ନୂଆଦିଲ୍ଲୀ,୨୪/୧୦: ଆଡିଲେଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିଲା ଦ୍ବିତୀୟ ଦିନିକିଆ । ବିରାଟ୍ କୋହଲି ପୁଣି ଥରେ ବିଫଳ ହୋଇଛନ୍ତି । ଆଡିଲେଡ୍ ଏପରି ଏକ ଗ୍ରାଉଣ୍ଡ ଯେଉଁଠାରେ କିଙ୍ଗ୍‌ କୋହଲିଙ୍କର ଅନ୍ୟ କୌଣସି ବିଦେଶୀ ବ୍ୟାଟରଙ୍କ ତୁଳନାରେ ଜବରଦସ୍ତ ରେକର୍ଡ ଅଛି ।  କିନ୍ତୁ କୋହଲି ଏହି ଗ୍ରାଉଣ୍ଡରେ ନିଜର ଖାତା ଖୋଲିପାରି ନଥିଲେ । ପର୍ଥରେ ମଧ୍ୟ କୋହଲି ଶୂନ୍ୟରେ ଆଉଟ୍ ହୋଇଥିଲେ । ତାଙ୍କ କ୍ୟାରିୟରରେ ଏହା ପ୍ରଥମ ଥର ଯେ କୋହଲି ଲଗାତାର ଦୁଇଟି ଦିନିକିଆରେ ଶୂନ୍ୟରେ ଆଉଟ୍ ହୋଇଛନ୍ତି । ଏବେ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହା କ’ଣ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେବାର ସଙ୍କେତ ଥିଲା କି ? ସମାଲୋଚକ ଏବଂ ପ୍ରଶଂସକମାନେ ମଧ୍ୟ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା କରୁଛନ୍ତି । ତେବେ ଏ ନେଇ କଣ କହିଛନ୍ତି କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଜାଣନ୍ତୁ । 

୩୦୪ ମ୍ୟାଚ୍, ୧୮ ବର୍ଷରେ ପ୍ରଥମ ଥର ୦,୦ : ପର୍ଥରେ ଶୂନ୍ୟ । ତା'ପରେ ଆଡିଲେଡରେ ବି ଶୂନ୍ୟ । କିଙ୍ଗ୍‌ କୋହଲି  ଯିଏକି ୩୦୪ ମ୍ୟାଚ୍‌ରେ ୫୭.୪୧ ହାରରେ ୧୪୧୮୧ ରନ୍‌ କରିଛନ୍ତି । ସର୍ବାଧିକ ୮୧ ଶତକ ହାସଲ କରିଛନ୍ତି । ୧୮ ବର୍ଷରେ ୩୦୪ ମ୍ୟାଚ୍‌ରେ ତାଙ୍କ କ୍ୟାରିଅରରେ ପ୍ରଥମ ଥର ପାଇଁ ଏପରି ସମୟ ଦେଖିଲେ ଫ୍ୟାନ୍ସ । ତାହା ପୁଣି ସେହି ଆଡିଲେଡ ଗ୍ରାଉଣ୍ଡରେ ଯେଉଁଠାରେ କୋହଲି ୪ଟି ଦିନିକିଆରେ ୨ଟି ଶତକ କରିଛନ୍ତି । ବିରାଟ୍ ଆଡିଲେଡର କିଙ୍ଗ୍‌ ହୋଇ ରହିଛନ୍ତି । ହୁଏତ ସେଥିପାଇଁ, ଆଡିଲେଡରେ ଡକ୍‌ ହେବା ପରେ ପୁରା ପ୍ୟାନ୍ସ ତାଙ୍କୁ ଛିଡା ହୋଇ ସ୍ୱାଗତ କରିଥିଲା । ବିରାଟ୍ ସମସ୍ତଙ୍କୁ ଧନ୍ୟବାଦ ଦେବା ପାଇଁ ହାତ ଉଠାଇଥିଲେ । ଏହାପରେ ସେ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

'ଛାଡିବେନି ବିରାଟ, କମ୍‌ବ୍ୟାକ୍‌ କରିବେ'- ଅଷ୍ଟ୍ରେଲିଆ ବିପକ୍ଷ ୨ଟି ଦିନିକିଆରେ ଲଗାତାର ଡକ୍‌ ହେବା ପରେ ବିରାଟ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି । ଦ୍ବିତୀୟ ଦିନିକିଆରେ ଯେଉଁଭଳି ସେ ଗ୍ଲୋଭସ୍‌ ଉଠାଇଥିଲେ  ମନେ ହେଉଥିଲା ଯେପରି ଏହା ତାଙ୍କର ଶେଷ ଦିନିକିଆ । ଏହାକୁ ନେଇ ମତ ରଖିଛନ୍ତି କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର । ସେ କହିଛନ୍ତି, '' ଆଡିଲେଡ୍ ପ୍ରଶଂସକମାନେ ବିରାଟଙ୍କୁ ସ୍ୱାଗତ କରିଥିଲେ ଏବଂ ସେ ଏହାକୁ ସ୍ୱୀକାର କରିଥିଲେ । ତାଙ୍କର ହାତ ଉଠାଇବା ବିଷୟରେ ଅଧିକ ଜାଣିବାର କୌଣସି ଆବଶ୍ୟକତା ନାହିଁ । ବିରାଟ ୨୦୨୭ ବିଶ୍ୱକପ୍ ଖେଳିବେ ଏବଂ ଏକ ହାଇ ନୋଟ୍‌ରେ ଯିବ ।"