ନୂଆଦିଲ୍ଲୀ,୨୦।୪: ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ‘ରାଷ୍ଟ୍ର ପୁତ୍ର’ ଘୋଷଣା କରାଯାଉ। ଏହାଛଡା ତାଙ୍କ ଦ୍ବାରା ଗଠନ କରାଯାଇଥିବା ‘ଆଜାଦ ହିନ୍ଦ ଫୌଜ’ ଭାରତକୁ ସ୍ୱାଧୀନତା ପ୍ରଦାନ କରିଥିଲା ବୋଲି କ୍ରେଡିଟ୍ ଦିଆଯାଉ। ଏଭଳି ଏକ ଦାବୀ ନେଇ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍)କୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। କେବଳ ସେତିକି ନୁହେଁ ପିଆଇଏଲ୍ ଦାଖଲ କରିଥିବା ପିନାକ ପାଣି ମହାନ୍ତିଙ୍କୁ ମଧ୍ୟ କୋର୍ଟ କଡା ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି ଆପଣଙ୍କ ଭିତରେ ସୁଧାର ହୋଇପାରିନି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ଖଣ୍ଡପୀଠ କହିଛନ୍ତି ଆପଣ କୋର୍ଟଙ୍କ ସମୟ ନଷ୍ଟ କରୁଛନ୍ତି।

ଆବେଦନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ‘ରାଷ୍ଟ୍ରୀୟ ପୁତ୍ର’ ଘୋଷଣା କରିବା ଏବଂ ୨୧ ଅକ୍ଟୋବର୧୯୪୩ (ଆଇଏନଏର ପ୍ରତିଷ୍ଠା ଦିବସ) ଏବଂ ୨୩ ଜାନୁଆରୀ ୧୮୯୭ରେ ତାଙ୍କ ଜନ୍ମ ବାର୍ଷିକୀକୁ ‘ଜାତୀୟ ଦିବସ’ ଭାବରେ ପାଳନ କରିବାକୁ ମଧ୍ୟ ଦାବି କରାଯାଇଥିଲା। ସିଜେଆଇ ଆବେଦନକୁ ଖାରଜ କରିଦେଇଛନ୍ତି।

ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କରେ ସମାନ ଆବେଦନକାରୀଙ୍କ ଦ୍ୱାରା ଦୁଇ ଥର ଦାଖଲ କରାଯାଇଥିବା ସମାନ ଜନସ୍ୱାର୍ଥ ମାମଲାକୁ କୋର୍ଟ ପୂର୍ବରୁ ଖାରଜ କରିସାରିଛନ୍ତି। ସେତେବେଳେ, ସୁପ୍ରିମକୋର୍ଟ ମନ୍ତବ୍ୟ ଦେଇଥିଲେ ଯେ ଏପରି ପ୍ରସଙ୍ଗ ନ୍ୟାୟିକ ସମୀକ୍ଷା ପରିସର ବାହାରେ ଏବଂ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଉଠାଇ ହେବ।

ସୋମବାର ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟଙ୍କ ପୂର୍ବ ମତ ସତ୍ତ୍ୱେ, ଆବେଦନକାରୀ କେବଳ ନିଜର ପବ୍ଲିସିଟି ପାଇଁ ଆବେଦନକୁ ପୁନଃ ଦାଖଲ କରିଛନ୍ତି। ସିଜେଆଇସୂର୍ଯ୍ୟକାନ୍ତ ମଧ୍ୟ ଆବେଦନକାରୀଙ୍କୁ ଭବିଷ୍ୟତରେ ଏପରି ହାଲକା ଆବେଦନ ଦାଖଲ ନକରିବାକୁ ଚେତାବନୀ ଦେଇଛନ୍ତି। ଏହା ସହ ଆଗକୁ ଏଭଳି ଆବେଦନ କଲେ ଜରିମାନା ଲଗାଇବାର ମଧ୍ୟ ଧମକ ଦେଇଛନ୍ତି। ସମାନ ପ୍ରସଙ୍ଗରେ ଆବେଦନକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆଉ କୌଣସି ପିଆଇଏଲ ବିଚାର ନକରିବାକୁ କୋର୍ଟ ଏହାର ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦେଇଛନ୍ତି। ସିଜେଆଇ ସୂର୍ଯ୍ୟକାନ୍ତ ଆବେଦନକାରୀଙ୍କୁ କହିଥିଲେ, ‘ଏବେ ଯାଅ, ନଚେତ୍ ଆମେ ତୁମ ଉପରେ  ଜରିମାନା ଲଗାଇ ବୁ।’