ନୂଆଦିଲ୍ଲୀ,୦୮/୦୮: ମହାରାଷ୍ଟ୍ରର ପଶ୍ଚିମାଘାଟରେ ଥିବା ପ୍ରସିଦ୍ଧ ହିଲ୍‌ ଷ୍ଟେସନ ମାଥେରନ ଠାରେ ବହୁବର୍ଷ ଧରି ଚାଲିଆସୁଥିବା  ହାତଟଣା ରିକ୍ସା ଚଳାଚଳ ପ୍ରଥାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି । କହିଛନ୍ତି ଏଭଳି ବ୍ୟବସ୍ଥା ଆମ ସମ୍ବିଧାନର ମୂଳ ଭାବନାର ପରିପନ୍ଥୀ । ଯାହାକି ପ୍ରତ୍ୟେକ ଭାରତୀୟଙ୍କୁ ସମାନତା ଓ ସମ୍ମାନର ସହ ବଞ୍ଚିବାର ଅଧିକାର ପ୍ରଦାନ କରିଆସୁଛି । 

ପ୍ରଧାନ ବିଚାରପତି ବି.ଆର ଗଭଇଙ୍କ ଅଧ୍ୟକ୍ଷତାରେ ଗଠିତ  ଖଣ୍ଡପୀଠ କହିଛନ୍ତି, ଜଣେ ଲୋକଙ୍କୁ ଅନ୍ୟ ଜଣେ ଲୋକ ଠେଲା ଗାଡିରେ ହାତରେ ଟାଣି ନେବା ଅମାନବୀୟ । ଆଜି ବି ଆମ ଦେଶରେ ଏଭଳି  ଘଟଣା ଦେଖିବାକୁ ମିଳୁଛି । ଏହା କଣ ସମ୍ବିଧାନ  ଦେଇଥିବା ସମାଜିକ ଓ ଆର୍ଥିକ ନ୍ୟାୟ କି ବୋଲି ଯଦି କେହି ପ୍ରଶ୍ନ କରେ ତେବେ ତାର ଉତ୍ତର ନିଶ୍ଚିତ ଭାବେ ନୁହେଁ  । ଜଣେ ନିଜ ଇଚ୍ଛାରେ  ହାତଟଣା ରିକ୍ସା ଟାଣିବାକୁ ଚାହିଁବ ନାହିଁ । ପରିସ୍ଥିତି ତାଙ୍କୁ ଏଭଳି କରିବାକୁ ବାଧ୍ୟ କରିଛି । ଏଥିସହ ସର୍ବୋଚ୍ଚ ଅଦାଲତ ହାତରେ ରିକ୍ସା ଟାଣୁଥିବା ବ୍ୟକ୍ତିଙ୍କୁ ଇ-ରିକ୍ସା ଯୋଗାଇଦେବାକୁ ମହାରାଷ୍ଟ୍ର  ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିଲାଗି  ୬ମାସ ଭିତରେ ନୂଆ ଯୋଜନା ଆଣିବାକୁ ରାଜ୍ୟ ସରକରାଙ୍କୁ ପରାମର୍ଶ ଦେଇଛନ୍ତି । କହିଛନ୍ତି  ଇ-ରିକ୍ସା ଦ୍ୱାରା ଲୋକଙ୍କ ପରିବାର ଚଳିବ  ଏବଂ ସେମାନେ ସମ୍ମାନର ସହ ବଞ୍ଚିପାରିବେ ।  

ସୂଚନାଯୋଗ୍ୟ ଯେ ମାଥେରନକୁ ପରିବେଶ  ସମ୍ବେଦନଶୀଳ ଅଞ୍ଚଳ ଭାବେ ଘୋଷଣା କରାଯିବା  ପରେ ସେଠାରେ ମୋଟରଯାନ ଚଳାଚଳ ବନ୍ଦ  କରାଯାଇଛି । ଫଳରେ ପର୍ଯ୍ୟଟକଙ୍କ ପାଇଁ କିଛି  ଲୋକ ସେଠାରେ ହାତଟଣା ରିକ୍ସା ଚଳାଉଛନ୍ତି ।