ଶ୍ରୀହରିକୋଟା ୩୧/୧୨: ନୂଆବର୍ଷ ପୂର୍ବରୁ ଇସ୍ରୋ ସଫଳତାର ସହ ଆରମ୍ଭ କରିଛି ତାର ସ୍ପେଡେକ୍ସ ମିଶନ । ଆନ୍ଧ୍ରପ୍ରଦେଶର ଶ୍ରହରିକୋଟା ସ୍ଥିତ ସତୀଶଧୱନ ସ୍ପେସ୍ ସେଣ୍ଟରରୁ ସୋମବାର ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ(ସ୍ପେଡେକ୍ସ) ମିଶନର ସଫଳ ଉତ୍କ୍ଷେପଣ ହୋଇଛି । ରାତି ୧୦ଟାରେ ପିଏସ୍ଏଲ୍ଭିସି୬୦ ରକେଟରୁ ଦୁଇଟି ସ୍ପେସ୍କ୍ରାଫ୍ଟକୁ ପୃଥିବୀରୁ ୪୭୦ କିମି ଉପରେ ଅବସ୍ଥାପିତ କରାଯାଇଛି । ସ୍ପେଡେକ୍ସର ସଫଳ ଉତ୍କ୍ଷେପଣ ହୋଇଥିବା ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ସୂଚନା ଦେଇଛନ୍ତି । ଏହି ମିଶନରେ ମହାକାଶରେ ବୁଲେଟ୍ ବେଗରୁ ୧୦ ଗୁଣ ଅଧିକ ସ୍ପିଡ୍ରେ ଗତି କରୁଥିବା ଦୁଇଟି ସ୍ପେସ୍କ୍ରାଫ୍ଟକୁ ୧୦ ଦିନରେ ପରସ୍ପର ସହ ଯୋଡ଼ାଯିବ । ଏହାକୁ ବିଜ୍ଞାନ ଭାଷାରେ ଡକିଂ କୁହାଯାଏ । ଜାନୁଆରୀ ୭ରେ ଡକିଂ ପାଇଁ ପ୍ରଥମ ଉଦ୍ୟମ କରାଯିବ । ଏହି ମିଶନରେ ସଫଳ ହେଲେ ଆମେରିକା, ରୁଷ୍ ଏବଂ ଚୀନ୍ ପରେ ଭାରତ ଚତୁର୍ଥ ଦେଶ ହେବ ।
ମିଶନରେ ଦୁଇଟି ସ୍ପେସ୍କ୍ରାଫ୍ଟ ଟାର୍ଗେଟ(ଏସ୍ଡିଏକ୍ସ୦୨) ଏବଂ ଚେଜର(ଏସ୍ଡିଏକ୍ସ୦୧) ସାମିଲ । ପ୍ରତ୍ୟେକର ଓଜନ ୨୨୦ କେଜି । ଏହାକୁ ୪୭୦ କିମି ଉଚ୍ଚରେ ପୃଥିବୀର ଭିନ୍ନ କକ୍ଷପଥରେ ଅବସ୍ଥାପିତ କରାଯାଇଛି । ସେଠାରେ ସ୍ପେସ୍କ୍ରାଫ୍ଟର ଗତି ଘଣ୍ଟାପ୍ରତି ୨୮,୮୦୦ କିମି ରହିବ । ପରେ ଉଭୟ ସ୍ପେସ୍କ୍ରାଫ୍ଟ ମଧ୍ୟରେ ଦୂରତା କମାଯିବ । ଡକିଂ ପାଇଁ ଦୁଇ ସ୍ପେସ୍କ୍ରାଫ୍ଟକୁ ନିକଟକୁ ଅଣାଯିବ । ପରସ୍ପର ଭିତରେ ଦୂରତା ୫ କିମିରୁ ୦.୨୫ କିମି କରିବା ସମୟରେ ଲେଜର ରେଞ୍ଜ୍ ଫାଇଣ୍ଡର ବ୍ୟବହାର କରାଯିବ । ୩୦୦ ମିଟରରୁ ୧ ମିଟର ରେଞ୍ଜ୍ରେ ଡକିଂ କ୍ୟାମେରା ବ୍ୟବହାର ହେବ । ୧ ମିଟରରୁ ଶୂନ ମିଟର ଦୂରତାରେ ଭିଜୁଆଲ କ୍ୟାମେରା ଉପଯୋଗ କରାଯିବ । ଡକିଂ ପରେ ଉଭୟ ସ୍ପେସ୍କ୍ରାଫ୍ଟ ଭିତରେ ଇଲେକ୍ଟ୍ରିକାଲ ପାୱାର ଟ୍ରାନ୍ସଫର ହେବ । ପରେ ଅନ୍ଡକିଂ ହେବ ଏବଂ ଦୁଇ ସ୍ପେସ୍କ୍ରାଫ୍ଟ ନିଜ ନିଜ ପେଲୋଡ୍ ଅପରେସନ ଆରମ୍ଭ କରିବ । ଏଥିଯୋଗୁ ପ୍ରାୟ ୨ ବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ଡାଟା ମିଳିପାରିବ । ଅନ୍ୟପକ୍ଷରେ ଏହି ମିଶନରେ ବିଭିନ୍ନ ପରୀକ୍ଷଣ ପାଇଁ ୨୪ ପେଲୋଡ୍ ପଠାଯାଇଛି ।

ମିଶନ ସଫଳତା ଉପରେ ଭାରତର ଚନ୍ଦ୍ରଯାନ-୪ ମିଶନ ନିର୍ଭର କରେ । ଏହାଦ୍ୱାରା ଚନ୍ଦ୍ରରୁ ମାଟି ନମୁନା ପୃଥିବୀକୁ ଅଣାଯାଇପାରିବ । ୨୦୨୮ରେ ଚନ୍ଦ୍ରଯାନ-୪ ମିଶନ ଲଞ୍ଚ୍ ହେବାର ଅଛି । ଏଥିସହ ଭାରତ ମହାକାଶରେ ନିଜସ୍ୱ ମହାକାଶ କେନ୍ଦ୍ର ବନାଇବା ଏବଂ ସେଠାକୁ ଯିବାଆସିବା ଲାଗି ମଧ୍ୟ ଡକିଂ ଟେକ୍ନୋଲୋଜିର ଆବଶ୍ୟକତା ପଡ଼ିବ । ସାଟେଲାଇଟ ସର୍ଭିସିଂ, ଇଣ୍ଟରପ୍ଲାନେଟାରୀ ମିଶନ ଏବଂ ମଣିଷକୁ ଚନ୍ଦ୍ରକୁ ପଠାଇବା ଲାଗି ମଧ୍ୟ ଏହି ଟେକ୍ନୋଲୋଜି ଜରୁରି । ପ୍ରକାଶଥାଉ କି, ୧୯୬୬ ମାର୍ଚ୍ଚ ୧୬ରେ ଆମେରିକା ମହାକାଶରେ ଦୁଇଟି ସ୍ପେସ୍କ୍ରାଫ୍ଟର ପ୍ରଥମ ଡକିଂ (ଜେମିନି ୮) ମିଶନ ସମ୍ପୂର୍ଣ୍ଣ କରିଥିଲା । ରୁଷ୍ ୧୯୬୭ରେ ଦୁଇଟି ସ୍ପେସ୍କ୍ରାଫ୍ଟକୁ ମହାକାଶରେ ଡକିଂ କରାଇଥିଲା । ୨୦୧୧ ନଭେମ୍ବର ୨ରେ ଚୀନ୍ ଏହି ମିଶନରେ ସଫଳ ହୋଇଥିଲା ।