ଇସଲାମାବାଦ,୨୪/୦୧: ବିବାହ ଚାଲିଥିଲେ । ଘରେ ହସଖୁସିର ମାହୋଲ ଥିଲା । ହେଲେ ନିମିଷକେ ଖୁସି ମିଳେଇ ଗଲା । ବିବାହ ଉତ୍ସବ ଶୋକରେ ପରିଣତ ହୋଇଗଲା । ଦେଖୁ ଦେଖୁ ଅନ୍ଧାର, ଧୂଆଁମୟ ହୋଇଗଲା ଘର । ଧାଁ ଦୌଡ଼ ଜୀବନ ବଞ୍ଚାଇବାକୁ ଆର୍ତ୍ତ ଚିତ୍କାରରେ ଫାଟି ପଡିଲା ଅଞ୍ଚଳ । ବିସ୍ଫୋରଣ ସବୁ କିଛି ଛାରଖାର କରିଦେଲା । ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ବିବାହ ଉତ୍ସବରେ ବ୍ଲାଷ୍ଟ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି । ୧୦ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିସ୍ଫୋରଣରେ ଘର ଛାତ ଭୁଶୁଡ଼ିବାରୁ ଅନେକ ଚାପି ହୋଇଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମଜେନ୍ସିଂ ଘୋଷଣା ହୋଇଛି ।
ଡେରା ଇସମାଇଲ ଖାନ ଜିଲ୍ଲାର ଜିଲ୍ଲା ପୁଲିସ ଅଧିକାରୀ ସଜ୍ଜାଦ ଅହମ୍ମଦ ସାହିବଜାଦା ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି ନିଶ୍ଚିତ କରିଛନ୍ତି । କୁରେଶୀ ମୋର୍ ନିକଟରେ ଶାନ୍ତି କମିଟି ମୁଖ୍ୟ ନୁର ଆଲମ ମେହସୁଦଙ୍କ ବାସଭବନରେ ଏକ ବିବାହ ଉତ୍ସବ ସମୟରେ ଏହି ଆକ୍ରମଣ ହୋଇଛି । ବିସ୍ଫୋରଣଟି ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା । ମୃତାହତଙ୍କ ବିଷୟରେ ସଠିକ୍ ଭାବେ କିଛି କହିହେବ ନାହିଁ ।
ହସ୍ପିଟାଲରେ ଏମଜେନ୍ସଂ ଘୋଷଣା- ବିବାହ ଉତ୍ସବ ଚାଲିଥିବାବେଳେ ଅତିଥିମାନେ ନାଚଗୀତରେ ମସଗୁଲ ଥିଲେ । ଏହି ସମୟରେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି । ଫଳରେ ଘର ଛାତ ଭୁଶୁଡ଼ି ପଡ଼ିଥିଲା, ଯାହା ପାଇଁ ଉଦ୍ଧାରକାର୍ଯ୍ୟକୁ ବାଧାପ୍ରାପ୍ତ ହୋଇଥିଲା । ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କ ପାଖକୁ ପହଞ୍ଚିବା କଷ୍ଟକର ହୋଇଥିଲା । ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇ ଛି। ଖାଇବର ପଖତୁନଖ୍ୱା ରେସକ୍ୟୁ ୧୧୨୨ ମୁଖପାତ୍ର ବିଲାଲ ଅହମ୍ମଦ ଫୈଜି କହିଛନ୍ତି ଯେ, ୧୦ ଜଣ ଆହତଙ୍କ ସହିତ ୫ ଜଣଙ୍କ ମୃତଦେହ ହସ୍ପିଟାଲକୁ ଅଣାଯାଇଛି ।
ଏହା ବି ପଢନ୍ତୁ...ଦିଲ୍ଲୀରୁ ମହମ୍ମଦ ୟୁନୁସଙ୍କୁ ଚେତାବନୀ ଦେଲେ ଶେଖ ହସିନା, କହିଲେ ଫାସିବାଦୀ ହତ୍ୟାକାରୀ
ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି, ତଦନ୍ତ ଜାରି- ଉଦ୍ଧାରକାର୍ଯ୍ୟରେ ୭ଟି ଆମ୍ବୁଲାନ୍ସ, ଏକ ଅଗ୍ନିଶମ ଏବଂ ଏକ ବିପର୍ଯ୍ୟୟ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଛି । ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି, ଏବଂ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ଶାନ୍ତି କମିଟି ନେତା ୱାହିଦୁଲ୍ଲା ମେହସୁଦ ଓରଫ ଜିଗ୍ରୀ ମେହସୁଦ ଅଛନ୍ତି । ଖାଇବର ପଖତୁନଖ୍ୱାର ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି ଏହି ଘଟଣାର ନିନ୍ଦା କରିଛନ୍ତି ଏବଂ ଏହା ଉପରେ ଏକ ରିପୋର୍ଟ ମାଗିଛନ୍ତି । ସେ କହିଛନ୍ତି ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ ନ୍ୟାୟ ଦିଆଯିବ ।
କହି ରଖୁଛୁ କି, ଖାଇବର ପଖତୁନଖ୍ୱାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଦ୍ୱାରା ଶାନ୍ତି କମିଟି ସଦସ୍ୟଙ୍କ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ବାନୁ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଗତ ବର୍ଷ ନଭେମ୍ବରରେ, ବାନୁ ଜିଲ୍ଲାରେ ଏକ ଶାନ୍ତି କମିଟି କାର୍ଯ୍ୟାଳୟ ଉପରେ ଆକ୍ରମଣ ହେବାରୁ ୭ ଜଣ ପ୍ରାଣ ହରାଇଥିଲେ ।