ସିଭିଲ ସର୍ଭିସରେ ବାରିପଦାର ପ୍ରଣୀତା ଦାଶଙ୍କ ସଫଳତା, ୪୨ ରାଙ୍କ୍ ରଖି ଜିଲ୍ଲା ପାଇଁ ଆଣିଲେ ଗୌରବ

ବାରିପଦା,୨୩।୫ : ୟୁପିଏସସି ଦ୍ୱାରା ପରିଚାଳିତ ଆଇଏଏସ ପରୀକ୍ଷାରେ ବାରିପଦାର ଝିଅ ପ୍ରଣୀତା ଦାଶ କୃତକାର୍ଯ୍ୟ ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ପ୍ରଣୀତା ୪୨ନମ୍ବର ରାଙ୍କ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ ନେଇ ସାରା ଜିଲ୍ଲାରେ ଆନନ୍ଦର ଲହରୀ ଖେଳି ଯାଇଥିବା ବେଳେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।
ବାରିପଦା ସହରର ଟାଉନ ଥାନା ପଛପାଖେ ଥିବା ପୁରୁଣାହାଟସାହି ଠାରେ ୧୯୯୭ ମସିହା ମାର୍ଚ୍ଚ ୧୧ତାରିଖରେ ପ୍ରଣୀତାଙ୍କ ଜନ୍ମ । ସେ ପ୍ରଥମେ ବାରିପଦା ସେଣ୍ଟ ଆନିସ କନଭେଣ୍ଟ ସ୍କୁଲରୁ ଶିକ୍ଷା ଆରମ୍ଭ କରିଥିଲେ । ସେ ୫ମ ଷ୍ଟାଣ୍ଡାର୍ଡ ପାସ କରିବା ପରେ ଡିଏଭି ପୋଖରୀ ପୁଟରେ ମାଟ୍ରିକ ପର୍ଯ୍ୟନ୍ତ ପଢି ପରେ ମଦର୍ସ କଲେଜରେ ଯୁକ୍ତ ଦୁଇ ପଢିଥିଲେ । ଏହାପରେ ସେଣ୍ଟ ଜାଭିୟାର୍ସ କଲେଜ କୋଲକାତାରୁ ସେ ଗ୍ରାଜୁଏସନ ପାସ କରିବା ପରେ ଲଣ୍ଡନର କୁଇନ୍ସ ୟୁନିର୍ଭସିଟିରୁ ଏମଏସି ପାଶ କରିଥିଲେ । କରୋନା ସମୟରେ ନିଜେ ୟୁପିଏସସି ପରୀକ୍ଷା ଦେଇଥିଲେ ମଧ୍ୟ ପ୍ରଥମ ଥର ସେ କୃତକାର୍ଯ୍ୟ ହୋଇ ନଥିଲେ । ତେବେ ଦ୍ୱିତୀୟ ଥର ପୁଣି ୟୁପିଏସସି ଦେବା ପରେ ୪୨ନମ୍ବର ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି । ନିଜେ ସେ ଏଥିପାଇଁ ନିଜକୁ ପ୍ରସ୍ତୁତ କରିଥିବା ବେଳେ ଏଥିପାଇଁ କୌଣସି କୋଚିଂ ନେଇ ନାହାନ୍ତି । ଦିଲ୍ଲୀ ଏବଂ ଭୁବନେଶ୍ୱରରେ ରହି ସେ ୟୁପିଏସସି ପାଇଁ ପ୍ରସ୍ତୁତ ହୋଇଥିଲେ । କେମ୍ବ୍ରିଜ ବିଶ୍ୱ ବିଦ୍ୟାଳୟ ଲଣ୍ଡନରୁ ସେ ଡିଷ୍ଟାନ୍ସ ମୋଡରେ ଏମଫିଲ୍ କରିଛନ୍ତି । ଆଇଏଏସରେ କୃତକାର୍ଯ୍ୟ ହୋଇଥିବାରୁ ସେ ସମସ୍ତ ଶ୍ରେୟ ତାଙ୍କ ସ୍ୱର୍ଗୀୟ ଜେଜେବାପା ହରେକୃଷ୍ଣ ଦାଶ, ଜେଜେମା ବକୁଲରାଣୀ ଦାଶ, ବଡବାପା ହାଇକୋର୍ଟ ବିଚାରପତି ଦେବବ୍ରତ ଦାଶ, ବଡମାଆ ସଶ୍ମିତା ଦାଶ, ବାପା ବରିଷ୍ଠ ଆଇନ୍ଜୀବୀ ସିଦ୍ଧାର୍ଥ ଦାଶ ,ମାଆ ଗାୟତ୍ରୀ ଦାଶଙ୍କ ସମେତ ସମସ୍ତ ପରିବାରବର୍ଗଙ୍କୁ ଦେଇଛନ୍ତି । ସୁଯୋଗ ମିଳିଲେ ନିଜ ମାଆ ମାଟି ମୟୂରଭଞ୍ଜ ପାଇଁ ଅଧୁରା କାମ ସେ ନିଶ୍ଚୟ କରିବେ ବୋଲି କହିଛନ୍ତି ।
ପ୍ରଣୀତାଙ୍କ ଜେଜେବାପା ସ୍ୱର୍ଗତଃ ହରେକୃଷ୍ଣ ଦାଶ ଜଣେ ବରିଷ୍ଠ ଆଇନ୍ଜୀବୀ ଭାବେ ସାରା ଜିଲ୍ଲାରେ ଖ୍ୟାତିଲାଭ କରିଥିଲେ । ତାଙ୍କ ବଡବାପା ଜଷ୍ଟିସ ଦେବବ୍ରତ ଦାସ ବର୍ତ୍ତମାନ ଓଡିଶା ଉଚ୍ଚନ୍ୟାୟାଳୟର ବିଚାରପତିଭାବେ ଅବସ୍ଥାପିତ । ତାଙ୍କ ବାପା ସିଦ୍ଧାର୍ଥ ଦାଶ ମଧ୍ୟ ଜଣେ ଆଇନଜୀବୀ ।