ନୂଆଦିଲ୍ଲୀ,୦୫/୦୭:  ବିଶ୍ୱ ଚାମ୍ପିଅନ୍‌ ଗ୍ରାଣ୍ଡମାଷ୍ଟର (ଜିଏମ୍‌) ଡି.  ଗୁକେଶ କ୍ୟାରିୟରରେ ଆଉ ଏକ ବଡ଼  ଉପଲବ୍ଧି ହାସଲ କରିଛନ୍ତି । କ୍ରୋଏସିଆରେ ଚାଲିଥିବା ସୁପରୟୁନାଇଟେଡ୍‌ ରାପିଡ୍‌  ଏବଂ ବ୍ଲିଜ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ଷଷ୍ଠ ରାଉଣ୍ଡରେ ସେ ବିଶ୍ୱର ଏକ ନମ୍ବର  ଖେଳାଳି ଜିଏମ୍‌ ମାଗନସ୍‌ କାର୍ଲସେନଙ୍କୁ ହରାଇଛନ୍ତି ।  ରାପିଡ୍‌ ଗେମ୍‌ରେ ଗୁକେଶ ପ୍ରଥମ ଥର ନରୱେ  ଖେଳାଳିଙ୍କୁ ପରାଜିତ କରିବାରେ ସଫଳ ହୋଇଛନ୍ତି ।  

ଗତ ନରୱେ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ମଧ୍ୟ  ଗୁକେଶ ବିପର୍ଯ୍ୟୟ ଘଟାଇଥିଲେ । ସେ କ୍ଲାସିକାଲ୍‌  ଗେମ୍‌ରେ ପ୍ରଥମ ଥର କାର୍ଲସେନଙ୍କୁ ହରାଇଥିଲେ । ପରାଜୟରେ ମର୍ମାହତ କାର୍ଲସେନ ଚେସ୍‌ ବୋର୍ଡକୁ ହାତରେ ବାଡ଼େଇ ନିଜ ପରାଜୟର କ୍ରୋଧ ପ୍ରକାଶ କରିଥିଲେ । ଏହି ମୁହୂର୍ତ୍ତର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା ।  

ଷଷ୍ଠ ରାଉଣ୍ଡରେ କାର୍ଲସେନ ଅର୍ଦ୍ଧାଧିକ ସମୟ  ଆଗରେ ରହିଥିଲେ । ଶେଷ ଭାଗରେ ସେ ତ୍ରୁଟି କରିଥିଲେ ଏବଂ ଗୁକେଶ ଚତୁର ରଣନୀତି ସହ ବିଜୟ  ହାସଲ କରିଥିଲେ । କ୍ରମାନ୍ୱୟରେ ପଞ୍ଚମ ବିଜୟ ସହ ଗୁକେଶ ମୋଟ ୧୦ପଏଣ୍ଟ  ପାଇ ଶୀର୍ଷ ସ୍ଥାନରେ ରହିଛନ୍ତି । କାର୍ଲସେନ ୬ପଏଣ୍ଟ ସହ ଚତୁର୍ଥକୁ ଖସିଛନ୍ତି । ଅନ୍ୟ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦା  ୫ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ କାର୍ଲସେନ  ଗ୍ରାଣ୍ଡ୍‌ମାଷ୍ଟର ଗୁକେଶଙ୍କ ବିପକ୍ଷରେ ଏକ  ଅପମାନଜନକ ମନ୍ତବ୍ୟ ଦେଇଥିଲେ ।  ସେ ଗୁକେଶଙ୍କୁ ଟୁର୍ଣ୍ଣାମେଣ୍ଟର ସବୁଠୁ ଦୁର୍ବଳ ଖେଳାଳି ବୋଲି ବିବେଚନା କରିଥିଲେ । ଜଣେ  ବିଶ୍ୱ ଚେସ୍‌ ଚାମ୍ପିଅନଙ୍କ ବିପକ୍ଷରେ ତାଙ୍କର ଏଭଳି  ମନ୍ତବ୍ୟକୁ ଅନେକ ପୂର୍ବତନ ଖେଳାଳି ନାପସନ୍ଦ  କରିଥିଲେ । ମାତ୍ର ସେତେବେଳେ ଗୁକେଶ କୌଣସି  ପ୍ରତିକ୍ରିୟା ଦେଇନଥିଲେ । ଶେଷରେ ଆଜି ସେ  ଅପମାନର ଜବାବ ଚେସ୍‌ ବୋର୍ଡରେ ଦେଇଛନ୍ତି ।