

ଏହି ଖବରଟିକୁ ପଢନ୍ତୁ- Weather Update: ଉପକୂଳ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ଭୀଷଣ ଗୁଳୁଗୁଳି, ୨୫ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା