ବୀରମହାରାଜପୁର,୦୨/୦୩: ଘରେ ଅର୍ଥର ଅଭାବ ନ ଥିଲା । ଜଣେ ଉତ୍ତମ ଗୃହିଣୀ ଭାବେ ଜୀବନ କାଟୁଥିଲେ । କିନ୍ତୁ ସ୍ୱାବଲମ୍ବୀ ହେବାର ସ୍ୱପ୍ନ ତାଙ୍କ ନିଦ ହଜାଇ ଦେଇଥିଲା । ଗୋ’ ପାଳନରୁ ନିଜ ସ୍ୱାବଲମ୍ବନ ଯାତ୍ରା ଆରମ୍ଭ କଲେ । ପରେ ଛତୁ ଫାର୍ମ, ବଳକା ଛତୁରୁ ଆଚାର ପ୍ରସ୍ତୁତି, ଶେଷରେ ଛତୁ ମଞ୍ଜି ପ୍ରସ୍ତୁତ କରି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଇଲେ । ଇତିମଧ୍ୟରେ ୧୫ଜଣଙ୍କୁ ନିଯୁକ୍ତି ଦେଇ ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଦର ଲତୁରପେଟ ଗାଁର ସୁପ୍ରଭା ଦାନୀ ।
ସୁପ୍ରଭା ଉଚ୍ଚଶିକ୍ଷିତା । ସ୍ୱାମୀ ଅଧ୍ୟାପକ । ପ୍ରଥମେ ସୁପ୍ରଭା ଦୁଇଟି ଉନ୍ନତ କିସମ ଗାଈ କିଣିଲେ । ନିଜେ ଗାଈର ସେବାଯତ୍ନ କରି କ୍ଷୀର ଉତ୍ପାଦନ କଲେ । ଦୈନିକ କ୍ଷୀର ବିକ୍ରି ପାଇଁ ସମସ୍ୟା ହେବାରୁ ଜଣେ ସହକାରୀ ନିଯୁକ୍ତ କଲେ । ବଡ଼ବଡ଼ ମିଠା ଦୋକାନରେ କ୍ଷୀର ଦେବା ସହ ଓମ୍ଫେଡକୁ ପ୍ରାୟ ୫୦ ଲିଟର କ୍ଷୀର ପଠାଇଲେ । ଅଧିକ ରୋଜଗାର ଲକ୍ଷ୍ୟରେ ଏକ ଛତୁ ଫାର୍ମ ଆରମ୍ଭ କଲେ । ଅଧିକ ଛତୁ ଉତ୍ପାଦନ ହେଲା । ବଳକା ଛତୁକୁ କ’ଣ କରାଯିବ ସେ ନେଇ ଚିନ୍ତାରେ ପଡ଼ିଲେ ।
ଆହୁରି ପଢ଼ନ୍ତୁ...ସର୍ଭାଇକାଲ୍ କ୍ୟାନସର ମୁକ୍ତ ହେବେ ଓଡ଼ିଶା: ଆଜିଠୁ ଏଚ୍ପିଭି ଟୀକାକରଣ କାର୍ଯ୍ୟକ୍ରମ
ତାଲିମ ନେଇ ଛତୁରୁ ଆଚାର, ମିକ୍ସଚର୍ ଆଦି ପ୍ରସ୍ତୁତ କରି ବଜାରରେ ବିକ୍ରି କଲେ । ବ୍ୟବସାୟ ବଢ଼ିବାରୁ ଉଦ୍ୟାନ ବିଭାଗ ସହାୟତାରେ ଛତୁ ମଞ୍ଜି ପ୍ରସ୍ତୁତ କରି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଇଲେ । ବ୍ୟବସାୟ ବଢ଼ାଇବା ପାଇଁ ସେ ପ୍ରଥମେ ୫ ଜଣଙ୍କୁ ନିଯୁକ୍ତି ଦେବା ସହ ଆଉ ୯ ଜଣ ପୁରୁଷ ଓ ମହିଳାଙ୍କୁ କାମ ଯୋଗାଇ ପାରିଛନ୍ତି । ଏବେ ମାଣ୍ଡିଆରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଓରମାସ୍ ସହାୟତାରେ ବିକ୍ରି କରୁଛନ୍ତି । ଓରମାସ୍ ସହାୟତାରେ ତାଙ୍କୁ ୧୫ ଲକ୍ଷ ଟଙ୍କାର ଯନ୍ତ୍ରପାତି ମିଳିଛି । ଉକ୍ତ ଯନ୍ତ୍ରପତି ସାହାଯ୍ୟରେ ବିସ୍କୁଟ, କେକ୍, ଛତୁଆ, ମିକ୍ସଚର ଆଦି ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇପାରୁଛି ।