​​​​​​​ବେଙ୍ଗାଲୁରୁ : ଗଗନଯାନ ମିଶନରେ ଇସ୍ରୋକୁ ମିଳିଛି ଆଉ ଏକ ବଡ଼ ସଫଳତା। ଗଗନୟାନ ଚାଳକ ଦଳ ମଡ୍ୟୁଲଙ୍କ ଲାଗି ଇସ୍ରୋ ଗତି-ମନ୍ଦନ ପ୍ରଣାଳୀ (ଡିଲେରେସନ ସିଷ୍ଟମ) ବିକଶିତ କରିବା  ପାଇଁ ଡ୍ରୋଗ ପାରାଚୁଟର ସିରିୟଲ ପରୀକ୍ଷଣ କରିଛି। ଏହି ସବୁ ପରୀକ୍ଷଣ ସଫଳ ହୋଇଥିବା ଏଜେନ୍ତି ଶନିବାର ଦେଇଛି ସୂଚନା । ଇସ୍ରୋର ସୂଚନା ଅନୁସାରେ ,ଏହି ପରୀକ୍ଷଣ ୧୮ ଓ ୧୯ ଡିସେମ୍ବରରେ ଚଣ୍ଡିଗଡ଼ର ଟର୍ମିନାଲ ବାଲିଷ୍ଟିକ ରିସର୍ଚ୍ଚ ଲାବୋରେଟରୀ (ଟିବିଆରଏଲ)ର ରେଲ ଟ୍ରାକ୍ ରକେଟ ସ୍ଲେଡ (ଆରଟିଆରଏସ) ୟୁନିଟରେ ପୂରା କରାଯାଇଥିଲା। ଏଜେନ୍ସି ଏକ ବିବୃତ୍ତିରେ କହିଛି ଯେ , ଗଗନଯାନ କ୍ରୁ ମଡ୍ୟୁଲର ଗତି-ମନ୍ଦନ ପ୍ରଣାଳୀରେ ୪ ପ୍ରକାରର ମୋଟ ୧୦ଟି ପାରାଚୁଟ ସାମିଲ ରହିବ।

ଇସ୍ରୋ ଅନୁସାରେ , ଅବରୋହଣ କ୍ରମର ଆରମ୍ଭରେ ଦୁଇ ଏପେକ୍ସ କଭର ସେପାରେସନ ପାରାଚୁଟରୁ ଅଲଗା ହେବା ଦ୍ୱାରା ହୋଇଥାଏ। ଏହା ପରେ ଡ୍ରୋଗ ପାରାଚୁଟ ଖୋଲି ଥାଏ, ଯାହା ମଡ୍ୟୁଲକୁ ସ୍ଥିର କରିବା ଓ ଏହାର ଗତିକୁ ମନ୍ଥର କରିବାରେ ସାହାଯ୍ୟ କରିଥାଏ। ଇସ୍ରୋ କହିଛି ଯେ, ଡ୍ରୋଗ ପାରାଚୁଟ୍ ଖୋଲିବା ପରେ ୩ଟି ପାଇଲଟ ପାରାଚୁଟ ଖୋଲିଥାଏ, ଏଥିରୁ ୩ଟି ମୁଖ୍ୟ ପାରାଚୁଟ୍ ବାହାରକୁ ବାହାରି ଥାଏ। ଏହି ମୁଖ୍ୟ ପାରାଚୁଟ କ୍ରୁ ମଡେଲର ଗତିକୁ ଆହୁରି କମ୍‌ କରିଥାଏ। ଏଣୁ ସୁରକ୍ଷିତ ଲ୍ୟାଣ୍ଡିଂ ସୁନିଶ୍ଚିତ ହୁଏ।

ଇସ୍ରୋ ମୁତାବିକ , ଡ୍ରୋଗ ପାରାଚୁଟ ଏକ ଗୁରୁତ୍ୱପୂର୍ଣ୍ଣ ଘଟକ। ଏହା ଦ୍ୱାରା ପୁନଃ ପ୍ରବେଶ ବେଳେ ଗତିକୁ ସୁରକ୍ଷିତ ସ୍ତର ପର୍ଯ୍ୟନ୍ତ ହ୍ରାସ କରି କ୍ରୁ ମଡେଲକୁ ସ୍ଥିର କରିବାରେ ସହାୟତା କରିଥାଏ। ଏହି ବିଶେଷ ପରୀକ୍ଷଣ ଶୃଙ୍ଖଳା ସମ୍ପର୍କରେ ଇସ୍ରୋ କହିଛି ଯେ ଏଗୁଡିକୁ ଚରମ ପରିସ୍ଥିତିରେ ଡ୍ରୋଗ ପାରାଚୁଟର କାର୍ଯ୍ୟକ୍ଷମତା ଓ ବିଶ୍ୱସନୀୟତାର ମୂଲ୍ୟାଙ୍କନ କରିବା ଲାଗି ଅନୁଷ୍ଠିତ ହୋଇଥିଲା।